ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଦ୍ୱିତୀୟ ମ୍ୟାଚ ନାମ୍ବିଆ ବିପକ୍ଷରେ ଖେଳିବ । ଏହା ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ମ୍ୟାଚରେ ୟୁଏସଏ ବିପକ୍ଷରେ ଭାରତ ବିଜୟ ହାସଲ କରିଥିଲା । ପାକିସ୍ତାନ ବିପକ୍ଷ ହାଇ ଭୋଲଟେଜ ମୁକାବିଲା ପୂର୍ବରୁ ଟିମ ଇଣ୍ଡିଆ ନାମ୍ବିଆକୁ ହରାଇ ଭଲ ଫର୍ମରେ ରହିବାକୁ ଚାହିଁବ । ତେବେ ଆଘାତ ସମସ୍ୟା ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଅଭିଷେକ ଶର୍ମା, ଈଶାନ କିଶାନ ଏପରିକି ଯଶପ୍ରୀତ ବୁମରାହ ମଧ୍ୟ ସମ୍ପୂର୍ଣ୍ଣ ଫିଟ ନ ଥିବା ଜଣାପଡିଛି । ଭାରତ ଏଠାରେ ୪ଟି ମ୍ୟାଚ ଖେଳିଛି । ୨ଟି ମୁକାବିଲାରେ ବିଜୟ ହାସଲ କରିଥିବା ବେଳେ ୨ରେ ପରାଜିତ ହୋଇଛି ।
୨୦୧୭ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଥର ପାଇଁ ଏଠାରେ ମ୍ୟାଚ ଖେଳିଥିଲା । ଭାରତ ୫୩ ରନରେ ବିଜୟୀ ହୋଇଥିଲା । ୨୦୧୯ରେ ବାଂଲାଦେଶ ନିକଟରୁ ୭ ୱିକେଟରେ ଏବଂ ୨୦୨୨ରେ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇଥିଲା । ୨୦୨୪ରେ ବାଂଲାଦେଶକୁ ୮୬ ରନରେ ହରାଇବାରେ ସଫଳ ହୋଇଥିଲା । ଏଠାରେ ଦ୍ୱିତୀୟ ବ୍ୟାଟିଂ କରିବା ଦଳ ଫାଇଦାରେ ରହିବେ ବୋଲି ଆକଳନ କରାଯାଉଛି । ରାତିରେ କାକର ପଡିବା ଯୋଗୁ ବୋଲରମାନେ ବିଶେଷ ଫାଇଦା ପାଇ ପାରିବେ ନାହିଁ । ଏଠାରେ ଓଭରାଲ ୯ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଛି । ଟାର୍ଗେଟକୁ ପିଛା କରୁଥିବା ଦଳ ୫ ଥର ବିଜୟୀ ହୋଇଥିବା ବେଳେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୪ରେ ବିଜୟୀ ହୋଇଛି ।