Latest Odisha News

BREAKING NEWS

ନ୍ୟୁଜିଲାଣ୍ଡକୁ ୩-୦ରେ ପରାସ୍ତ କରି ଭାରତ ସିରିଜ ବିଜୟୀ

ମାଉଣ୍ଟମଂଗନୁଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୩ୟ ଦିିନିକିଆ ମ୍ୟାଚରେ ବିରାଟ ବାହିନୀ କିୱି ଦଳକୁ ୭ ୱିକେଟରେ ପରାସ୍ତ କରି ୫ ଟିକିଆ ଶୃଙ୍ଖଳା ବିଜୟ ହାସଲ କରିପାରିଛି ।

ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତ ଖେଳ ପ୍ରଦର୍ଶନ କରି କିୱି ଦଳକୁ ପରାସ୍ତ କରିଛି । ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ୪୯ ଓଭର ଖେଳି ସମସ୍ତ ୱିକେଟ ହରାଇ ମୋଟ ୨୪୩ ରନ କରିପାରିଥିଲା । କିୱି ବ୍ୟାଟ୍ସମ୍ୟାନ ଟେଲର୍ ୯୩ ଓ ଲାଥାମ ୫୧ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ସ୍କୋର କରିପାରିନଥିଲେ ।

ଭାରତୀୟ ବୋଲର ମହମ୍ମଦ ସାମି ଚମତ୍କାର ବୋଲିଂ ପ୍ରଦର୍ଶନ କରି ୯ ଓଭରରେ ମାତ୍ର ୪୧ ରନ ଦେଇ ମୂଲ୍ୟବାନ ୩ଟି ୱିକେଟ ହାସଲ କରିଥିଲେ । ସେହିପରି ଭୁବନେଶ୍ୱର କୁମାର, ଚହଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି କରି ୱିକେଟ ଅକ୍ତିଆର କରିଥିଲେ ।

ଟିମ୍ ଇଣ୍ଡିଆ ୨୪୪ ରନର ବିଜୟ ଲକ୍ଷ୍ୟ ହାସଲ କରିବା ନେଇ ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ୩୯ ରନରେ ଓପନର୍ ଶିଖର ଧାୱନଙ୍କ ୱିକେଟ ହରାଇଥିଲା ।


ଦଳ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୬୨ ରନ, ବିରାଟ କୋହଲୀ ୬୦ ରନ ଏବଂ ଅମ୍ବାତି ରାୟଡୁ ୪୦ ରନ ସ୍କୋର କରିଥିଲେ । ଦିନେଶ କାର୍ତ୍ତିକ ୩୮ ରନ କରି ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ଭାରତକୁ ବିଜୟୀ କରାଇଥିଲେ ।

ଭାରତ ପୂର୍ବ ୨ଟି ଦିନିକିଆରେ ବିଜୟ ହାସଲ କରିଥିବା ଯୋଗୁଁ ଏହି ମ୍ୟାଚରେ ଜିତିବା ଫଳରେ ସିରିଜ ବିଜୟୀ ହୋଇପାରିଛି । ଭାରତୀୟ ବୋଲର ମହମ୍ମଦ ସାମିଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ଘୋଷିତ କରାଯାଇଛି ।

ଆସନ୍ତା ୩୧ ତାରିଖରେ ହାମିଲଟନଠାରେ ୪ର୍ଥ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.