Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ କ୍ରିକେଟ: କୋହଲି, ରାହୁଲ ଭାରତକୁ ଜିତାଇଲେ

ମାଡ୍ରାସ: ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ତାର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ଲୋ ସ୍କୋରିଂ ମୁକାବିଲାରେ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୨୦୦ ରନର ଲକ୍ଷ୍ୟ ରଖିଥିଲା । ମାତ୍ର ଭାରତୀୟ ଇନିଂସର ଆରମ୍ଭ ନାଟକୀୟ ଢଙ୍ଗରେ ହୋଇଥିଲା । ଅଧିନାୟକ ରୋହିତ ଶର୍ମା, ଈଶାନ କିଶାନ ଓ ଶ୍ରେୟାଶ ଆୟାର ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଥିଲେ । ୨ ରନରେ ୩ଟି ୱିକେଟ ହରାଇବା ପରେ ଭାରତର ବିଜୟ ହାସଲ ନେଇ ଶଙ୍କା ସୃଷ୍ଟି ହୋଇଥିଲା । ତେବେ ବିରାଟ କୋହଲି ଓ କେଏଲ ରାହୁଲ ଧୈର୍ଯ୍ୟ ସହକାରେ ଖେଳି ଭାରତକୁ ବିଜୟ ଅଭିମୁଖେ ନେଇଥିଲେ ।

କୋହଲିଙ୍କ କ୍ୟାଚ ମିସ କରିବା ଅଷ୍ଟ୍ରେଲିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଉଭୟ ବ୍ୟାଟ୍ସମ୍ୟାନ ଦଳର ସ୍କୋରକୁ ୧୬୭ରେ ପଂହଚାଇଥିଲେ । କୋହଲି ବ୍ୟକ୍ତିଗତ ଭାବେ ୮୫ ରନ କରି ଆଉଟ ହୋଇଥିଲେ । କୋହଲି ଓ ରାହୁଲଙ୍କ ମଧ୍ୟରେ ୧୬୫ରନର ପାର୍ଟନରଶିପ ସଂଗ୍ରହ ହୋଇଥିଲା । ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଏହା ଶ୍ରେଷ୍ଠ ପାର୍ଟନରଶିପ । ରାହୁଲ ଓ ହାର୍ଦ୍ଦିକ କୌଣସି ଅସୁବିଧା ସୃଷ୍ଟି ନ କରି ଭାରତକୁ ୪୧.୨ ଓଭରରେ ବିଜୟୀ କରାଇଥିଲେ । ରାହୁଲ ୯୭ ଓ ପାଣ୍ଡ୍ୟା ୧୧ ରନ କରି ଅପରାଜିତ ରହିଥିଲେ । ଜୋଶ ହାଜେଲଉଡ ୩ଟି ଏବଂ ମିଚେଲ ଷ୍ଟାର୍କ ଗୋଟିଏ ୱିକେଟ ନେଇଥିଲେ ।

ପୂର୍ବରୁ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ଯୋଗୁ ଅଷ୍ଟ୍ରେଲିଆ ୪୯.୩ ଓଭରରେ ୧୯୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଭେଡିଡ ୱାର୍ଣ୍ଣର ୪୧, ଷ୍ଟିଭ ସ୍ମିଥ ୪୬ ଓ ମିଚେଲ ଷ୍ଟାର୍କ ୨୮ ରନ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୩ଟି ୱିକେଟ ହାସଲ କରିଥିବା ବେଳେ କୂଲଦୀପ ଯାଦବ ଓ ଯଶପ୍ରୀତ ବୁମରାହ ୨ଟି ଲେଖାଁଏ ୱିକେଟ ନେଇଥିଲେ । ଭାରତୀୟ ସ୍ପିନ ବୋଲରଙ୍କ ବୋଲିଂ ଆଗରେ ଅଷ୍ଟ୍ରେଲିଆ ଟିମ ଧରାଶାୟୀ ହୋଇଥିଲେ । ଭାରତର ସମସ୍ତ ବୋଲର ଉପଯୋଗୀ ପ୍ରଦର୍ଶନ କରିଥିଲେ । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା ।

Comments are closed.