Latest Odisha News

BREAKING NEWS

ପୁରୀ ଜିଲ୍ଲାର ଫନି ପ୍ରଭାବିତ ଗାଁ’ରେ ‘ଇନଫୋସିସ୍’ର ସହାୟତା

ଭୁବନେଶ୍ୱର: ପ୍ରଳୟଙ୍କରୀ ଫନି ବାତ୍ୟା ଓଡ଼ିଶାର ଅନେକ ସ୍ଥାନରେ ତାଣ୍ଡବଲୀଳା ରଚିଥିଲା । ବିଶେଷ କରି ପୁରୀ ଜିଲାର ଗାଁଗୁଡ଼ିକରେ କ୍ଷୟକ୍ଷତିର ଅଧିକ ହୋଇଥିଲା । ଏପରି ପରିସ୍ଥିତିରେ ଇନଫୋସିସ ଫାଉଣ୍ଡେସନର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର୍) ବିଭାଗ ‘ଟିମ ଆକାଂକ୍ଷା’ ଇନଫୋସିସ୍ ଭୁବନେଶ୍ୱର ଟିମ୍ ସହଯୋଗରେ ଏହି ସବୁ ଗାଁରେ ସହାୟତା ଜାରି ରଖି ଏହି କଲ୍ୟାଣମୂଳକ କାମକୁ ଉତ୍ସାହର ସହ ଆଗେଇ ନେଇଛନ୍ତି ।

ଫନି ବାତ୍ୟାର ଅଳ୍ପ ଦିନ ମଧ୍ୟରେ ଆବଶ୍ୟକ ସାମଗ୍ରୀ, ରିଲିଫ କାର୍ଯ୍ୟ ସମ୍ପାଦନ ପାଇଁ ସାମଗ୍ରୀ କ୍ରୟ ଆଦି ସମ୍ପର୍କିତ ସବିଶେଷ ଯୋଜନା ସମ୍ପର୍କରେ ଆଲୋଚନା ହେବା ସହ ତୁରନ୍ତ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିଲା । ସପ୍ତାହ ଶେଷରେ ଏବଂ ସାପ୍ତାହିକ ଛୁଟି (ଅଫ୍ ଡେ’)ରେ ୨୦୦ରୁ ଅଧିକ ସ୍ୱେଚ୍ଛାସେବୀ କାମ କରି ଏହି ଅଭିଯାନକୁ ସଫଳ କରାଇଛନ୍ତି ।

ଫନି ପ୍ରଭାବିତ ପୁରୀ ଜିଲାରେ ଇନଫୋସିସ୍ ଫାଉଣ୍ଡେସନ୍ ଏବଂ ଆକାଂକ୍ଷା ଦ୍ୱାରା ପର୍ଯ୍ୟାୟକ୍ରମେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯିବା ସହ ଏହି ଧାରା ଏବେ ବି ଜାରି ରହିଛି । ଗତ ଦୁଇ ମାସ ଧରି ସ୍ୱେଚ୍ଛାସେବୀମାନେ କଠିନ ପରିଶ୍ରମ କରି ଗ୍ରାମବାସୀଙ୍କ ଜୀବନଧାରଣ ମାନରେ ଆରାମ ଆଣିବାକୁ ପ୍ରୟାସ କରିଛନ୍ତି ।

ଶୁଖିଲା ଖାଦ୍ୟ ସାମଗ୍ରୀ ଏବଂ ପୋଷାକପତ୍ର ଭଳି ରିଲିଫ୍ ସାମଗ୍ରୀ ୩୨ଟି ଗାଁର ୧୧,୦୦୦ରୁ ଅଧିକ ପରିବାରରେ ବଣ୍ଟନ କରାଯାଇଛି । ଏହି ବିତରଣ କାମ ମେ’ ୧୨ ତାରିଖରୁ ଆରମ୍ଭ ହୋଇ ଏବେ ବି ଚାଲିଛି । ଅକ୍ଷୟ ପାତ୍ର ଫାଉଣ୍ଡେସନ ସମେତ ଭୁବନେଶ୍ୱର ଡେଭଲପମେଣ୍ଟ ସେଣ୍ଟରର ସ୍ୱେଚ୍ଛାସେବୀମାନେ ଫନି ପ୍ରଭାବିତ ଗାଁଗୁଡ଼ିକରେ ୧୫ ଦିନ ପାଇଁ ରନ୍ଧା ଖାଦ୍ୟ ବିତରଣ କରିଛନ୍ତି ଏବଂ ସେମାନେ ପ୍ରତି ଦିନ ୫,୦୦୦ରୁ ଅଧିକ ଲୋକଙ୍କୁ ଖାଦ୍ୟ ଉପଲବ୍ଧ କରାଇଛନ୍ତି ।

ଅନେକ ଅଗମ୍ୟ ଗାଁରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ହୋଇପାରି ନଥିବା ବେଳେ ସେମାନଙ୍କ ପାଇଁ ସୌର ଟର୍ଚ୍ଚ (ସୋଲାର୍ ଟର୍ଚ୍ଚ) ବରଦାନ ସଦୃଶ ହୋଇଛି । ୧୨,୦୦୦ରୁ ଅଧିକ ଲୋକଙ୍କୁ ସହାୟତା ସଦୃଶ ପ୍ରାୟ ୪,୫୦୦ ସୌର ଟର୍ଚ୍ଚ ବିତରଣ କରାଯାଇଛି ।

ସ୍ୱେଚ୍ଛାସେବୀ ଟିମ୍ ୧୦ଟି ଗାଁ (ପ୍ରାୟ ୩୦୦୦ରୁ ୪୦୦୦ ଜନବସତି ଥିବା)କୁ ଯାଇ ଆକାଂକ୍ଷା ଫାଉଣ୍ଡେସନ ପ୍ରଦତ୍ତ ମେସିନଚାଳିତ କରତ (ମେକାନିକାଲ ସ’) ସାହାଯ୍ୟରେ ଲୋକଙ୍କ ସହ ମିଶି ଆବାସିକ ଅଞ୍ଚରେ ଉପୁଡ଼ି ପଡ଼ିଥିବା ଗଛ କାଟିବାରେ ସହାୟକ ହୋଇଛନ୍ତି । ଯୋଗାଯୋଗ ବ୍ୟବସ୍ଥାରେ ସୁବିଧା କରିବା ପାଇଁ ଅନ୍ୟ କୌଣସି ଟିମ୍ ପହଞ୍ଚିନଥିବା ବେଳେ ଏହା ଗ୍ରାମବାସୀଙ୍କ ପାଇଁ ଖୁବ୍ ସହାୟକ ହୋଇପାରିଛି । ୫୦ଟି ଗଛକଟା ମେସିନ୍ ପାଇଁ ପ୍ରାୟ ୮.୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ଯେଉଁ ଲୋକମାନଙ୍କ ଘର ଛାତ ଉଡ଼ି ଯାଇଛି ଖରା ବର୍ଷା ଯୋଗୁଁ ସେମାନେ ହନ୍ତସନ୍ତ ହେଉଛନ୍ତି । ସେମାନଙ୍କୁ ଅସ୍ଥାୟୀ ଆଶ୍ରୟ ଉଦ୍ଦେଶ୍ୟରେ ୨,୦୦୦ ତାରପୋଲିନ୍ ଯୋଗାଇ ଦିଆଯାଇଛି । ଶିଶୁ ଏବଂ ପରିବାର ଲୋକଙ୍କୁ ମ୍ୟାଲେରିଆର ବିପତ୍ତିରୁ ରକ୍ଷା କରିବା ପାଇଁ ମଶାରୀ ବଣ୍ଟନ କରାଯାଇଛି । ପ୍ରଭାବିତ ଗାଁଗୁଡ଼ିକରେ ପ୍ରାୟ ୨,୦୦୦ ମଶାରୀ ବଣ୍ଟନ କରାଯାଇଛି ।

ସ୍କୁଲ ଗୃହ ପୁନଃ ନିର୍ମାଣ ଭଳି ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟ ହାତକୁ ନିଆଯାଇଛି । ପ୍ରଥମ ପଯ୍ୟାୟରେ ସରକାରୀ ସହାୟତା ପାଇନଥିବା ୩୫ଟି ସ୍କୁଲକୁ ୫,୦୦୦ ଟିଣ ସିଟ୍ ପ୍ରଦାନ କରାଯାଇଛି । ଭୟଙ୍କର ଘୁର୍ଣ୍ଣି ଝଡ଼ ଫନିରେ ଏହିସବୁ ସ୍କୁଲର ଛାତଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏହା ୨,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପାଠପଢ଼ା ଜାରି ରଖିବାରେ ସହାୟକ ହୋଇପାରିଛି । ଦ୍ୱିତୀୟ ପର୍ଯ୍ୟାୟରେ ୧୭୦ଟି ସ୍କୁଲ ଓ କଳେଜକୁ ୨୫,୦୦୦ ଟିଣ ସିଟ୍ ପ୍ରଦାନ କରାଯାଇଛି । ସେହିପରି ପିଇବା ପାଣି ଗଚ୍ଛିତ ରଖିବା ପାଇଁ ସେସବୁ ସ୍କୁଲକୁ ୨୦୦ଟି ପାଣି ଟାଙ୍କି ପ୍ରଦାନ କରାଯାଇଛି ।

ଫନି ଯୋଗୁଁ ପୁରୀ ଜିଲ୍ଲାରେ ପ୍ରାୟ ୧୧ ହଜାର ନଡ଼ିଆ ଗଛ ଭାଙ୍ଗି ପଡ଼ିଛି, ଯାହାକି ନଡ଼ିଆ ଚାଷୀଙ୍କ ଜୀବିକାର୍ଜନକୁ ବହୁ ମାତ୍ରାରେ ପ୍ରଭାବିତ କରିଛି । ଚାଷୀମାନଙ୍କୁ ଜୀବିକାର୍ଜନରେ ସହାୟତା କରିବା ପାଇଁ ୨୫,୦୦୦ ନଡ଼ିଆ ଚାରା ବିତରଣ କରିବାକୁ ଯୋଜନା ରହିଛି ।

ବାସୁଦେବପୁର, ନୋଳିଆସାହି, ଜଟିପୁର, ବଳିଆପଣ୍ଡା, ପେଣ୍ଠକଟା, ବାମନା, ଗଣେଶପୁର, ଡମପଡ଼ା, ଆଲିଶା, ଚୁରାଲି, ପାଟଣା, ଜଟିପୁର, ପଣ୍ଡାସ୍ୱର, ଭୋଇସାହି, ଦୁବାଇପୁର, ଆନେ୍ଧାତି, କସୋଟି, ବଡ଼ାଲା, ବୀରଗୋବିନ୍ଦପୁର, ଚମାରକେରା, ଧନିକେରା, ଗୋକୁଳପୁର, ବାସୁଦେବପୁର, ବଡ଼ମାଚପୁର, କପିଳେଶ୍ୱରପୁର, ବାଲିକେରା, ଚମାରବେରା, ତାଣ୍ଡିକେରା, ନୂଆସନ୍ଥ, ଗୋଡ଼ାକା ଆଦି ଅଧିକାଂଶ ଆଭ୍ୟନ୍ତରୀଣ ଗ୍ରାମକୁ ଇନଫୋସିସ୍ ଟିମ୍ ଯାଇ ସେମାନଙ୍କୁ ସହାୟତା ଓ ରିଲିଫ ସାମଗ୍ରୀ ପ୍ରଦାନ କରିଛନ୍ତି ।

ଇନଫୋସିସ୍ ଯେଉଁ ଗ୍ରାମରେ ରିଲିଫ୍ ଓ ସହାୟତା ଜାରି ରଖିଛି ସେଠାରେ ଅନ୍ୟ କୌଣସି ସମାନ ଧରଣର ଉଦ୍ୟମ / ଅନ୍ୟ ସଂସ୍ଥାର ପାଣ୍ଠି ବିନିଯୋଗ ଏବଂ ସରକାରୀ ସଂସ୍ଥାର ସହାୟତା ଯୋଗୁଁ ଯେପରି ବିଭ୍ରାଟ ନହୁଏ ସେଥିପାଇଁ ସେମାନେ ସତର୍କତା ଅବଲମ୍ବନ କରିଛନ୍ତି ।

Leave A Reply

Your email address will not be published.