କଟକ: ବାରବାଟୀ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଟି୨୦ ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ସମ୍ପୂର୍ଣ୍ଣ ଏକତରଫା ଭାବେ ପରାଜିତ କରିଛି । ୯ମ ଥର ପାଇଁ ଟିମ ଇଣ୍ଡିଆ ଆନ୍ତର୍ଜାତୀୟ ଟି୨୦ରେ ୧୦୦ରୁ ଊର୍ଦ୍ଧ୍ୱ ବ୍ୟବଧାନରେ ବିଜୟ ହାସଲ କରିଛି । ୫ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଚଣ୍ଡୀଗଡରେ ଡିସେମ୍ବର ୧୧ରେ ଖେଳାଯିବ ।
ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୧୭୫ ରନ କରିଥିଲା । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ୨୮ ବଲରେ ୬ ଚୌକା ଓ ୪ ଛକା ସହାୟତାରେ ୫୯ ରନ କରି ଅପରାଜିତ ରହିଥିଲେ । ତିଳକ ବର୍ମା ୨୬ ଓ ଅକ୍ଷର ପଟେଲ ୨୩ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ଲୁଙ୍ଗି ଏନଗିଡି ୩ଟି ଓ ଲୁଥୋ ସିପାମଲା ୨ଟି ୱିକେଟ ନେଇଥିଲେ ।
ଜବାବରେ ଦକ୍ଷିଣ ଆଫ୍ରିକା ୧୭୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୨.୩ ଓଭରରେ ୭୪ ରନ କରି ଅଲଆଉଟ ହୋଇ ଯାଇଥିଲେ । ଡେୱାଲ୍ଡ ବ୍ରେଭିସ ସର୍ବାଧିକ ୨୨ ରନ କରିଥିଲେ । ୭ ଜଣ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଅର୍ଶଦୀପ ସିଂ, ଯଶପ୍ରୀତ ବୁମରାହ, ବରୁଣ ଚକ୍ରବର୍ତି ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ବୁମରାହ ଆନ୍ତର୍ଜାତୀୟ ଟି୨୦ରେ ୧୦୦ ୱିକେଟ ପୂରଣ କରିଥିବା ବେଳେ ହାର୍ଦ୍ଦିକ ୧୦୦ ଛକା ମାରିଛନ୍ତି ।