ଗାବା: ଏଠାରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ବିପକ୍ଷରେ ଫଲୋଅନ ଏଡାଇବାକୁ ସଫଳ ହୋଇଛି । ୪ର୍ଥ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୪୫ ରନ ଜବାବରେ ଭାରତ ୯ ୱିକେଟ ହରାଇ ୨୫୨ ରନ ସଂଗ୍ରହ କରିନେଇଛି । କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ପରେ ଶେଷ ଭାଗରେ ଆକାଶଦୀପ ଓ ଯଶପ୍ରୀତ ବୁମରାହ ଭାରତର ସମ୍ମାନ ରଖିଥିଲେ । ରାହୁଲ ୮୪ ଓ ଜାଡେଜା ୭୭ ରନ କରିଥିଲେ । ୧୦ମ ୱିକେଟରେ ବୁମରାହ ଓ ଆକଶଦୀପ ୩୯ ରନର ପାର୍ଟନରଶିପ ସଂଗ୍ରହ କରି ଅପରାଜିତ ରହିଛନ୍ତି । ସେମାନେ ୮.୫ ଓଭର ବ୍ୟାଟିଂ କରିଥିଲେ । ଆକାଶଦୀପ ୨୭ ଓ ବୁମରାହ ୧୦ ରନ କରି ବ୍ୟାଟିଂ କରୁଛନ୍ତି ।
ବର୍ଷା ଯୋଗୁ ଭାରତ ତାର ସ୍ଥିତି ସୁଧାରିବାରେ ସଫଳ ହୋଇଥିଲେ । ହାତରେ ଆଉ ଗୋଟିଏ ଦିନ ଖେଳ ବାକିଥିବାରୁ ମ୍ୟାଚ ଡ୍ର ହେବା ସମ୍ଭାବନା ସୃଷ୍ଟି କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ କୁମିନ୍ସ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ ୩ଟି ୱିକେଟ ନେଇଛନ୍ତି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଚତୁର୍ଥ ଦିବସରେ ଓଭରାଲ ୫୭.୫ ଓଭର ଖେଳାଯିବା ସମ୍ଭବପର ହୋଇଥିଲା ।