ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ବାତିଲ ନେଇ ଘୋଷଣା କରିଥିବା ବେଳେ ବିଶେଷଜ୍ଞମାନେ ଏହାକୁ ଭାରତର ‘ୱାଟର ଷ୍ଟ୍ରାଇକ’ ବୋଲି କହୁଛନ୍ତି।
ଏହାରି ସମୟରେ ପାକିସ୍ତାନ ଅଭିଯୋଗ କରିଛି ଯେ ଭାରତ ନଜଣାଇ ଝେଲମ ନଦୀରେ ପାଣି ଛାଡିଛି। ଭାରତର ଏହି ପଦକ୍ଷେପ ପାକିସ୍ତାନ ଅଧିକୃତ ଜମ୍ମୁ-କାଶ୍ମୀରର ମୁଜାଫରାବାଦ ନିକଟରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିଛି। ପିଓକେ ଅଞ୍ଚଳରେ ଝେଲମ୍ ନଦୀର ଜଳସ୍ତର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି।
ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜଳସ୍ତର ବୃଦ୍ଧି ପାଇବା ପରେ ସ୍ଥାନୀୟ ପ୍ରଶାସନ ହାତିଆନ ବାଲାରେ ଏମର୍ଜେନ୍ସି ପରିସ୍ଥିତି ଲାଗୁ କରିଛି। ସ୍ଥାନୀୟ ଲୋକଙ୍କୁ ସତର୍କ କରିବା ପାଇଁ ମସଜିଦଗୁଡ଼ିକରୁ ସତର୍କ ସୂଚନା ଜାରି କରାଯାଉଛି। ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରୁ ଜଳ ପ୍ରବେଶ କରି ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ଚାକୋଠି ଅଞ୍ଚଳ ଦେଇ ପ୍ରବାହିତ ହେଉଥିଲା।
ତେବେ ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ, ପାକିସ୍ତାନ ଭାରତଠାରୁ ତିନୋଟି ନଦୀର ପାଣି ପାଇଥାଏ – ଝେଲମ୍, ଚେନାବ ଏବଂ ସିନ୍ଧୁ। ସେହିପରି ସତଲେଜ୍, ବ୍ୟାସ୍ ଏବଂ ରବି ନଦୀର ପାଣି ଉପରେ ଭାରତର ଅଧିକାର ଅଛି। ଚୁକ୍ତିନାମାର ସର୍ତ୍ତାବଳୀ ଅନୁଯାୟୀ, ପାକିସ୍ତାନକୁ ଦିଆଯାଇଥିବା ନଦୀଗୁଡ଼ିକରେ ଯେକୌଣସି ନଦୀବନ୍ଧ କିମ୍ବା ପ୍ରକଳ୍ପ ପାଇଁ ଭାରତକୁ ପାକିସ୍ତାନକୁ ଜଣାଇବାକୁ ପଡିବ ଏବଂ ଏହାର ଅନୁମତି ନେବାକୁ ପଡିବ।
Comments are closed.