ପୁରୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଆଉ କେତେ ଘଂଟା ପରେ ଆରମ୍ଭ ହୋଇଯିବ । ଏହି ମ୍ୟାଚର ବିଜେତା ଫାଇନାଲରେ ପାକିସ୍ତାନକୁ ଭେଟିବ । ଆସନ୍ତୁ ଜାଣିବା ଆଇସିସି ନକଆଉଟ ପର୍ଯ୍ୟାୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ କାହାର ପଲା ରହିଛି ଭାରୀ ।
1983 ବିଶ୍ୱକପ ସେମିଫାଇନାଲ: ୧୯୮୩ ବିଶ୍ୱକପ ସେମିଫାଇନାଲରେ ଭାରତ ସହଜରେ ଇଂଲଣ୍ଡକୁ ହରାଇ ଦେବ ତାହା କେହି ଚିନ୍ତା କରି ନ ଥିଲେ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୧୩ ରନରେ ଅଲଆଉଟ ହୋଇ ଯାଇଥିଲା । ଅଧିନାୟକ କପିଳ ଦେବ ୩ଟି ୱିକେଟ ଅକ୍ତିଆର କରିଥିଲେ । ଭାରତ ୨୧୪ ରନର ବିଜୟ ଲକ୍ଷ୍ୟକୁ ୫୪.୪ ଓଭରରେ ହାସଲ କରି ନେଇଥିଲା । ଯଶପାଲ ଶର୍ମା ୬୧, ମହିନ୍ଦର ଅମରନାଥ ୪୬ ଓ ସନ୍ଦୀପ ପାଟିଲ ୩୨ ବଲରେ ଚମତ୍କାର ୫୧ ରନର ଇନିଂସ ଖେଳିଥିଲେ ।
1987 ବିଶ୍ୱକପ ସେମିଫାଇନାଲ: ୧୯୮୭ ସେମିଫାଇନାଲରେ ଗ୍ରାହାମ ଗୁଚଙ୍କ ୧୧୫ ରନ ସହାୟତାରେ ଇଂଲଣ୍ଡ ଭାରତ ସମ୍ମୁଖରେ ୨୫୫ ରନର ଟାର୍ଗେଟ ଦେଇଥିଲା । ମହମ୍ମଦ ଆଝାରୁଦ୍ଦିନ ଆକର୍ଷଣୀୟ ୬୪ ରନ କରିଥିଲେ ମଧ୍ୟ ଭାରତ ୩୫ ରନରେ ମ୍ୟାଚ ହାରି ଯାଇଥିଲା । ଏଡି ହେମିଙ୍ଗସ ୪ଟି ୱିକେଟ ଅକ୍ତିଆର କରି ଭାରତକୁ ହଇରାଣରେ ପକାଇଥିଲେ । ଫାଇନାଲରେ ଅବଶ୍ୟ ଅଷ୍ଟ୍ରେଲିଆ ନିକଟରୁ ଇଂଲଣ୍ଡ ହାରି ଯାଇଥିଲା ।
2013 ଚାମ୍ପିୟନ୍ସ ଟ୍ରଫି ଫାଇନାଲ: ୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲର ରୋମାଂଚ ବର୍ଷା ଛଡେଇ ନେଇଥିଲା । ବର୍ଷା ଯୋଗୁ ମ୍ୟାଚକୁ ୨୦ ଓଭର ବିଶିଷ୍ଟ କରାଯାଇଥିଲା । ବିରାଟ କୋହଲି ୪୩ ଓ ରବୀନ୍ଦ୍ର ଜାଡେଜାଙ୍କ ଭଲ ବ୍ୟାଟିଂ ପ୍ରଦର୍ଶନ ସହାୟତାରେ ଭାରତ ୭ ୱିକେଟ ହରାଇ ୧୨୯ ରନ କରିଥିଲା । ଆରମ୍ଭରୁ ଇଂଲଣ୍ଡ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବାଜି ମାରିଥିଲା ଭାରତ । ଇଂଲଣ୍ଡ ୫ ରନରେ ଏହି ମ୍ୟାଚ ହାରି ଯାଇଥିଲା ଓ ଭାରତ ଚାମ୍ପିୟନ ହୋଇଥିଲା । ଈଶାନ୍ତ ଶର୍ମା ପକାଉଥିବା ୧୮ତମ ଓଭର ମ୍ୟାଚର ଗତିପଥ ଭାରତ ଆଡକୁ ମୁହାଁଇ ଦେଇଥିଲା ।
Comments are closed.