Latest Odisha News

BREAKING NEWS

୧୮ ମାସରେ ସର୍ବନିମ୍ନ, ଖୁଚୁରା ମୁଦ୍ରାସ୍ପୀତି ଏପ୍ରିଲରେ ୪.୭ ପ୍ରତିଶତକୁ ଖସିଲା

ନୂଆଦିଲ୍ଲୀ: ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଚଳିତ ବର୍ଷ ଏପ୍ରିଲରେ ହ୍ରାସ ପାଇ ୪.୭%ରେ ପହଞ୍ଚିଛି। ଯାହା ମାର୍ଚ୍ଚରେ ୫.୬୬% ଥିଲା। ୧୮ ମାସରେ ଏହା ସର୍ବନିମ୍ନ ସ୍ତରକୁ ଖସିଛି। ସେଣ୍ଟ୍ରାଲ ଷ୍ଟାଟିଷ୍ଟିକ୍ସ ଅଫିସ୍ ଶୁକ୍ରବାର ଏହି ତଥ୍ୟ ପ୍ରକାଶ କରିଛି। ଯେଉଁଥିରେ ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ହ୍ରାସ ପାଇଛି, ଯାହା ମାର୍ଚ୍ଚରେ ୪.୭୯%ରୁ ୩.୮୪%କୁ ଖସି ଆସିଛି।

ବଜାର ମୂଲ୍ୟ ତଥ୍ୟ ସଂଗ୍ରହ କରିବା ପାଇଁ ନ୍ୟାସନାଲ ଷ୍ଟାଟିସଟିକ୍ସ ଅରଗାନାଇଜେସନ (ଏନଏସଓ)ର କ୍ଷେତ୍ର କର୍ମଚାରୀ ବ୍ୟକ୍ତିଗତ ଭାବେ ସମସ୍ତ ରାଜ୍ୟର ବଛା ବଛା ୧ ହଜାର ୧୧୪ ସହରାଞ୍ଚଳ ବଜାର ଏବଂ ୧ ହଜାର ୧୮୧ ଗାଁ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ବିଭିନ୍ନ ମାର୍କେଟକୁ ଯାଇ ବୁଲି ଦେଖିବା ପରେ ଏହି ରିପୋର୍ଟ ସଂଗ୍ରହ କରିଛନ୍ତି। ଏପ୍ରିଲ ମାସରେ ଏନ୍ଏସ୍ଓ ୯୯.୮୩% ଗ୍ରାମାଞ୍ଚଳ ଓ ୯୮.୫୬% ସହରାଞ୍ଚଳ ବଜାରରୁ ସମସ୍ତ ତଥ୍ୟ ସଂଗ୍ରହ କରିଛି। ବଜାର ଅନୁସାରେ ଗ୍ରାମାଞ୍ଚଳରେ ୮୯.୯୦% ଓ ସହରାଞ୍ଚଳରେ ୯୩.୧୪% ଦର ବାବଦରେ ରିପୋର୍ଟ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି।

ସରକାରୀ ତଥ୍ୟ ପ୍ରକାଶ ପାଇବା ପୂର୍ବରୁ ଅନ୍ତର୍ଜାତୀୟ ସଂସ୍ଥା ରଏଟର୍ସ ଦ୍ୱାରା କରାଯାଇଥିବା ସର୍ଭେରେ ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରିଥିଲେ ଯେ ଖାଦ୍ୟ ଓ ଇନ୍ଧନ ଦରରେ ସାମାନ୍ୟ ହ୍ରାସ ଯୋଗୁଁ ଭାରତରେ ଉପଭୋକ୍ତା ମୁଦ୍ରାସ୍ଫୀତି ଏପ୍ରିଲରେ ୧୮ ମାସର ସର୍ବନିମ୍ନ ସ୍ତରକୁ ଖସିବ, ଯାହା କ୍ରମାଗତ ଦ୍ୱିତୀୟ ମାସ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ସର୍ବୋଚ ଆକଳନ ସ୍ତରଠାରୁ କମ୍ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଖାଦ୍ୟଶସ୍ୟ ଓ ଖାଇବା ତେଲ ଦର କମିବା ଯୋଗୁ ଦେଶରେ ଦର ପରିବର୍ତ୍ତନରେ ଏକ ସକରାତ୍ମକ ସ୍ଥିତି ଆସିଛି। ମୁଦ୍ରାସ୍ଫୀତି ହାର ହ୍ରାସ ପାଇବା ଭାରତୀୟ ଅର୍ଥନୀତି ପାଇଁ ଏକ ସକାରାତ୍ମକ ସଙ୍କେତ।  ଯାହା ଆର୍ଥିକ ସ୍ଥିରତା ଏବଂ ଉପଭୋକ୍ତାଙ୍କ ପକେଟକୁ ସୁହାଇବ। ଯାହା ଆଗାମୀ ମାସଗୁଡ଼ିକରେ ଅଭିବୃଦ୍ଧି ଏବଂ ନିବେଶକୁ ପ୍ରୋତ୍ସାହିତ କରିପାରେ।

Comments are closed.