Latest Odisha News

BREAKING NEWS

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍: ଭାରତ ପାଇଁ ବାଂଲାଦେଶ ଚ୍ୟାଲେଂଜ

ନୂଆଦିଲ୍ଲୀ: ବେଶ୍ କିଛି ମାସ ପରେ ପୁଣି ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ହେଉଛି ଟିମ୍ ଇଣ୍ଡିଆ । ବାଂଲାଦେଶ, ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ୍ ପରେ ହାଇପ୍ରୋଫାଇଲ୍ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଦଳ । ମାନେ ଟିମ୍ ଇଣ୍ଡିଆ ପାଇଁ ବ୍ୟସ୍ତବହୁଳ ଟେଷ୍ଟ ସିରିଜ୍ । ପ୍ରଥମେ ଘରୋଇ ମାଟିରେ ବାଂଲାଦେଶ ବିପକ୍ଷରେ ଦୁଇ ମ୍ୟାଚ୍ ଟେଷ୍ଟ ସିରିଜ ଖେଳିବ ଭାରତ । ଏହି ମାସ ୧୯ ତାରିଖରୁ ଆରମ୍ଭ ହେଉଛି ସିରିଜ୍ । ଏହି ସିରିଜର ଫଳାଫଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପଏଂଟ ଟେବୁଲକୁ ମଧ୍ୟ ପ୍ରଭାବିତ କରିବ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଂଟ ଟେବୁଲରେ ଏକ ନମ୍ବର ସ୍ଥାନରେ ରହିଛି ଭାରତ।

ଟିମ୍ ଇଣ୍ଡିଆ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବାଂଲାଦେଶ ସିରିଜ

ସେପଟେମ୍ବର ୧୯ରୁ ଆରମ୍ଭ ହେଉଛି ଭାରତ-ବାଂଲାଦେଶ ଟେଷ୍ଟ ସିରିଜ୍ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ୍ ଭାରତୀୟ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଯଦି ଭାରତ, ବାଂଲାଦେଶ ବିପକ୍ଷରେ କ୍ଲିନ ସୁଇପ କରିବ, ତାହା ହେଲେ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଆଉ ଗୋଟିଏ ପାଦ ଆଗକୁ ବଢିବ ଦଳ । ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ ଗୋଟିଏ ମ୍ୟାଚ ବି ହାରିଲେ ଟିମ୍ ଇଣ୍ଡିଆକୁ ଝଟକା ଲାଗିବ । ଗୋଟିଏ ମ୍ୟାଚ ହାରିଲେ ଏକ ନମ୍ବର ସ୍ଥାନରୁ ଖସି ଆସିବ ଭାରତ ।

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଂଟ ସମୀକରଣ

ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ପଏଂଟ ଟେବୁଲରେ ବର୍ତ୍ତମାନ ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ । ୬୮ ଦଶମିକ ୫୨ ପଏଂଟ ସହ ଟିମ୍ ଇଣ୍ଡିଆ ଆଗରେ ରହିଛି । ୬୨ ଦଶମିକ ୫୦ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ଯଦି ବାଂଲାଦେଶ ରୋହିତ ଶର୍ମାଙ୍କ ଟିମଙ୍କୁ ଗୋଟିଏ ମ୍ୟାଚରେ ବି ହରାଏ, ତାହା ହେଲେ ଏହାର ଫାଇଦା ଅଷ୍ଟ୍ରେଲିଆକୁ ମିଳିବ । ଯଦି ଭାରତ ଦୁଇ ମ୍ୟାଚ୍ ଟେଷ୍ଟ ସିରିଜ ୦-୧ରେ ହାରେ, ତାହା ହେଲେ ଦଳର ପଏଂଟ ୫୯କୁ ଖସି ଆସିବ । ବାଂଲାଦେଶ ଯଦି ୨-୦ରେ ଜିତେ, ତାହା ହେଲେ ଭାରତର ପଏଂଟ ୫୬କୁ ଖସିବ । ସିରିଜର ଦୁଇ ମ୍ୟାଚ୍ ଡ୍ର ରହିଲେ ମଧ୍ୟ କ୍ଷତି ସହିବ ଟିମ୍ ଇଣ୍ଡିଆ । ଏଭଳି ସ୍ଥିତିରେ ଭାରତର ଖାତାରେ ମାତ୍ର ୬୨ ଦଶମିକ ୧୨ ପଏଂଟ ରହିବ । ସିରିଜ୍ ୧-୧ ରେ ଶେଷ ହେଲେ ମଧ୍ୟ ଟିମ୍ ଇଣ୍ଡିଆର ପଏଂଟ ଖସି ୬୫ ଦଶମିକ ୧୫ରେ ରହିବ । ବାଂଲାଦେଶକୁ ହାଲୁକାରେ ନେବ ନାହିଁ ଟିମ୍ ଇଣ୍ଡିଆ

ଭାରତ, ଏହି ବର୍ଷ ଆରମ୍ଭରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୪-୧ରେ ଜିତିଥିଲା । ଦୀର୍ଘ ୭ ମାସ ପରେ ପୁଣି ଟେଷ୍ଟ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ବାଂଲାଦେଶ ନିକଟରେ ପାକିସ୍ତାନ ଗସ୍ତରେ ୨-୦ରେ ଐତିହାସିକ ଟେଷ୍ଟ ସିରିଜ୍ ବିଜୟ ହାସଲ କରିଥିଲା । ସେ ଦୃଷ୍ଟିରୁ ବାଂଲାଦେଶ ଦୃଢ ମନୋବଳ ନେଇ ଟିମ୍ ଇଣ୍ଡିଆର ମୁକାବିଲା କରିବ । ରୋହିତ ଶର୍ମାଙ୍କ ଟିମ୍ ବାଂଲାଦେଳକୁ ହାଲୁକା ଭାବେ ନେବେ ନାହିଁ । ଟିମ ଇଣ୍ଡିଆ ହେଡ୍ କୋଚ୍ ଭାବେ ଗୌତମ ଗମ୍ଭୀରଙ୍କ ବାଂଲାଦେଶ ସିରିଜ୍ ହେବ ପ୍ରଥମ ଟେଷ୍ଟ ସିରିଜ୍ । ଭାରତ ୧୨ ବର୍ଷ ହେବ, ଘରୋଇ ମାଟିରେ ଟେଷ୍ଟ ସିରିଜ୍ ହାରିନାହିଁ।

 

 

Comments are closed.