ନୂଆଦିଲ୍ଲୀ :ଆମେ ପ୍ରାୟତଃ ପାଣି ପିଇ ପ୍ଲାସ୍ଟିକ ବୋତଲଗୁଡ଼ିକୁ ରାସ୍ତାରେ, ପାର୍କରେ କିମ୍ବା ଏଣେତେଣେ ଭାବେ ଫୋପାଡ଼ି ଦେଉଛୁ। ଏହାପରେ ଆବର୍ଜନା ସଂଗ୍ରହକାରୀମାନେ ଏହି ଆବର୍ଜନାକୁ ଉଠାଇ ନେଇଯାଆନ୍ତି। ଏହା ଶୁଣିବାକୁ ଏକ ସାଧାରଣ କଥା ଲାଗୁଛି, କିନ୍ତୁ ଏହି ସାଧାରଣ କଥାକୁ ଏକ ଅସାଧାରଣ ଉଦ୍ୟମରେ ପରିଣତ କରିଛି ଛତିଶଗଡ଼ର ଅମ୍ବିକାପୁର ସହରରେ ଅବସ୍ଥିତ ଏକ କାଫେ। ଏହି କାଫେରେ ପ୍ଲାସ୍ଟିକ ଆବର୍ଜନା ବଦଳରେ ଲୋକମାନଙ୍କୁ ମାଗଣାରେ ପେଟଭରା ଖାଦ୍ୟ ମିଳୁଛି। ହଁ, ଏହା ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଥିବେ। ଆସନ୍ତୁ ଜାଣିବା ଏହି କାଫେର ଉଦ୍ୟମ ବିଷୟରେ।
ଏହି କାଫେ କିପରି କାମ କରୁଛି?
ଛତିଶଗଡ଼ର ଅମ୍ବିକାପୁର ସହରରେ ଅବସ୍ଥିତ ଏହି କାଫେ ‘ଗାର୍ବେଜ କାଫେ’ ନାମରେ ପ୍ରସିଦ୍ଧ। ଏହି ଉଦ୍ୟମର ଆରମ୍ଭ ଅମ୍ବିକାପୁର ମ୍ୟୁନିସିପାଲ କର୍ପୋରେସନ ଦ୍ୱାରା ୨୦୧୯ ମସିହାରେ ‘ସ୍ୱଚ୍ଛ ଭାରତ’ ଅଭିଯାନକୁ ସଫଳ କରିବା ପାଇଁ କରାଯାଇଥିଲା। ଏହି କାଫେର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ଗୃହହୀନ ଓ ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଇବା।
ବର୍ଜନା ବଦଳରେ କିପରି ମିଳୁଛି ଖାଦ୍ୟ?
୧ କିଲୋ (୧୦୦୦ ଗ୍ରାମ) ପ୍ଲାସ୍ଟିକ: ଏକ କିଲୋ ପ୍ଲାସ୍ଟିକ ଆବର୍ଜନା ଦେଲେ ପୁଷ୍ଟିକର ଓ ପେଟଭରା ଖାଦ୍ୟ (ଥାଳି) ମିଳିବ।
ଆଧା କିଲୋ (୫୦୦ ଗ୍ରାମ) ପ୍ଲାସ୍ଟିକ: ଆଧା କିଲୋ ପ୍ଲାସ୍ଟିକ ଦେଲେ ସକାଳର ଜଳଖିଆ ଯେପରିକି ବଡ଼ାପାଓ କିମ୍ବା ସମୋସା ମିଳିବ।
କାହିଁକି ଏହା ଖାସ?
ଏହି ଗାର୍ବେଜ କାଫେ ସମସ୍ତଙ୍କ ମନୋଞ୍ଜନ ହାସଲ କରୁଛି। ଏହାର ଅନୁପମ ଉଦ୍ୟମ ଏକାସାଙ୍ଗରେ ଦୁଇଟି ସମସ୍ୟାର ସମାଧାନ କରିଛି:
ପରିବେଶ ସୁରକ୍ଷା:
ଏହି କାଫେର ଏହି ପଦକ୍ଷେପ ଦ୍ୱାରା ପରିବେଶ ପ୍ରଦୂଷଣର କାରଣ ହେଉଥିବା ପ୍ଲାସ୍ଟିକ ଆବର୍ଜନାକୁ ସହଜରେ ସଂଗ୍ରହ କରାଯାଇପାରୁଛି ଏବଂ ପରେ ରିସାଇକ୍ଲିଂ ପାଇଁ ପଠାଯାଉଛି। ଏହି ଉଦ୍ୟମ ଅମ୍ବିକାପୁରରେ ଆବର୍ଜନାର ଗଦା କମ କରିବାରେ ମଧ୍ୟ ସାହାଯ୍ୟ କରିଛି ଏବଂ ପରିବେଶକୁ ସ୍ୱଚ୍ଛ ରଖିଛି।
ଭୋକ ସମସ୍ୟାର ସମାଧାନ:
ଏହି କାଫେ ଆଜି ସେହି ଲୋକମାନଙ୍କ ପାଇଁ ଏକ ଚମତ୍କାର ସମାଧାନ ହୋଇଛି, ଯେଉଁମାନେ ଗରିବୀ କାରଣରୁ ଅନେକ ଦିନ ଭୋକିଲା ପେଟରେ ଶୋଇଥାନ୍ତି ଏବଂ ଆବର୍ଜନା ସଂଗ୍ରହ କରି ଜୀବନ ନିର୍ବାହ କରିବାକୁ ଚେଷ୍ଟା କରନ୍ତି।
ଅମ୍ବିକାପୁରର ଏହି ଗାର୍ବେଜ କାଫେ ପ୍ରକୃତରେ ଏକ ନୂଆ ଚିନ୍ତାଧାରା ଓ ଜନକଲ୍ୟାଣ ପାଇଁ ଏକ ଉଲ୍ଲେଖନୀୟ ପଦକ୍ଷେପ। ଏହା ଦର୍ଶାଉଛି ଯେ ଯଦି ଇଚ୍ଛା ଦୃଢ଼ ହୁଏ, ତେବେ ରାସ୍ତା ନିଜେ ନିଜେ ତିଆରି ହୋଇଯାଏ।
Comments are closed.