Latest Odisha News

BREAKING NEWS

ନୂଆ ନ୍ୟାୟ ସଂହିତାରେ କ’ଣ ନୂଆ ?

ନୂଆଦିଲ୍ଲୀ: ସାରା ଦେଶରେ ଲାଗୁ ହୋଇଛି ନୂଆ ଭାରତୀୟ ନ୍ୟାୟ ସଂହିତା । ନୂଆ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରେ ଓଡିଶାରେ ରୁଜୁ ହୋଇଛି ପ୍ରଥମ ଏତଲା । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଏକ ହତ୍ୟା ଅଭିଯୋଗରେ ନୂଆ ଆଇନ ଅନୁସାରେ ରୁଜୁ ହୋଇଛି ମାମଲା । ଚିନ୍ତାମଣିଶ୍ୱର ମନ୍ଦିର ଅଂଚଳର ଗୌରାଙ୍ଗ ଚରଣ ଦାସଙ୍କୁ ମରଣାନ୍ତକ ଆକ୍ରମଣ ନେଇ ତାଙ୍କୁ ପୁଅ ଏତଲା ଦାୟର କରିଛନ୍ତି । ଆଜି ସକାଳେ ଗୌରାଙ୍ଗ ଚରଣଙ୍କ ପୁଅ ଥାନାରେ ଏତଲା ଦାୟର କରିଛନ୍ତି। ଥାନାରେ ଅଭିଯୋଗ ନକରିବାକୁ ମଧ୍ୟ ଅଭିଯୁକ୍ତମାନେ ଧମକ ଦେଇଥିବା ଗୌରାଙ୍ଗଙ୍କ ପୁଅ କହିଛନ୍ତି। ଆଜି ସକାଳେ ସେ ଲକ୍ଷ୍ମୀସାଗର ଥାନାରେ ଏତଲା ଦାୟର କରିଥିଲେ। ଏହାପରେ ଆଜିଠୁ ଲାଗୁ ହୋଇଥିବା ଭାରତୀୟ ନ୍ୟାୟ ସଂହିତା ୨୦୨୩ର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ ।

ଓଡିଶାରେ ନୂଆ ନ୍ୟାୟ ସଂହିତା ସଂପର୍କରେ ଭଲଭାବେ ଅବଗତ ପାଇଁ ପୋଲିସ ଅଧିକାରୀଙ୍କୁ ୩୦ଟି ସର୍କ୍ୟୁଲାର ଓ ଏସଓପି ପର୍ଯ୍ୟାୟ କ୍ରମେ ଜାରି କରାଯାଇଥିଲା ବୋଲି ପୂର୍ବରୁ ସୂଚନା ଦେଇଥିଲେ ଓଡିଶା ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ । ବ୍ରିଟିଶ ଅମଳରୁ ଚଳିଆସୁଥିବା ଇଣ୍ଡିଆନ ପେନାଲ କୋଡ୍‌-ଆଇପିସି, କୋଡ୍ ଅଫ୍ କ୍ରିମିନାଲ ପ୍ରସର ବା ସିଆରପିସିି ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ମଧ୍ୟରାତିରୁ ଅଚଳ ହେବା ସହ ଏସବୁର ସ୍ଥାନ ନେଇଛି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ। ଫୌଜଦାରୀ ନ୍ୟାୟ ପ୍ରଣାଳୀରେ ବ୍ୟାପକ ପରିବର୍ତ୍ତନ ସହ ଭାରତୀୟ ଦଣ୍ଡବିଧି ଆଇନରେ ଅଣାଯାଇଛି ବ୍ୟାପକ ସଂସ୍କାର । ଏଥିରେ ପୀଡିତଙ୍କୁ ସର୍ବାଧିକ ୩ ବର୍ଷ ମଧ୍ୟରେ ନ୍ୟାୟ ମିଳିବା ବ୍ୟବସ୍ଥା କରାଯାଇଥିବା ବେଳେ ଅନେକ ଅନାବଶ୍ୟକ ଧାରା ବାଦ୍ ଦିଆଯାଇଛି । ସ୍ଥାନ ପାଇଛି କିଛି ଗୁରୁତ୍ୱପୂର୍ଣ୍ଣ ନୂଆ ଧାରା ।

ନୂଆ ଆଇନ ଅନୁସାରେ ଅପରାଧ ସଂଘଟିତ ହୋଇଥିବା ସ୍ଥାନରେ ସାକ୍ଷ୍ୟ ପ୍ରମାଣ ସଂଗ୍ରହ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯିବ। ପ୍ରମାଣ ନଷ୍ଟ ଯେପରି ନହେବ, ସେଥିପାଇଁ ଭିଡିଓଗ୍ରାଫିର ବ୍ୟବସ୍ଥା କରାଯାଇଛି। ଦୁଷ୍କର୍ମ କ୍ଷେତ୍ରରେ ଅଭିଯୋଗ ଗ୍ରହଣ କରିବାର ୨୪ ଘଂଟା ମଧ୍ୟରେ ପୀଡିତାଙ୍କ ଡାକ୍ତରୀ ମାଇନା କରିବା ବାଧ୍ୟତାମୂଳକ। ଭାରତୀୟ ନ୍ୟାୟ ସଂହିତାରେ ୩୫୮ଟି ନୂଆ ଧାରା ରହିଛି । ନୂଆ ବ୍ୟବସ୍ଥା ଅନୁସାରେ ଶୁଣାଣି ଶେଷ ହେଲା ପରେ ୪୫ ଦିନ ମଧ୍ୟରେ ରାୟ ପ୍ରକାଶ ପାଇବ। ଦୁଷ୍କର୍ମ ପୀଡିତାଙ୍କ ବୟାନ ମହିଳା ପୋଲିସ ରେକର୍ଡ କରିବେ ଓ ଅଭିଭାବକଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯିବ। ୭ ଦିନ ମଧ୍ୟରେ ମେଡିକାଲ ରିପୋର୍ଟ ପ୍ରଦାନ କରାଯିବ। ନୂଆ ବ୍ୟବସ୍ଥାରେ ସାଂଗଠନିକ ଅପରାଧ ଓ ଆତଙ୍କବାଦର ସଂଜ୍ଞାରେ ପରିବର୍ତ୍ତନ କରାଯାଇଛି। ଅଭିଯୋଗକାରୀ ବ୍ୟକ୍ତିଗତ ଭାବେ ହାଜର ନହୋଇ ଅନଲାଇନ୍ ମାଧ୍ୟମରେ ବି ଏତଲା ଦାୟର କରିପାରିବେ । ତେବେ, ଆଗରୁ ରୁଜୁ ହୋଇଥିବା ମାମଲାଗୁଡିକ ପୁରୁଣା ଆଇନ୍ ଅନୁସାରେ ହିଁ ଚାଲିବ ।

ଫୌଜଦାରୀ ନ୍ୟାୟ ପ୍ରଣାଳୀରେ ପରିବର୍ତ୍ତନ ଯଥାର୍ଥନା ନେଇ ଯୁକ୍ତି ବାଢିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ମାନ୍ଧାତା ଅମଳର ଆଇନ୍ ବ୍ୟବସ୍ଥା ଯୋଗୁଁ ନ୍ୟାୟ ପ୍ରଦାନ ବିଳମ୍ବିତ ହେଉଥିଲା। ଏବେ ନୂଆ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବା ଦ୍ୱାରା ସ୍ଥିତିରେ ପରିବର୍ତ୍ତନ ଆସିବ ଓ ନ୍ୟାୟ ପ୍ରଦାନ ତ୍ୱରିତ ହେବ । କଂଗ୍ରେସ ଓ ଟିଏମସି ପରି ବିରୋଧୀ ଦଳ କିନ୍ତୁ ଭାରତୀୟ ନ୍ୟାୟ ସଂହିତାକୁ ବିରୋଧ କରିଛନ୍ତି। ସଂସଦରେ ଉପଯୁକ୍ତ ବିଚାରବିମର୍ଷ ନକରି ମୋଦି ସରକାର ଏହାକୁ ତରବରିଆ ଭାବେ ଲାଗୁ କରିଛନ୍ତି ବୋଲି ମତପ୍ରକାଶ ପାଇଛି। ଲୋକସଭାରେ ୧୪୬ ସାଂସଦଙ୍କୁ ନିଲମ୍ବନ କରି ତରବରିଆ ଓ ଏକପାଖିଆ ଭାବେ ନୂଆ ଫୌଜଦାରୀ ଆଇନ୍ କାର୍ଯ୍ୟକାରୀ କରିଛନ୍ତି ବୋଲି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ନୂଆ ଭାରତୀୟ ନାଗରିକ ସଂହିତା ନୂଆ ବୋତଲରେ ପୁରୁଣା ମଦ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି।

Leave A Reply

Your email address will not be published.