ଇନ୍ଦୋର: ଇନ୍ଦୋର ବେଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିରରେ ବୁଲିଲା ବୁଲଡୋଜର । ପବିତ୍ର ରାମନବମୀ ପରିସରରେ ଥିବା କୂଅର ଛାତ ଗଳି ପଡିବାରୁ ୨୧ ମହିଳାଙ୍କ ସମେତ ୩୬ ଜଣଙ୍କର ମୃତ୍ୟୁ ଘଟିଥିଲା ଏହି କୂଅ ବେଆଇନ ଭାବେ ନିର୍ମାଣ କରାଯାଇଥିଲା । ତେବେ ଏତେବଡ ଦୁର୍ଘଟଣା ଘଟିବା ପରେ ପ୍ରଶାସନର ନିଦ ଭାଙ୍ଗିଛି । ତେଣୁ ଏହି ମନ୍ଦିର ପରିସରରେ ଥିବା ଅବୈଧ ନିର୍ମାଣକୁ ଭାଙ୍ଗିବା ପାଇଁ ବୁଲଡୋଜର ବୁଲୁଛି । କଡା ପୋଲିସ ସୁରକ୍ଷା ମଧ୍ୟରେ ଏହି ମନ୍ଦିର ଭଙ୍ଗା କାମ ଚାଲିଛି ।
ମନ୍ଦିର ଭାଙ୍ଗିବା ପାଇଁ ପାଞ୍ଚରୁ ଅଧିକ ପୋକଲିନ ଏବଂ ଜେସିବି ଲାଗିଛି । ନଗର ନିଗମ ଅଧିକାରୀଙ୍କ ସମେତ ଏଡିଏମ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । କୌଣସି ଉତ୍ତେଜନାପୂର୍ଣ୍ଣ ଘଟଣା ନ ଘଟିବା ପାଇଁ ୪ଟି ଥାନାର ପୋଲିସ ଫୋର୍ସକୁ ମୁତୟନ କରାଯାଇଛି ।
ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ପୁରା କୂଅକୁ ସମ୍ପୂର୍ଣ୍ଣ ଭାବେ ପୋତି ଦେବା ପରେ ଏହାକୁ ସ୍ଥାୟୀଭାବେ ବନ୍ଦ କରି ଦିଆଯାଇଛି ।
ସୂଚନାଥାଉ କି, ପଟେଲ ନଗର ନିକଟରେ ରହିଛି ବେଲେଶ୍ୱର ମହାଦେବଙ୍କ ଝୁଲେଲାଲ ମନ୍ଦିର । ଏହି ମନ୍ଦିର ନିଟକରେ ରହିଛି ଏକ ବଡ କୂଅ। ଏହି କୂଅ ଉପରେ ଚଢି ଭକ୍ତମାନେ ରାମନବମୀରେ ଶ୍ରୀରାମଙ୍କ ଦର୍ଶନ କରୁଥିବା ବେଳେ କୁଅର କାନ୍ଥ ଭାଙ୍ଗି ଯାଇଥିଲା । ଫଳରେ ୫୦ରୁ ଅଧିକ ଭକ୍ତ କୁଅ ଭିତରକୁ ଗଳିପଡିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରବାକୁ ଚେଷ୍ଟା କରିଥିଲେ ହେଁ ୩୬ ଜଣଙ୍କର ମୃତ୍ୟୁ ଘଟିଥିଲା ।
ମନ୍ଦିର ନିକଟରେ ରହୁଥିବା ଲୋକେ ଅଭିଯୋଗ କରିଥିଲେ ଯେ, ଏହି କୂଅ ବେଆଇନ ଭାବେ ଏଠାରେ ତିଆରି କରାଯାଇଛି । ଏ ନେଇ ସେମାନେ ପୂର୍ବରୁ ଏକାଧିକ ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା ।
Comments are closed.