ଭୁବନେଶ୍ୱର: ଭାରତୀୟମାନଙ୍କ ଖାଦ୍ୟାଭାସରେ ଦ୍ରୁତ ପରିବର୍ତ୍ତନ ଆସୁଛି । ପୂର୍ବ ଭଳି କେବଳ ଗହମ, ଚାଉଳ କିମ୍ବା ଡାଲିରେ ସୀମିତ ନ ରହି ଏବେ ଲୋକମାନେ ପ୍ୟାକେଟ୍ ଜିନିଷ, ଚିପ୍ସ, ବିସ୍କୁଟ, ନମକୀନ ଏବଂ ରେଡମେଡ୍ ଫୁଡ୍ (ପ୍ରୋସେସଡ୍ ଫୁଡ୍) ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି । ଡାଟା ଫର ଇଣ୍ଡିଆର ଏକ ନୂତନ ରିପୋର୍ଟରୁ ଏହି ରୋଚକ ତଥ୍ୟ ସାମ୍ନାକୁ ଆସିଛି । ୧୯୮୦ ଦଶକର ଶେଷ ଭାଗଟୁଳନାରେ ଆଜି ପ୍ରୋସେସଡ୍ ଫୁଡ୍ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥର ପରିମାଣ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି । ବର୍ତ୍ତମାନ ଭାରତୀୟ ପରିବାରଗୁଡ଼ିକ ସେମାନଙ୍କ ମୋଟ ଘରୋଇ ବଜେଟ୍ର ପ୍ରାୟ ୧୦ ପ୍ରତିଶତ କେବଳ ଏହି ପ୍ରୋସେସଡ୍ ଓ ପ୍ୟାକେଡ୍ ଖାଦ୍ୟ ପାଇଁ ଖର୍ଚ୍ଚ କରୁଛନ୍ତି ।
ଏହି ଧାରା କେବଳ ସହରୀ କିମ୍ବା ଧନୀ ପରିବାର ମଧ୍ୟରେ ସୀମିତ ନାହିଁ, ବରଂ କମ୍ ଆୟ କରୁଥିବା ଗରୀବ ପରିବାରଗୁଡ଼ିକ ମଧ୍ୟ ଖାଦ୍ୟ ବଜେଟ୍ର ଏକ ବଡ଼ ଅଂଶ ଏଥିରେ ବ୍ୟୟ କରୁଛନ୍ତି । ସରକାରଙ୍କ ପକ୍ଷରୁ ଗରୀବ ପରିବାରକୁ ମାଗଣା ବା ସସ୍ତା ଗହମ, ଚାଉଳ ମିଳୁଥିବାରୁ ଲୋକଙ୍କୁ ନିଜ ପକେଟରୁ ପୂର୍ବ ଭଳି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁନାହିଁ । ବିଶେଷଜ୍ଞମାନଙ୍କ ମତରେ, ପ୍ରତିଦିନ ଅଧିକ ଲୁଣ, ଚିନି ଏବଂ କ୍ଷତିକାରକ ଚର୍ବିଯୁକ୍ତ ପ୍ୟାକେଟ୍ ସ୍ନାକ୍ସ କିମ୍ବା ତେଲିଆ ଜିନିଷ ଖାଇବା ଦ୍ୱାରା ଶରୀରରେ ଜରୁରୀ ପୋଷକ ତତ୍ତ୍ୱର ଅଭାବ ଦେଖାଯାଉଛି, ଯାହା ଭବିଷ୍ୟତରେ ସ୍ୱାସ୍ଥ୍ୟ ପାଇଁ ଚିନ୍ତାର କାରଣ ପାଲଟିପାରେ ।
