Latest Odisha News

ପ୍ରେମ ପାଇଁ ରାଜସ୍ଥାନରୁ ପାକିସ୍ଥାନ; ମିଛ କହି ଯାଇଥିବା ଅଭିଯୋଗ କଲେ ସ୍ଵାମୀ

୪ଦିନ ପୂର୍ବରୁ ମତେ ସାଙ୍ଗମାନଙ୍କ ସହ ଜୟପୁର ବୁଲିବାକୁ ଯାଇଛୁ ବୋଲି କହି ଘରୁ ବାହାରିଥିଲେ ଅଞ୍ଜୁ: ମହିଳାଙ୍କ ସ୍ଵାମୀ

ଜୟପୁର: ପ୍ରେମ ପାଇଁ ସୀମା ପାର୍ । ପ୍ରେମିକକୁ ଭେଟିବାକୁ ସରହଦ ଡେଇଁ ପାକିସ୍ତାନରେ ପହଞ୍ଚିଛନ୍ତି ରାଜସ୍ଥାନର ମହିଳା । ଜୟପୁର ଯିବା ନାଁରେ ଘରୁ ବାହାରିଥିବା ବେଳେ ଏବେ ସେ ପାକିସ୍ତାନରେ । ଫେସବୁକରେ ପ୍ରେମ ପରେ ପାକିସ୍ତାନ ଖୈବର ପଙ୍ଖତୁନଖ୍ଵାର ଯୁବକଙ୍କୁ ଭେଟିବାକୁ ସୀମା ପାର ହୋଇ ଯାଇଛନ୍ତି ଭିୱାଡ଼ି ଜିଲ୍ଲାର ଅଞ୍ଜୁ । ସେ ସ୍ଵାମୀ ଅରବିନ୍ଦ ଓ ପିଲାଙ୍କ ସହ ଭିୱାଡ଼ିରେ ଭଡ଼ା ଘରେ ରହୁଥିଲେ ।

୨୦୦୫ ମସିହାରୁ ଏକ କମ୍ପାନୀରରେ ଚାକିରି କରୁଥିବା ଅଞ୍ଜୁ ୨୦୦୭ ମସିହାରେ ଅରବିନ୍ଦ ନାମକ ଯୁବକଙ୍କୁ ବିବାହ କରିଥିଲ। ଉଭୟଙ୍କ ବିବାହକୁ ଇତି ମଧ୍ୟରେ ୧୬ ବର୍ଷ ଅତିକ୍ରମ କରି ସାରିଲାଣି। ତାଙ୍କର ଏକ ୧୫ ବର୍ଷୀୟା ଝିଅ ଓ ୫ ବର୍ଷୀୟ ପୁଅ ମଧ୍ୟ ଅଛି । ଏହାରି ଭିତରେ ଫେସବୁକରେ ତାଙ୍କର ପାକିସ୍ଥାନର ନସରୁଲ୍ଲାହ ନାମକ ଏକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଡ଼ି ଉଠିଥିଲା । ଆଉ ଏବେ ନିଜ ଜୀବନରେ କେବେ ବି ଏକୁଟିଆ କୁଆଡ଼େ ଯାଇ ନ ଥିବା ଅଞ୍ଜୁ ପ୍ରେମ ପାଇଁ ରାଜସ୍ଥାନରୁ ସୁଦୁର ପାକିସ୍ଥାନରେ ଯାଇ ପହଞ୍ଚିଛନ୍ତି । ପ୍ରେମୀ ନସରୁଲ୍ଲାହଙ୍କ ସହ ଏବେ ଅଞ୍ଜୁ ପାକିସ୍ତାନର ଖୈବର ପଙ୍ଖତୁନଖ୍ଵାରେ ରହିଥିବା ଜଣାପଡ଼ିଛି ।

ଅଞ୍ଜୁ ପାକିସ୍ତାନ ଯିବା ପାଇଁ ଗତ ମେ ୪ ତରିଖରୁ ଭିସା ଜାରି କରିଥିଲେ । ଏହି ଭିସାର ଅବଧି ୯୦ ଦିନ ରହିଛି । ସେ ୱାଘା ବୋର୍ଡର ଦେଇ ପାକିସ୍ତାନରେ ପ୍ରବେଶ କରିଥିବା ଜଣା ପଡ଼ିଛି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅଞ୍ଜୁଙ୍କ ସ୍ଵାମୀ । କୌଣସି ବନ୍ଧୁଙ୍କୁ ଭେଟିବା ପାଇଁ ସେ ଜୟପୁର ଯାଉଛନ୍ତି ବୋଲି କହି ସୀମା ଅତିକ୍ରମ କରି ପାକିସ୍ତାନୀ ପ୍ରେମିକଙ୍କ ପାଖକୁ ପଳାଇଛନ୍ତି ବୋଲି କହିଛନ୍ତି ଅଞ୍ଜୁଙ୍କ ସ୍ଵାମୀ । ତେବେ ପାକିସ୍ତାନରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଡକୁମେଣ୍ଟ ଯାଞ୍ଚ ସରିବା ପରେ ଅଞ୍ଜୁଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।

Comments are closed.