Latest Odisha News

ଇଣ୍ଡିଆନ ଓପନ ପାରା ଆଥଲେଟ: ଜୟନ୍ତୀ ଜିତିଲେ ହ୍ୟାଟ୍ରିକ ସ୍ୱର୍ଣ୍ଣ

ବେଙ୍ଗାଲୁରୁ: ଚଳିତ ୫ମ ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଆନ୍ତର୍ଜାତୀୟ ଚାମ୍ପିୟନଶିପରେ ଓଡିଶାର ଜୟନ୍ତୀ ବେହେରାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ୨୦୦ ମିଟରରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ତାଙ୍କର ହ୍ୟାଟ୍ରିକ ସ୍ୱର୍ଣ୍ଣ । ୨୩ ବର୍ଷୀୟା ଏହି ଆଥଲେଟ ଶ୍ରୀଲଙ୍କାର ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ୨୬.୭୭ ସେକେଣ୍ଡରେ ତାଙ୍କ ରେସ ସମ୍ପୂର୍ଣ୍ଣ କରିଥିଲେ । କାମୁଡିକା ଡୟାନି ଓ ଜନନୀ ଧନଞ୍ଜନ ଯଥାକ୍ରମେ ୨୭.୬୮ ଓ ୨୮.୨୬ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ । ଜୟନ୍ତୀ ଏହା ପୂର୍ବରୁ ୧୦୦ ଓ ୪୦୦ ମିଟର ଇଭେଂଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

୨୦୨୧ ଓ ୨୦୨୨ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ ମଧ୍ୟ ସେ ୩ଟି ଲେଖାଁଏ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୨୨ରେ ଭୁବନେଶ୍ୱରରେ ଅନୁଷ୍ଠିତ ଚାମ୍ପିୟନଶିପରେ ତାଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ସେ ଶ୍ରେଷ୍ଠ ମହିଳା ଆଥଲେଟ ବିବେଚିତ ହୋଇଥିଲେ । ସୂଚନାଯୋଗ୍ୟ, ଜୟନ୍ତୀ ୱାର୍ଲ୍ଡ ୟୁଥ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଥିଲେ ।

Comments are closed.