Latest Odisha News

BREAKING NEWS

ସିଡନୀରେ ୧୩ ବର୍ଷ ହେବ ଭାରତ ହାରିନି ଟେଷ୍ଟ

ସିଡନୀ: ବର୍ଡର-ଗାଭାସ୍କର ଟ୍ରଫିର ପଂଚମ ତଥା ଅନ୍ତିମ ମୁକାବିଲା ଜାନୁୟାରୀ ୩ରୁ ସିଡନୀରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏଠାରେ ଭାରତ ୧୩ ବର୍ଷ ହେବ କୌଣସି ଟେଷ୍ଟ ହାରିନି । ୨୦୧୨ରେ ଶେଷ ଥର ଟିମ ଇଣ୍ଡିଆ ଏଠାରେ ପରାଜିତ ହୋଇଥିଲା । ଏଠାରେ ଏହା ପରେ ଭାରତ ୩ଟି ମ୍ୟାଚ ଖେଳିଛି ଓ ସମସ୍ତ ମ୍ୟାଚ ଡ୍ର ରହିଛି । ଓଭରାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ୧୩ଟି ମ୍ୟାଚ ଖେଳାଯାଇଛି । ଘରୋଇ ଟିମ ୫ଟି ଏବଂ ଭାରତ ଗୋଟିଏ ମ୍ୟାଚ ଜିତିଛନ୍ତି । ୭ଟି ମ୍ୟାଚ ଡ୍ର ରହିଛି । ୧୯୭୮ରେ ଭାରତ ଏହି ଏକମାତ୍ର ବିଜୟ ହାସଲ କରିଥିଲା । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଆଶା ଉଜ୍ଜୀବିତ ରଖିବା ପାଇଁ ଭାରତକୁ ଏହି ମ୍ୟାଚରେ ନିଶ୍ଚିତ ବିଜୟ ଆବଶ୍ୟକ ।

ଆଘାତ ସମସ୍ୟା ଯୋଗୁ ଆକାଶଦୀପ ଏହି ମ୍ୟାଚରୁ ଓହରି ଯାଇଛନ୍ତି । ସେହପରି ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ପ୍ରଦାନ କରାଯାଇପାରେ । ଏଠାରେ ଟସ ଜିତିବା ଟିମ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେବା ସମ୍ଭାବନା ଅଧିକ ।

ସିଡନୀରେ ୧୧୨ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି । ପ୍ରଥମେ ବ୍ୟାଟିଂ କରିଥିବା ଦଳ ୪୭ ମ୍ୟାଚରେ ବିଜୟୀ ହୋଇଛନ୍ତିି । ପ୍ରଥମେ ଫିଲ୍ଡିଂ କରିଥିବା ଟିମ ୪୨ରେ ବିଜୟୀ ହୋଇଥିବା ବେଳେ ୨୩ ମ୍ୟାଚ ଡ୍ର ରହିଛି । ଅଷ୍ଟ୍ରେଲିଆର ଅନ୍ୟ ପିଚ ତୁଳନାରେ ଏଠାରେ ସ୍ପିନରଙ୍କୁ ଅଧିକ ସହାୟତା ମିଳିଥାଏ । ବର୍ଷା ସମ୍ଭାବନା କମ ରହିଥିବାରୁ ପ୍ରଶଂସକ ସମସ୍ତ ୫ ଦିନ ଏକ ରୋମାଂଚକ ମୁକାବିଲା ଦେଖିବାକୁ ପାଇବେ ।

ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏଠାରେ ୫ ମ୍ୟାଚରେ ସର୍ବାଧିକ ୭୮୫ ରନ କରିଛନ୍ତି । ସେହିପରି ଚେତେଶ୍ୱର ପୂଜାରା ୨ ମ୍ୟାଚରେ ୩୨୦ ରନ, ରିଷଭ ପନ୍ତ ୨ ମ୍ୟାଚରେ ୨୯୨ ରନ, ରାହୁଲ ଡ୍ରାଭିଡ ୪ ମ୍ୟାଚରେ ୨୮୩ ରନ, ବିରାଟ କୋହଲି ୩ ମ୍ୟାଚରେ ୨୪୮ ରନ ଓ ସୁନୀଲ ଗାଭାସ୍କର ୩ ମ୍ୟାଚରେ ୨୩୧ ରନ ସଂଗ୍ରହ କରିଛନ୍ତି ।

Comments are closed.