Latest Odisha News

ଟି୨୦ ବିଶ୍ୱକପ: ବାଂଲାଦେଶକୁ ହରାଇ ସେମିରେ ପ୍ରବେଶ ଆଶା ମଜଭୁତ କରିବ ଭାରତ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଏ ପର୍ଯ୍ୟନ୍ତ ସନ୍ତୋଷଜନକ ପ୍ରଦର୍ଶନ ଜାରୀ ରଖିଛି । ସୁପର ଏଇଟର ପ୍ରଥମ ମ୍ୟାଚରେ ଭାରତ ସହଜରେ ଆଫଗାନିସ୍ତାନକୁ ହରାଇ ବିଜୟ ଅଭିଯାନ ଜାରୀ ରଖିଛି । ଶନିବାର ଭାରତ ତାର ପରବର୍ତୀ ମ୍ୟାଚରେ ବାଂଲାଦେଶକୁ ଭେଟିବ । ଏହାକୁ ଜିତି ଟିମ ଇଣ୍ଡିଆ ସେମିଫାଇନାଲ ପ୍ରବେଶ ଆଶା ମଜଭୁତ କରିବ । ଟି୨୦ ଫର୍ମାଟରେ ବାଂଲାଦେଶକୁ ଦୁର୍ବଳ ଟିମ ମନେ କରିବା ଭୁଲ ଭାରତ କେବେ ହେଲେ କରିବ ନାହିଁ । ତେବେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଫର୍ମ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ସେହିପରି ଶିବମ ଦୁବେଙ୍କ ପ୍ରଦର୍ଶନ ମଧ୍ୟ ପ୍ରଭାବିତ କରିପାରି ନାହିଁ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଲ ବ୍ୟାଟିଂ ଯୋଗୁ ଭାରତ ବଡ ସ୍କୋର କରିପାରିଥିଲା ।

ଆଗକୁ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲା ପୂର୍ବରୁ ଭାରତକୁ ସବୁ ବିଭାଗରେ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ପଡିବ । ବିଶେଷ କରି କୋହଲିଙ୍କୁ ଫର୍ମକୁ ଫେରିବାକୁ ପଡିବ । ବୋଲିଂ ବିଭାଗରେ ଦଳ ଅବଶ୍ୟ ଏତେଟା ଅସୁବିଧାର ସମ୍ମୁଖୀନ ହେଉନି । ପ୍ରାୟ ସମସ୍ତ ବୋଲର ଭଲ ଫର୍ମରେ ଅଛନ୍ତି । ଏଠାକାର ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ ବୋଲି ଆଶା କରାଯାଉଛି । ତେବେ ଏହି ମ୍ୟାଚରେ ବର୍ଷା ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।

Comments are closed.