Latest Odisha News

BREAKING NEWS

୨୦୨୩ରେ କ୍ରୀଡା: ଅଳ୍ପକେ ହାତଛଡା ହୋଇଗଲା ବିଶ୍ୱକପ କ୍ରିକେଟ

କ୍ରୀଡାରେ ସଫଳତା ଓ ବିଫଳତା ନୂତନ ଫର୍ଦ୍ଦ ଯୋଡିବା ପରେ ୨୦୨୩ ପାଦ କାଢ଼ିଲାଣି ଯିବାକୁ… । ଆଉ କିଛି ଦିନ ପରେ ସ୍ୱପ୍ନ ଅସୁମାରୀ ନେଇ ଆସିବ ୨୦୨୪ । ୨୦୨୩ରେ ଭାରତୀୟ କ୍ରୀଡା ଅନେକ ସଫଳତା ଆଣିଥିଲେ ମଧ୍ୟ ବିଶ୍ୱକପ କ୍ରିକେଟ ଜିତିନ ପାରିବା ପ୍ରଶଂସକଙ୍କୁ ବେଶ ବାଧିଥିଲା । ଆସନ୍ତୁ ନଜର ପକାଇବା ୨୦୨୩ କ୍ରୀଡା ଫର୍ଦ୍ଦ ଉପରେ.. ।ଦିନିକିଆ ବିଶ୍ୱକପ କ୍ରିକେଟ: ଭାରତ ଘରୋଇ ପରିବେଶରେ ବିଶ୍ୱକପ ଜିତିବ ବୋଲି ପ୍ରଶଂସକ ଆଶା ବାନ୍ଧିଥିଲେ । ଚମତ୍କାର ପ୍ରଦର୍ଶନ କରି ଭାରତ ଅପରାଜେୟ ରହି ଫାଇନାଲରେ ପ୍ରବେଶ କରିଥିଲା । ମାତ୍ର ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତ ହାରି ଯାଇଥିଲା । ରୋହିତ ଶର୍ମା, ବିରାଟ କୋହଲିଙ୍କ ସମେତ ଭାରତର ସମସ୍ତ କ୍ରିକେଟପ୍ରେମୀଙ୍କ ଆଖି ଲୁହରେ ଭରି ଯାଇଥିଲା । ଟ୍ରେଭିସ ହେଡ ଭାରତୀୟଙ୍କ ମୁଣ୍ଡ ବିନ୍ଧାଇଥିଲେ ।

ଏସିଆନ ଗେମ୍ସରେ ୧୦୦ ପାର ପାଦକ, କିଶୋରଙ୍କ କମାଲ: ଏସିଆନ ଗେମ୍ସରେ ଭାରତ ପ୍ରଥମ ଥର ୧୦୦ରୁ ଅଧିକ ପଦକ ହାସଲ କରିଥିଲା । ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ ସହ ଭାରତ ୧୦୭ ପଦକ ଜିତି ୪ର୍ଥ ସ୍ଥାନରେ ରହିଥିଲା । ପୁରୁଷ ଜାଭେଲିନରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ଏବଂ ଓଡିଆ ପୁଅ କିଶୋର ଜେନା ରୌପ୍ୟ ଜିତି ଇତିହାସ ରଚିଥିଲେ । କିଶୋର ୮୭.୫୪ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରିଥିଲେ । ସେ ବିଶ୍ୱଚାମ୍ପିୟନଶିପରେ ମଧ୍ୟ ଛାପ ଛାଡିଥିଲେ । ଏଥିରେ ନୀରଜ ସ୍ୱର୍ଣ୍ଣ ଜିତିଥିଲେ । ୪୦ ବର୍ଷ ପରେ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପରେ ସେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ହାସଲ କରିଥିଲେ ।ହକି ବିଶ୍ୱକପ: ଓଡିଶା ଦ୍ୱିତୀୟ ଥର ପାଇଁ ସଫଳତାର ସହ ହକି ବିଶ୍ୱକପ ଆୟୋଜନ କରିଥିଲା । ୨୦୧୮ରେ ଏହା କେବଳ ଭୁବନେଶ୍ୱରରେ ଖେଳା ଯାଇଥିଲା । ୨୦୨୩ରେ ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ଓ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏହାର ଆୟୋଜନ କରାଯାଇଥିଲା । ବେଲଜିୟମକୁ ହରାଇ ଜର୍ମାନୀ ଟାଇଟଲ ହାସଲ କରିଥିଲା । ଆୟୋଜକ ଭାରତ ଓଭରାଲ ଷଷ୍ଠ ସ୍ଥାନରେ ରହିଥିଲା । ବିର୍ସାମୁଣ୍ଡା ଷ୍ଟାଡିୟମ ସର୍ବବୃହତ ହକି ଷ୍ଟାଡିୟମ ଭାବେ ଗିଜନ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା ।ଚେନ୍ନାଇକୁ ଷଷ୍ଠ ଟାଇଟଲ: ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ଷଷ୍ଠ ଥର ପାଇଁ ଟାଇଟଲ ହାସଲ କରିଥିଲା । ରୋମାଂଚକ ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଚେନ୍ନାଇ ହରାଇଥିଲା ।
ଡବ୍ଲ୍ୟୁଟିସି ଫାଇନାଲରେ ହାରିଲା ଭାରତ: ୨୦୨୧ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଫାଇନାଲରେ ହାରିଥିବା ଭାରତ ଏଥର ମଧ୍ୟ ନିରାଶ କରିଥିଲା । ଟାଇଟଲ ମୁକାବିଲାରେ ଭାରତକୁ ୨୦୯ ରନରେ ଅଷ୍ଟ୍ରେଲିଆ ହରାଇଥିଲା ।ଦୂତିଙ୍କ ନାମରେ ଡୋପ କଳଙ୍କ: ଓଡିଶାର ଷ୍ଟାର ମହିଳା ଆଥଲେଟ ଦୂତି ଚାନ୍ଦ ଡୋପ ଟେଷ୍ଟରେ ବିଫଳ ହୋଇଥିଲେ । ସେ ଏଥିପାଇଁ ୪ ବର୍ଷ ବାସନ୍ଦ ହୋଇଛନ୍ତି । ସେ ଏବେ କୌଣସି ଜାତୀୟ ଓ ଆନ୍ତର୍ଜାତୀୟ ଇଭେଂଟରେ ଭାଗ ନେଇପାରିବେ ନାହିଁ । ଡିସେମ୍ବର ୫ରେ ତାଙ୍କ ଡୋପ ନମୂନା ସଂଗ୍ରହ କରାଯାଇଥିଲା । ଏଥିରେ ଏସଆରଏମଏସର ମାତ୍ରା ମିଳିଥିଲା । ଦୂତିଙ୍କ ସମସ୍ତ ପଦକକୁ ନାଡା ଖାରଜ କରିଛି ।ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି: ଚଳିତ ବର୍ଷ ବିରାଟ କୋହଲି ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ ଶତକକୁ ପାର କରି ଏହି ସଫଳତା ହାସଲ କରିଛନ୍ତି ।
ଷ୍ଟାର୍କ ହେଲେ ଦାମୀ ଖେଳାଳି: ଚଳିତ ବର୍ଷ ଶେଷ ଭାଗରେ ଆୟୋଜିତ ଆଇପିଏଲ ନିଲାମରେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟିରେ କିଣିଥିଲା । ସେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ପାଲଟିଛନ୍ତି ।

Comments are closed.