Latest Odisha News

BREAKING NEWS

ସମାନ ଦୂରତା ପାଇଁ ଦୁଇଟି ଭିନ୍ନ ଭିନ୍ନ ଭଡ଼ା, ରେଲଓ୍ବେ ଯାତ୍ରୀଙ୍କ ପକେଟ ଉପରେ ପଡ଼ୁଛି ବୋଝ

ଭଦ୍ରକ: ଖଡଗପୁର ଓ ଭଦ୍ରକ ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନେ ଏକ ଅଜବ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଯେଉଁଠି ସେମାନେ ଯାତ୍ରା କରୁଥିବା ଦିଗ ଅନୁସାରେ ସମାନ ଦୂରତା ପାଇଁ ଅଲଗା ଅଲଗା ଭଡା ନେଉଛି ରେଲଓ୍ବେ। ଖଡ଼ଗପୁର-ଭଦ୍ରକ ପାସେଞ୍ଜର ସ୍ପେଶାଲ ଟ୍ରେନରେ ଯାତ୍ରା କରିବା ବେଳେ ଯାତ୍ରୀଙ୍କୁ ଏହି ଅସୁବିଧାର ସାମ୍ନା କରିବାକୁ ପଡ଼ିଛି। ଯାହା ଉଭୟ ଦକ୍ଷିଣ ପୂର୍ବ ରେଳପଥ (ଏସ୍ଇଆର୍) ଏବଂ ପୂର୍ବତଟ ରେଳପଥ (ଊଈତ୍ତR) ଅଧୀନରେ ଚଳାଚଳ କରିଥାଏ।

ଏବେ ଖଡଗପୁରରୁ ଭଦ୍ରକ ଯାଉଥିବା ଯାତ୍ରୀମାନେ ୧୮୧ କିଲୋମିଟର ଯାତ୍ରା ପାଇଁ ୪୦ ଟଙ୍କା ଦେଇଥାନ୍ତି। ତେବେ ଭଦ୍ରକରୁ ଖଡଗପୁର ଯାଉଥିବା ବିପରୀତ ଦିଗରୁ ଯାଉଥିବା ଯାତ୍ରୀଙ୍କଠାରୁ ୭୫ଟଙ୍କା ଆଦାୟ ହେଉଛି, ଯାହା ପ୍ରାୟ ଦୁଇଗୁଣା। ଏହି ଅନିୟମିତତା ଗତ ଦୁଇ ବର୍ଷ ଧରି ଯାତ୍ରୀମାନଙ୍କ ମଧ୍ୟରେ ଅସୁବିଧା ଓ ହତାଶା ସୃଷ୍ଟି କରୁଛି।

ଏ ନେଇ ଯାତ୍ରୀ ଓ ଯାତ୍ରୀ ସଙ୍ଘ ପକ୍ଷରୁ ବାରମ୍ବାର ରେଳ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏହି ବୈଷମ୍ୟକୁ ଦୂର କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ସମାନ ଦୂରତା ପାଇଁ ଦୁଇଟି ଅଲଗା ଅଲଗା ଭଡା ଏବେ କେଉଁ ଆଧାରରେ ହେଉଛି ତାକୁ ନେଇ ବିତର୍କ ତେଜିଛି। ଏ ନେଇ ଆମେ ମାସ ମାସ ଧରି ଅଭିଯୋଗ କରି ଆସୁଥିଲେ ମଧ୍ୟ ରେଳବାଇ ଆମ ଚିନ୍ତାକୁ ଖାତିର ନକରି ଚୁପ୍ ବସିଛି ବୋଲି ଜଳେଶ୍ୱର ରେଳ ଯାତ୍ରୀ କମିଟିର ସଭାପତି ସୁକୁମାର ରଣା କହିଛନ୍ତି।

ଏହି ସମସ୍ୟାର ମୂଳରେ ରହିଛି ରେଳ ଜୋନ୍ଗୁଡ଼ିକ ଦ୍ୱାରା ଲାଗୁ କରାଯାଇଥିବା କୋଭିଡ୍ ପରବର୍ତ୍ତୀ ଭଡ଼ା ସଂଶୋଧନ। ମହାମାରୀ ପରେ ଦକ୍ଷିଣ ପୂର୍ବ ରେଳପଥ ଭଡାରେ ସୁଧାର ଆଣିଥିବା ବେଳେ ପୂର୍ବତଟ ରେଳପଥ ଭଡା ଦେବାରେ ବୋଧହୁଏ ବିଫଳ ହୋଇଥିବାରୁ ବର୍ତ୍ତମାନର ସ୍ଥିତି ଉପୁଜିଛି।

ଏସଇଆର ଅଧିକାରୀମାନେ ଏହି ସମସ୍ୟାକୁ ସ୍ୱୀକାର କରିବା ସହ ପୂର୍ବତଟ ରେଳପଥର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି। କୋଭିଡ୍ ପରେ ଆମେ ଆମର ଭଡ଼ା ସଂଶୋଧନ କରିଥିଲୁ, କିନ୍ତୁ ପର୍ବତଟ ରେଳପଥ ତାହା କରି ନାହିଁ। ଯେଉଁଥିପାଇଁ ଏହି ଅସଙ୍ଗତି ରହିଛି ବୋଲି ଏସଇଆରର ଜଣେ ଅଧିକାରୀ କହିଛନ୍ତି।

ତେବେ ପୂର୍ବତଟ ରେଳପଥର ଜଣେ ଅଧିକାରୀ ଦାବି କରିଛନ୍ତି ଯେ ଏହି ମାମଲା ବିଚାରାଧୀନ ରହିଛି। ଯାତ୍ରୀଙ୍କ ଅଭିଯୋଗ ଆଧାରରେ ଏହି ସମସ୍ୟାର ସମାଧାନ ପାଇଁ ଆମେ ରେଳବାଇ ବୋର୍ଡକୁ ପ୍ରସ୍ତାବ ଦେଇଛୁ। ସେମାନଙ୍କ ପ୍ରତିକ୍ରିୟାକୁ ଆମେ ଅପେକ୍ଷା କରିଛୁ।

ଦୁଇ ରେଳ ଜୋନ୍ ମଧ୍ୟରେ ଲାଗିରହିଥିବା ବିବାଦ ଯାତ୍ରୀଙ୍କ ପକେଟ ଉପରେ ପ୍ରଭାବ ପକାଇଛି।

Leave A Reply

Your email address will not be published.