Latest Odisha News

ଇସ୍ପାତ୍ ଉତ୍ପାଦନ କ୍ଷମତାକୁ ୧୪୦ ଏମଟିରୁ ୩୦୦ ଏମଟିକୁ ବୃଦ୍ଧି କରିବା ଦିଗରେ ଭାରତ ଅଗ୍ରସର

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉର୍ଜା କ୍ଷେତ୍ରକୁ ନୂଆ ଶିଖରକୁ ନେବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଇଣ୍ଡିଆ-ୟୁଏସ୍ ବିଜନେସ୍ ଷ୍ଟୋରୀ: ସୁଯୋଗ, ନବଉନ୍ମେଷ ଏବଂ ଉଦ୍ୟମିତା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ୍ ହେଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟ୍ରମ୍ପଙ୍କ ବୈଠକରେ ଉର୍ଜା ସ୍ତମ୍ଭକୁ ଗୁରୁତ୍ୱ ଦେବା ସହ ଦ୍ୱିପାକ୍ଷିକ ଋଣନୈତିକ ସମ୍ପର୍କକୁ ଅଧିକ ମଜବୁତ୍ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଭାରତର ଆମେରିକା ଋଣନୈତିକ ଉର୍ଜା ସହଯୋଗ କାରଣରୁ ଗତ ୩ ବର୍ଷରେ ଉର୍ଜା କ୍ଷେତ୍ରରେ ବିକାଶର ସୁପ୍ରଭାବ ଦେଖିବାକୁ ମିଳିଛିା ଏହାବ୍ୟତିତ ଗତ ୩ ବର୍ଷରେ ଭାରତର ହାଇଡ୍ରୋକାର୍ବନ ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତି ପରିଲକ୍ଷିତ ହୋଇଛି ଏବଂ ଏହା ହିଁ ଦୁଇ ଦେଶ ମଧ୍ୟରେ ଥିବା ବିକାଶର ସମ୍ପର୍କକୁ ପ୍ରତିଫଳିତ କରୁଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତକାଲି ଆମେରିକାର ଉର୍ଜା ସଚିବ ଡାନ୍ ବ୍ରୌଲିଟି ମଧ୍ୟରେ ହୋଇଥିବା ସମୀକ୍ଷୀ ବୈଠକ ଦ୍ୱାରା ଭାରତ ଏବଂ ଆମେରିକା ମଧ୍ୟରେ କ୍ରିୟାନ୍ୱିତ ଋଣନୈତିକ ଉର୍ଜା ସହଯୋଗକୁ ନୂଆ ସ୍ତରକୁ ନେବା ପାଇଁ ନିଷ୍ପତି ନିଆଯାଇଛି । ଭାରତ ଓ ଆମେରିକା ସମ୍ପର୍କ ଦ୍ୱାରା ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ମଧ୍ୟ ସହଜ ହେବ । ସେହିପରି ଗତକାଲି ଆଇଓସିଏଲ ଏବଂ ଏକ୍ସନ ମୋବିଲ୍ ମଧ୍ୟରେ ଏକ ଚୁକ୍ତି ପତ୍ର ସ୍ୱାକ୍ଷରିତ ହୋଇଯାଇଛି, ଯାହା ଭାରତୀୟ ବଜାରରେ ଏଲଏନଜିର ଉପଲବ୍ଧିରେ ବୃଦ୍ଧି ଘଟିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ସୁଦ୍ଧା ଭାରତକୁ ଆମେରିକୀୟ ଡଲାରରେ ୫ ଟ୍ରିଲିୟନ ଅର୍ଥନୀତି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଭାରତର ଉର୍ଜା କ୍ଷେତ୍ର ଏହି ଲକ୍ଷ୍ୟକୁ ହାସଲ କରିବା ଦିଗରେ ଉଦ୍ୟମରତ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଭାରତ ଦ୍ରୁତତମ ଅର୍ଥନୀତି ବଢୁଥିବା ଦେଶ ମଧ୍ୟରୁ ଅନ୍ୟତମ ଏବଂ ୨୦୩୫ ସୁଦ୍ଧା ବାର୍ଷିକ ୪.୨ ପ୍ରତିଶତ ଉର୍ଜା ବ୍ୟବହାର ବୃଦ୍ଧି ପାଇବ । ଆମେ ସୁରକ୍ଷିତ ପଦ୍ଧତିରେ ସୌର ଉର୍ଜା ଏବଂ ବିକଳ୍ପ ଉର୍ଜାର ସନ୍ଧାନ କରିବା ଦିଗରେ କାର୍ଯ୍ୟ କରୁଛୁ ଏବଂ ଏଥିପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ଦେଶ, ଗୋଟିଏ ଗ୍ୟାସ ଗ୍ରୀଡ୍ ଦୂରଦୃଷ୍ଟି ଆମକୁ ଦେଶରେ ଗ୍ୟାସ ଭିତିଭୂମିର ସଂପ୍ରସାରଣ କରିବାକୁ ଉତ୍ସାହ ଦେଉଅଛି । ଦେଶର ଗ୍ୟାସ ଭିତିଭୂମିକୁ ସୁଦୃଢ କରିବା ପାଇଁ ପାଇଇଲାଇନ, ସିଟି ଗ୍ୟାସ ବିତରଣ ଏବଂ ଏଲଏନଜି ଟର୍ମିନାଲ କାର୍ଯ୍ୟ ପାଇଁ ଆମେରିକୀୟ ଡଲାରରେ ୬୦ ବିଲିୟନ ପୁଞ୍ଜିନିବେଶ କରାଯିବା ପାଇଁ ଆକଳନ କରାଯାଇଛି । ଏତଦବ୍ୟତିତ ସିଜିଡି ବା ସିଟି ଗ୍ୟାସ ବିତରଣ ନେଟଓା୍ୱର୍କ ସଂପ୍ରସାରଣରେ ଦ୍ରୁତ ବୃଦ୍ଧି ହେଉଛି । ଦେଶର ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତ ଏହି ନେଟୱାର୍କ ଉପଲବ୍ଧ ହୋଇଥିବା ବେଳେ ଖୁବ ଶୀଘ୍ର କେନ୍ଦ୍ରଶାସିତ ଅଂଚଳକୁ ମଧ୍ୟ ସିଜିଡି ନେଟୱାର୍କ ସଂପ୍ରସାରଣ କରାଯିବ । ଅପରପକ୍ଷରେ ୨୦୨୪ ସୁଦ୍ଧା ସମଗ୍ର ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ ଏହି କ୍ଷେତ୍ରକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଆମେରିକା ଓ ଭାରତ ଦ୍ୱିପାକ୍ଷିକ ସହଯୋଗ ଦ୍ୱାରା ସ୍ୱଚ୍ଛ ଉର୍ଜା ବିକାଶରେ ବୃଦ୍ଧି ଘଟିଛି । ଆମେରିକାର ସହଯୋଗ ଦ୍ୱାରା ୨୦୩୦ ସୁଦ୍ଧା ଦେଶର ଇସ୍ପାତ୍ ଉତ୍ପାଦନ କ୍ଷମତାକୁ ୧୪୦ ମେଟ୍ରିକ୍ ଟନରୁ ୩୦୦ ମେଟ୍ରିକ୍ ଟନ୍ କ୍ଷମତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଅଗ୍ରସର ହେଉଛୁ ।

କୋକିଂ କୋଲ୍ କ୍ଷେତ୍ରରେ ମଧ୍ୟ ଆମେରିକା ସହ ଦୀର୍ଘମିଆଦି ସହଯୋଗ ଲୋଡିବା ବ୍ୟବସାୟିକ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଆମେରିକାକୁ ଭାରତର ଉର୍ଜା ତଥା ତୈଳ ଓ ଗ୍ୟାସ କ୍ଷେତ୍ରର ବିକାଶରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ ।

 

Comments are closed.