ନୂଆଦିଲ୍ଲୀ: ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବାର୍ଷିକ ଶ୍ରମ ଶକ୍ତି ସର୍ବେକ୍ଷଣ (PLFS) ରିପୋର୍ଟରେ ଗତ ସାତ ବର୍ଷ ମଧ୍ୟରେ ଆନୁମାନିକ ଶ୍ରମିକ ଜନସଂଖ୍ୟା ଅନୁପାତ (WPR)ରେ ବୃଦ୍ଧି ଘଟିଛି। ଏହି ରିପୋର୍ଟ ଅନୁଯାୟୀ, 2017-18 ବର୍ଷ ତୁଳନାରେ 2023-24ରେ ଆନୁମାନିକ ଶ୍ରମିକ ଜନସଂଖ୍ୟା ଅନୁପାତ 46.8 ପ୍ରତିଶତରୁ ବଢି 58.2 ପ୍ରତିଶତରେ ପହଂଚିଛି । ଡବ୍ଲୁପିଆରର ରିପୋର୍ଟ ଅନୁସାରେ କରୋନା ମହାମାରୀ ସମୟରେ ବେକାରୀ ହାର ଅଧିକ ମାତ୍ରାରେ ବଢିଥିଲା l ବିଶେଷକରି 15 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ବେକାରୀ ହାର ବୃଦ୍ଧି ପାଇଥିଲା l ଏବେ ଏହା ହ୍ରାସ ପାଇ 6 ପ୍ରତିଶତରୁ 3.2 ପ୍ରତିଶତରେ ପହଂଚିଛି ।
କିଛି ଦିନ ପୂର୍ବେ ମହିଳା ନିଯୁକ୍ତିକୁ ନେଇ ରାଜ୍ୟସଭା ସାଂସଦ ସାଗାରିକା ଘୋଷଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ ଗୃହକୁ କହିଥିଲେ ଯେ, 15 ବର୍ଷରୁ ଅଧିକ ବୟସର ମହିଳାଙ୍କ ପାଇଁ ଶ୍ରମିକ ଜନସଂଖ୍ୟା ଅନୁପାତ ଏବଂ ଶ୍ରମ ବଳ ଅଂଶଗ୍ରହଣ ହାରରେ ଲଗାତାର ଭାବରେ ବୃଦ୍ଧି ଘଟିଛି l 2017-18ରେ 15 ବର୍ଷ ଏବଂ ତା’ଠୁ ଅଧିକ ବୟସର ମହିଳାଙ୍କ ପାଇଁ ଶ୍ରମିକ ଜନସଂଖ୍ୟା ଅନୁପାତ 22 ପ୍ରତିଶତ ଏବଂ ଶ୍ରମ ଶକ୍ତିର ଅଂଶଗ୍ରହଣ ହାର 23.3 ପ୍ରତିଶତ ଥିଲା, ଯାହା ବର୍ତ୍ତମାନ 2023-24 ବର୍ଷରେ ଯଥାକ୍ରମେ 40.3 ପ୍ରତିଶତ ଏବଂ 41.7 ପ୍ରତିଶତକୁ ବୃଦ୍ଧି ପାଇଛି।
ସେପ୍ଟେମ୍ବର 2017 ରୁ ସେପ୍ଟେମ୍ବର 2024 ମଧ୍ୟରେ ଇପିଏଫଏ ଗ୍ରାହକଙ୍କ ସଂଖ୍ୟାରେ 7 କୋଟି ନିଟ ଗ୍ରାହକ ଯୋଡି ହୋଇଛନ୍ତି l ଆରବିଆଇ ତଥ୍ୟକୁ ଦର୍ଶାଇ କେନ୍ଦ୍ର ମନ୍ତ୍ରୀ ରାଜ୍ୟସଭାରେ କହିଛନ୍ତି ଯେ ଦେଶରେ ନିଯୁକ୍ତି ସଂଖ୍ୟା 2014-15 ମଧ୍ୟରେ 47.15 କୋଟି ଥିବା ବେଳେ 2023-24 ମସିହାରେ ଏହା 64.33 କୋଟିକୁ ବୃଦ୍ଧି ପାଇଛି l ଅର୍ଥାତ ଗତ 9 ବର୍ଷରେ ଏହି ସଂଖ୍ୟା 17.18 କୋଟିକୁ ବୃଦ୍ଧି ପାଇଛି।
Comments are closed.