ନୂଆଦିଲ୍ଲୀ: ଗତ ପାଞ୍ଚ ଦିନ ଧରି ଚାଲିଥିବା ଇଣ୍ଡିଗୋ ସଙ୍କଟ ଯୋଗୁଁ ଶନିବାର ୮୦୦ରୁ ଅଧିକ ବିମାନ ବାତିଲ କରାଯାଇଥିଲା। ତେବେ ଏହି ଧାରା ଷଷ୍ଠ ଦିନ ପାଇଁ ଜାରି ରହିଛି। ଯଦିଓ ଇଣ୍ଡିଗୋ ଏହାର ୯୫% ରୁଟରେ ବିମାନ ପରିଚାଳନାକୁ ସ୍ୱାଭାବିକ କରିଥିବା ଦାବି କରୁଛି।
ବିମାନ କମ୍ପାନୀ ଅନୁଯାୟୀ, ୧୩୮ଟି ସ୍ଥାନରୁ ୧୩୫ଟି ସ୍ଥାନକୁ ବିମାନ ଚଳାଚଳ କରୁଛି।
ତେବେ ରବିବାର ମଧ୍ୟ ୬୫୦ରୁ ଅଧିକ ଇଣ୍ଡିଗୋ ଉଡ଼ାଣ ବାତିଲ କରାଯାଇଥିଲା। ଏଥିରେ ଦିଲ୍ଲୀ, ଚେନ୍ନାଇ, ଜୟପୁର, ହାଇଦ୍ରାବାଦ, ଭୋପାଳ, ମୁମ୍ବାଇ ଏବଂ ତ୍ରିଚିରୁ ଉଡାଣ ଅନ୍ତର୍ଭୁକ୍ତ। ପୂର୍ବରୁ ବିମାନ କମ୍ପାନୀ ଶୁକ୍ରବାର ପ୍ରାୟ ୧,୬୦୦ ଏବଂ ଶନିବାର ପ୍ରାୟ ୮୦୦ଉଡ଼ାଣ ବାତିଲ କରିଥିଲା।
ତେବେ ଏନେଇ ସରକାର ଇଣ୍ଡିଗୋ ଉପରେ କଡା ଆଭିମୁଖ୍ୟ ସହ ନିର୍ଦ୍ଦେଶ ଜାରି କରିଛନ୍ତି। କମ୍ପାନୀକୁ ଡିସେମ୍ବର ୭ ତାରିଖ ରାତି ୮ଟା ସୁଦ୍ଧା ରିଫଣ୍ଡ ଏବଂ ବାତିଲ କିମ୍ବା ସ୍ଥଗିତ ଉଡ଼ାଣ ପାଇଁ ସମ୍ପୂର୍ଣ୍ଣ ରିଫଣ୍ଡ ପ୍ରକ୍ରିୟା ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯାତ୍ରୀଙ୍କ ବ୍ୟାଗେଜକୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଖୋଜି ବାହାର କରି ସେମାନଙ୍କୁ ଫେରାଇବାକୁ କୁହାଯାଇଛି।
ଗତ ୫ ଦିନ ଧରି ଚାଲିଥିବା ସଙ୍କଟ ପାଇଁ କମ୍ପାନୀ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ସେନେଇ କମ୍ପାନୀର ସିଇଓଙ୍କୁ ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ ପଡିବ। ଯଦି କୌଣସି ଉତ୍ତର ନ ମିଳେ ତେବେ ଡିଜିସିଏ ଏକପାଖିଆ ନିଷ୍ପତ୍ତି ନେଇପାରିବେ।
ସେହିପରି ଅନ୍ୟ ଏୟାରଲାଇନ୍ସର ବର୍ଦ୍ଧିତ ଭଡ଼ା ଉପରେ ପ୍ରତିବନ୍ଧକ ଲଗାଯାଇ ବିମାନ ଭଡ଼ା ସ୍ଥିର କରାଯାଇଥିଲା। ଏବେ କୌଣସି ଏୟାରଲାଇନ୍ସ ୫୦୦ କିଲୋମିଟର ଦୂରତା ପାଇଁ ୭୫୦୦ ଟଙ୍କା ଏବଂ ୫୦୦-୧୦୦୦ କିଲୋମିଟର ଦୂରତା ପାଇଁ ୧୨ ହଜାର ଟଙ୍କାରୁ ଅଧିକ ଆଦାୟ କରିପାରିବ ନାହିଁ।
ଏୟାରଲାଇନ୍ସର ସର୍ବାଧିକ ଭଡ଼ା ୧୮ ହଜାର ଟଙ୍କା ସ୍ଥିର କରାଯାଇଛି। କିନ୍ତୁ ବିଜନେସ ଶ୍ରେଣୀ ପାଇଁ ଏହି ଭଡ଼ା ସୀମା ପ୍ରଯୁଜ୍ୟ ହେବ ନାହିଁ।