ମେଲବୋର୍ଣ୍ଣ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ନୀତିଶ କୁମାର ରେଡ୍ଡୀଙ୍କ ଶତକ ଓ ୱାଶିଂଟନ ସୁନ୍ଦରଙ୍କ ଅର୍ଦ୍ଧଶତକ ବଳରେ ଭାରତ ସ୍ଥିତି ସୁଧାରିଛି । ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଭାରତ ୯ ୱିକେଟ ବିନିମୟରେ ୩୫୮ ରନ ସଂଗ୍ରହ କରି ନେଇଛି । ଦଳ ଏବେ ବି ଅଷ୍ଟ୍ରେଲିଆ ସ୍କୋରଠାରୁ ୧୧୬ ରନ ପଛରେ ରହିଛି । ଫଲୋଅନ ଏଡାଇବାକୁ ଭାରତ ସଂଘର୍ଷ କରୁଥିବା ବେଳେ ନୀତିଶ ଓ ସୁନ୍ଦର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଉଭୟ ୮ମ ୱିକେଟରେ ୧୨୭ ରନ ଯୋଗ କରିଥିଲେ । ନୀତିଶ ୧୦୫ ଓ ମହମ୍ମଦ ସିରାଜ ୨ ରନ କରି ଅପରାଜିତ ରହିଛନ୍ତି । ନୀତିଶ ଶତକ ହାସଲ କରିବା ପରେ ବାହୁବଳୀ ଷ୍ଟାଇଲରେ ଏହାକୁ ସେଲିବ୍ରେଶନ କରିଥିଲେ ।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୭୪ ରନ କରିଥିଲା । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଟିମ ଇଣ୍ଡିଆ ୫ ୱିକେଟ ହରାଇ ୧୬୪ ରନ କରିଥିଲା । ତୃତୀୟ ଦିବସରେ ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜାଙ୍କ ନିକଟରୁ ଭଲ ଇନିଂସ ଆଶା କରାଯାଉଥିଲେ ମଧ୍ୟ ସେମାନେ ନିରାଶ କରିଥିଲେ । ପନ୍ତ ୨୮ ଓ ଜାଡେଜା ୧୭ ରନ କରି ଆଉଟ ହୋଇଥିଲେ । ସୁନ୍ଦର ୫୦ ରନ କରିବା ପରେ ପ୍ୟାଭିଲିୟନ ଫେରି ଯାଇଥିଲେ । ପ୍ୟାଟ କୁମିନ୍ସ ଓ ସ୍କଟ ବୋଲାଣ୍ଡ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ନାଥାନ ଲାୟନ ୨ଟି ୱିକେଟ ନେଇଥିଲେ ।