Latest Odisha News

BREAKING NEWS

ଭାରତୀୟ ସେନାରେ ଆରମ୍ଭ ହେଲା ମହିଳା ଯବାନଙ୍କ ନିଯୁକ୍ତି

ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳାମାନଙ୍କ ଲାଗି ଜେନେରାଲ୍ ଡ୍ୟୁଟି ବିଭାଗରେ ନିଯୁକ୍ତି ଲାଗି ଏକ ବିଜ୍ଞପ୍ତି ଗୁରୁବାର ଦିନ ପ୍ରକାଶିତ ହୋଇଛି ।

ଆଜି ଏହି ନିଯୁକ୍ତି ବିଜ୍ଞାପନ ବିଭିନ୍ନ ଦୈନିକ ଖବର କାଗଜରେ ପ୍ରକାଶିତ ହେବା ଭାରତ ଲାଗି ଏକ ଐତିହାସିକ ଦିନ କହିଲେ ଅତ୍ୟୁକ୍ତି ହେବନାହିଁ । ଭାରତୀୟ ସେନାରେ ଏହି ମହିଳାମାନେ ସୈନିକ ଭାବେ ଦାୟିତ୍ୱ ସମ୍ପାଦନ କରିବେ ଏପରିକି ଯୁଦ୍ଧ କ୍ଷେତ୍ରରେ ମଧ୍ୟ ଏହି ମହିଳା ବୀରାଙ୍ଗନା ଲଢିବାକୁ ପ୍ରସ୍ତୁତ ହେବେ ।

ଏବର୍ଷ ଜାନୁଆରୀ ମାସରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିତାରମଣ ଘୋଷଣା କରି କହିଥିଲେ ଯେ, ଭାରତୀୟ ଆର୍ମିରେ ମହିଳାମାନଙ୍କୁ ଯବାନ ଭାବେ ନିଯୁକ୍ତି ମିଳିପାରିବ । ତେବେ ଏହି ମହିଳାମାନେ ଭାରତୀୟ ସେନାରେ ଅଫିସର ର‌୍ୟାଙ୍କ ତଳେ ଥିବା ପଦବୀ ଲାଗି ଆବେଦନ କରିପାରିବେ ।

ସେନାରେ ଯୋଗଦାନ କରିବା ପରେ ଅଫିସର ର‌୍ୟାଙ୍କ ତଳେ ରହିଥିବା ଏହି ମହିଳା ଯବାନଙ୍କ କର୍ତ୍ତବ୍ୟ ଗୁଡ଼ିକ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି । ସୀମାପାର ଅପରାଧ ଏପରିକି ଦୁଷ୍କର୍ମ, ଅସଦାଚରଣ, ଚୋରୀ, ସେନା ଅପରେସନ ପରି ମାମଲା ଗୁଡ଼ିକରେ ଯେଉଁଠି ସେନା ସ୍ଥାନୀୟ ପୋଲିସର ଆବଶ୍ୟକତା କରିଥାଏ ସେଠାରେ ଏହି ମହିଳା ଯବାନମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ ।

ଏପରିକି ଏହି ମହିଳା ଯବାନମାନେ ସୀମା ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଶରଣାର୍ଥୀ ମାନଙ୍କର ଅସୁବିଧା, ମହିଳା ମାନଙ୍କ ସର୍ଚ୍ଚ ଅପରେସନ ଏପରିକି ଜମ୍ମୁ ଓ କାଶ୍ମୀରରେ ଥିବା କେତେକ ଗ୍ରାମରେ ଏହି ଯବାନମାନେ କାର୍ଯ୍ୟ କରିବେ ।

ଭାରତୀୟ ସେନାଧ୍ୟକ୍ଷ ବିପିନ ରାୱତଙ୍କ କହିବାନୁଯାୟୀ, ଏହି ମହିଳା ଯବାନଙ୍କୁ ଯୁଦ୍ଧକ୍ଷେତ୍ରରେ ସାମିଲ କରିବାକୁ ଅବଶ୍ୟ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ ।

“ଏଥିନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ହୋଇପାରିନାହିଁ,” ବୋଲି କହିଛନ୍ତି ଭାରତୀୟ ସେନାର ମୁଖ୍ୟ ।

“ଏପର୍ଯ୍ୟନ୍ତ ଭାରତୀୟ ସେନାରେ ମହିଳାମାନେ ଅଫିସର ର‌୍ୟାଙ୍କ ପଦବୀରେ ନିଯୁକ୍ତି ହାସଲ କରିଥିଲେ, ମାତ୍ର ଯବାନଙ୍କ ନିଯୁକ୍ତି ହୋଇନଥିଲା । ତେବେ ୧୯୯୪ ମସିହାରେ ମହିଳାମାନେ ଭାରତୀୟ ସେନାରେ ପ୍ରଥମେ ନିଯୁକ୍ତି ହୋଇଥିଲେ । ଏହାର ପରବର୍ତ୍ତୀ ସମୟରେ ପୁନର୍ବାର ନିଯୁକ୍ତି ହୋଇପାରିନଥିଲା । ପ୍ରଥମଥର ଲାଗି ସେନାରେ ମହିଳାମାନେ ଯବାନ ଭାବେ ନିଯୁକ୍ତି ଲାଭ କରିପାରିବେ,” ବୋଲି କହିଛନ୍ତି ଦ କ୍ୱିଣ୍ଟରେ ସାକ୍ଷାତକାର ଦେଇ କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ତଥା ଆଇନଜୀବୀ ନବଦୀପ ସିଂହ ।

Leave A Reply

Your email address will not be published.