ନୂଆଦିଲ୍ଲୀ: ଭାରତ ହେଉ କିମ୍ବା ଆନ୍ତର୍ଜାତୀୟ ବଜାର ହେଉ ସବୁଠାରେ ସୁନାର ମୂଲ୍ୟ ଆକାଶ ଛୁଆଁ ହୋଇସାରିଛି। ତେବେ ଆନ୍ତର୍ଜାତିକ ସ୍ତରରେ ସୁନା ମୂଲ୍ୟ ବର୍ତ୍ତମାନ ପ୍ରତି ଆଉନ୍ସ ୪୫୦୦ ଡଲାର ଅତିକ୍ରମ କରିସାରିଛି। ବର୍ତ୍ତମାନ ଭାରତୀୟ ପରିବାରରେ ମୋଟ $୫ ଟ୍ରିଲିୟନ ମୂଲ୍ୟର ସୁନା ଗଚ୍ଛିତ ହୋଇରହିଥିବା ଜଣାପଡ଼ିଛି। ଯାହାକି ଭାରତର ସମଗ୍ର ମୋଟ ଘରୋଇ ଉତ୍ପାଦ (ଜିଡିପି) ଠାରୁ ମଧ୍ୟ ଅଧିକ ଅଟେ।
ତେବେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଅନୁଯାୟୀ, ଭାରତର ଜିଡିପି ପ୍ରାୟ $୪.୧ ଟ୍ରିଲିୟନ ଅଟେ। ଏନେଇ ଇନଫୋମେଟ୍ରିକ୍ସ ମୂଲ୍ୟାଙ୍କନ ଏବଂ ରେଟିଂସର ମୁଖ୍ୟ ଅର୍ଥନୀତିଜ୍ଞ ଡକ୍ଟର ମନୋରଞ୍ଜନ ଶର୍ମା କହିଛନ୍ତି ଯେ ଜିଡିପି ଏକ ପ୍ରବାହ ପରିବର୍ତ୍ତନଶୀଳ ଏବଂ ସୁନା ଭଣ୍ଡାର ଏକ ଷ୍ଟକ୍।
ଗତ ବର୍ଷ ଅକ୍ଟୋବରରେ ଭାରତୀୟ ପରିବାରରେ ପ୍ରାୟ ୩୪୬୦୦ ଟନ୍ ସୁନା ଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି।ଭାରତୀୟ ପରିବାରରେ ଏତେ ବିପୁଳ ପରିମାଣରେ ସୁନା ରହିବା କେବଳ ଆଶ୍ଚର୍ଯ୍ୟଜନକ ନୁହେଁ ବରଂ ଆମକୁ ଏ ଦିଗରେ ଅଧିକ ଚିନ୍ତା କରିବା ମଧ୍ୟ ଆବଶ୍ୟକ ଅଟେ ବୋଲି ସେ କହିଛନ୍ତି। ଏଥିସହିତ ଭାରତୀୟ ଅର୍ଥନୀତିରେ ସୁନାର ଏପରି ଚାହିଦା ସାଂସ୍କୃତିକ, ଆର୍ଥିକ ଏବଂ ମାନସିକ ଗୁରୁତ୍ୱକୁ ମଧ୍ୟ ଦର୍ଶାଇ ଥାଏ ବୋଲି ସେ କହିଛନ୍ତି।
ଗତ ୧୫ ବର୍ଷ ମଧ୍ୟରେ ତିନୋଟି ପ୍ରମୁଖ ସୁନା ବୃଦ୍ଧିକୁ ବିଶ୍ଳେଷଣ କରି ଫାର୍ମ ଏମ୍କେ ଗ୍ଲୋବାଲ୍ କହିଛି ଯେ ସୁନା ବ୍ୟବହାର ଉପରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିନାହିଁ। ତେବେ ଲୋକମାନେ ସୁନାକୁ ବ୍ୟବହାର କରିବା ସହ ଏହାକୁ ଏକ ଦୀର୍ଘକାଳୀନ ସମ୍ପତ୍ତି ଭାବରେ ବିବେଚନା କରିଥାନ୍ତି।
ସୁନା ଭଣ୍ଡାରର ୭୫-୮୦ ପ୍ରତିଶତ ଅଳଙ୍କାର ଆକାରରେ ଅଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତ ବିଶ୍ଵ ଚାହିଦାର ପ୍ରାୟ ହାରାହାରି ୨୩% ଥିବାବେଳେ ବର୍ତ୍ତମାନ ଭାରତ ସୁନାର ଦ୍ୱିତୀୟ ସର୍ବବୃହତ ଗ୍ରାହକ ଭାବରେ ପରିଚିତ ହୋଇସାରିଛି। ଏହି ଚାହିଦାର ପ୍ରାୟ ୨୬% ଥିବା ନେଇ ଜଣାପଡ଼ିଛି। ଏଥିରେ ପ୍ରଥମ ସ୍ଥାନ ଚୀନ୍ ପାଖରେ ରହିଛି ଯାହାକି ବିଶ୍ଵ ଚାହିଦାର ୨୮% ଅଟେ।
ତେବେ ସୁନା ଅଳଙ୍କାରର ସର୍ବାଧିକ ଚାହିଦା ରହିଥିବା ବେଳେ ଗତ ପାଞ୍ଚ ବର୍ଷ ମଧ୍ୟରେ ମୁଦ୍ରା ଏବଂ ବିସ୍କୁଟ ଆକାରରେ ସୁନାରେ ଖୁଚୁରା ନିବେଶର ଅଂଶ ବୃଦ୍ଧି ପାଇଛି। ଜୁନ୍ ୨୦୨୦ରେ ଏହା ୨୩.୯% ଥିବାବେଳେ ଜୁନ୍ ୨୦୨୫ ସୁଦ୍ଧା ଏହା ୩୨%କୁ ବୃଦ୍ଧି ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମଧ୍ୟ ସୁନା ବୃଦ୍ଧିରେ ସାମିଲ ହୋଇଛି। ମୋର୍ଗାନ୍ ଷ୍ଟାନଲିଙ୍କ ଅନୁଯାୟୀ, କେନ୍ଦ୍ରୀୟ ବ୍ୟାଙ୍କ ୨୦୨୪ ମସିହାରୁ ପ୍ରାୟ ୭୫ ଟନ୍ ସୁନା କିଣିଛି। ଯାହା ଫଳରେ ଏହାର ମୋଟ ଭଣ୍ଡାର ୮୮୦ ଟନରେ ପହଞ୍ଚିଛି। ଏହା ଭାରତର ମୋଟ ବୈଦେଶିକ ମୁଦ୍ରା ଭଣ୍ଡାରର ପ୍ରାୟ ୧୪% ଥିବା ନେଇ ଜଣାପଡ଼ିଛି।