Latest Odisha News

୧୯୭୫ ଦିନିକିଆ ବିଶ୍ୱକପ କ୍ରିକେଟ: ୱେଷ୍ଟଇଣ୍ଡିଜ ଚାମ୍ପିୟନ, ଚର୍ଚ୍ଚାରେ ଗାଭାସ୍କରଙ୍କ ୩୬ ରନ

ଏଥର ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜନ କରାଯିବ । ଅକ୍ଟୋବର ୫ରୁ ଏହି ମହାକୁମ୍ଭ ଆରମ୍ଭ ହୋଇଯିବ । ୧୯୮୩, ୨୦୧୧ ପରେ ଟିମ ଇଣ୍ଡିଆ ଘରୋଇ ପରିବେଶରେ ପୁନର୍ବାର ଚାମ୍ପିୟନ ହେବ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି । ଆସନ୍ତୁ ନଜର ପକାଇବା ୧୯୭୫ ପ୍ରାରମ୍ଭିକ ସଂସ୍କରଣ ଉପରେ ।

କ୍ରିକେଟର ଲୋକପ୍ରିୟତା ପାଇଁ ଏହାକୁ ସୀମିତ ଓଭର ବିଶିଷ୍ଟ କରାଯାଇଥିଲା । ୧୯୭୫ରେ ଇଂଲଣ୍ଡରେ ଏହା ୭ଜୁନରୁ ୨୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ୬୦ ଓଭର ବିଶିଷ୍ଟ ମୁକାବିଲାକୁ ଧଳା ପୋଷାକ ଏବଂ ଲାଲ ରଙ୍ଗର ବଲରେ ଖେଳା ଯାଇଥିଲା । ଉଦଘାଟନୀ ସଂସ୍କରଣରେ ୮ଟି ଟିମ ଅଂଶଗ୍ରହଣ କରିଥିଲେ । ଏହି ଟିମଗୁଡିକ ହେଲା ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ଇଷ୍ଟ ଆଫ୍ରିକା । ଗୋଟିଏ ଗ୍ରୁପରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଭାରତ ଓ ଇଷ୍ଟ ଆଫ୍ରିକା ଏବଂ ଅନ୍ୟ ଗ୍ରୁପରେ ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଶ୍ରୀଲଙ୍କା ରହିଥିଲେ ।

ଭାରତର ପ୍ରଦର୍ଶନ: ପ୍ରୁଡେନ୍ସିଆଲ ବିଶ୍ୱକପରେ ୭ ଜୁନ ୧୯୭୫ରେ ଭାରତ ପ୍ରଥମେ ଇଂଲଣ୍ଡକୁ ଭେଟିଥିଲା । ଲର୍ଡସ ଗ୍ରାଉଣ୍ଡରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । ୬୦ ଓଭରରେ ଇଂଲଣ୍ଡ ୪ ୱିକେଟ ବିନିମୟରେ ୩୩୪ ରନ କରିଥିଲା । ଡେନିସ ଏମିସ ୧୩୭ ରନର ଇନିଂସ ଖେଳିଥିଲେ । ଭାରତ ୬୦ ଓଭରରେ ୩ ୱିକେଟ ହରାଇ ୧୩୨ ରନ କରିବାକୁ ସକ୍ଷମ ହୋଇଥିଲା । ଏହି ମ୍ୟାଚରେ ଟେଷ୍ଟ ସ୍ପେଶାଲିଷ୍ଟ ସୁନୀଲ ଗାଭାସ୍କର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ । ମାତ୍ର ଅତ୍ୟଧିକ ଧୀମା ବ୍ୟାଟିଂ କରି ସେ ୩୬ ରନ କରିବାକୁ ସକ୍ଷମ ହୋଇଥିଲେ । ଗୁଣ୍ଡାପା ବିଶ୍ୱନାଥ ୩୭ ରନ କରିଥିଲେ । ଆଜି ବି ଗାଭାସ୍କରଙ୍କ ଏହି ଇନିଂସକୁ ସମାଲୋଚନା କରାଯାଉଛି ।

ଦ୍ୱିତୀୟ ମ୍ୟାଚରେ ଭାରତ ଇଷ୍ଟ ଆଫ୍ରିକାକୁ ପରାସ୍ତ କରିଥିଲା । ଇଷ୍ଟଆଫ୍ରିକା ୧୨୧ ରନର ଟାର୍ଗେଟ ଭାରତକୁ ଦେଇଥିଲା । ଗାଭାସ୍କର ୮୬ ବଲରେ ୯ ଚୌକା ସହାୟତାରେ ୬୫ ଓ ଫାରୁକ ଇଜିଂନିୟର ୯୩ ବଲରେ ୫୪ ରନ କରି ଭାରତକୁ ୧୦ ୱିକେଟରେ ବିଜୟୀ କରାଇଥିଲେ । ସେମିଫାଇନାଲ ପ୍ରବେଶ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ଭାରତ ୨୩୧ ରନର ବିଜୟ ଲକ୍ଷ୍ୟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରଖିଥିଲା । ସୟେଦ ଆବିଦ ଅଲୀ ୭୦ ରନ କରିଥିଲେ । ନ୍ୟୁଜିଲାଣ୍ଡ ଗ୍ଲେନ ଟର୍ଣ୍ଣରଙ୍କ ୧୧୪ ରନର ଇନିଂସ ବଳରେ ବିଜୟ ହାସଲ କରିଥିଲା । ଭାରତର ଅଭିଯାନ ଶେଷ ହୋଇଥିଲା ।ପ୍ରଥମ ଗ୍ରୁପରୁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଏବଂ ଅନ୍ୟ ଗ୍ରୁପରୁ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଥିଲେ । ପ୍ରଥମ ସେମିରେ ଇଂଲଣ୍ଡକୁ ୪ ୱିକେଟରେ ଅଷ୍ଟ୍ରେଲିଆ ପରାସ୍ତ କରିଥିଲା ଓ ୱେଷ୍ଟଇଣ୍ଡିଜ ୫ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ ୱେଷ୍ଟଇଣ୍ଡିଜ କ୍ଲାଇଭ ଲଏଡଙ୍କ ୧୦୨ ଓ ରୋହନ କହ୍ନେଇଙ୍କ ୫୫ ରନ ସହାୟତାରେ ୬୦ ଓଭରରେ ୮ ୱିକେଟ ହରାଇ ୨୯୧ ରନ କରିଥିଲେ । ଅଷ୍ଟ୍ରେଲିଆ କଡା ସଂଘର୍ଷ କରିଥିଲେ ମଧ୍ୟ ୫୮.୪ ଓଭରରେ ୨୭୪ ରନ କରି ଅଲଆଉଟ ହୋଇ ଯାଇଥିଲା । ୱେଷ୍ଟଇଣ୍ଡିଜ ଚାମ୍ପିୟନ ହୋଇଥିଲା ।

Leave A Reply

Your email address will not be published.