Latest Odisha News

ସରକାରଙ୍କୁ ଟିକସ ଫାଙ୍କିଛି ଇନଫୋସିସ୍ ?

ନୂଆଦିଲ୍ଲୀ: ସରକାରଙ୍କୁ କର ଫାଙ୍କୁଛନ୍ତି କି ଇନଫୋସିସ ଭଳି ଆଇଟି କମ୍ପାନୀ ? କାହିଁକି ସରକାର ପଠାଇଛନ୍ତି ନୋଟିସ ? ଟିକସ ଚୋରି ପାଇଁ ଅନ୍ୟ ଆଉ କିଛି କମ୍ପାନି ବି ସରକାରଙ୍କ ୱାଚଲିଷ୍ଟରେ ଅଛନ୍ତି । ଦେଶର ଦ୍ୱିତୀୟ ବୃହତ୍ତମ ଆଇଟି କମ୍ପାନି ଇନଫୋସିସ୍ ବିରୋଧରେ ଗୁରୁତର ଅଭିଯୋଗ । ୨୦୧୭ରୁ ୨୦୨୧-୨୨ ଯାଏଁ ଇନଫୋସିସ ଟିକସ ବାବଦ ୩୨ ହଜାର ୪୦୩ କୋଟି ଟଙ୍କା ସରକାରଙ୍କୁ ଫାଙ୍କିଥିବା ଅଭିଯେଗ ହୋଇଛି । ନିଜର ଦରିଆପାରି ଶାଖାରୁ ସର୍ଭିସ ପାଇଥିଲେ ମଧ୍ୟ କମ୍ପାନି ଏ ବାବଦରେ ଟିକସ ପୈଠ କରିନାହିଁ । ସେବାପ୍ରାପ୍ତ କମ୍ପାନୀ ଭାବେ ଆଇଜିଏସଟି ପୈଠ କରିନଥିବାରୁ ଇନଫୋସିସ ବର୍ତ୍ତମାନ ଯାଂଚ ପରିସରଭୁକ୍ତ ହୋଇଛି । ପୂର୍ବରୁ ଏ ବାବଦରେ ଇନଫୋସିସକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା କର୍ଣ୍ଣାଟକ ଜିଏସଟି ବିଭାଗ । କିନ୍ତୁ ପରେ ଏହି ନୋଟିସ ପ୍ରତ୍ୟାହାର କରିନେଇଛି । କମ୍ପାନିକୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ଯାଂଚ ପରିସରରୁ ମୁକ୍ତ ହୋଇନାହିଁ । ଆଇଜିଏସଟି ବାବଦରେ ଇନଫୋସିସକୁ ଡାଇରେକ୍ଟର ଜେନେରାଲ୍ ଅଫ୍ ଜିଏସଟି ଇଂଟେଲିଜେନ୍ସ ଜବାବ ମାଗିଛନ୍ତି ।

ରିପୋର୍ଟ ଅନୁସାରେ ୨୦୧୭ରୁ ୨୦୨୨ ମଧ୍ୟରେ ଇନଫୋସି ନିଜର ବିଦେଶୀ ଶାଖାମାନଙ୍କଠାରୁ ସେବା ପ୍ରାପ୍ତ କରିଥିଲା । ନିୟମ ଅନୁସାରେ ବିଦେଶରେ କୌଣସି ଭାରତୀୟ କମ୍ପାନିର ଶାଖା ଅଲଗା କମ୍ପାନି ଭାବେ ବିବେଚିତ ହେବ । ଅଭିଯୋଗ ହୋଇଛି ଯେ, ଇନଫୋସସ ବିଦେଶରୁ ସେବା ପାଇଥିଲେ ମଧ୍ୟ ଇପୋର୍ଟ ଉପରେ ଆଇଜିଏସଟି ପୈଠ କରିନାହିଁ ।
ଟିକସ ଚୋରି ଅଭିଯୋଗ ପରେ ସ୍ପଷ୍ଟୀକରଣ ରଖିଛି ଇନଫୋସିସ୍ । ଜିଏସଟି ପରିଷଦର ସୁପାରିଶ ଉପରେ ନିକଟରେ କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ ପକ୍ଷରୁ ଜାରି ସର୍କ୍ୟୁଲାର ମୁତାବକ ଭାରତୀୟ ସଂସ୍ଥାର ବିଦେଶୀ ଶାଖାଠାରୁ ସେବା ଗ୍ରହଣ ଜିଏସଟି ଅଧୀନ ନୁହେଁ । ଏଭଳି ସ୍ପଷ୍ଟୀକରଣ ରଖିଛି ଇନଫୋସିସ୍ ।

ଜିଏସଟି ଅଧିକାରୀମାନେ କହିଛନ୍ତି ଯେ, ରିଭର୍ସ ଚାର୍ଜ ମେକାନିଜିମ ଅନୁସାରେ ଇନଫୋସିସ୍ ୩୨ ହଜାର ୪୦୩ କୋଟି ଟଙ୍କା ପୈଠ କରିବା ଦରକାର । ଦେଶରେ ଆଇଟି ଶିଳ୍ପର ସଂଗଠନ ନାସକମ୍ ଇନଫୋସିସ ସମର୍ଥନରେ ବାହାରିିଛି । ଟ୍ୟାକ୍ସ ଡିମାଣ୍ଡ ସେକ୍ଟରର ଅପରେସନାଲ ମଡେଲ ଭଲ ଭାବେ କେହି ବୁଝିନଥିବାରୁ ସମସ୍ୟା ସୃଷ୍ଟି ହେଉଥିବା କହିଛି ନାସକମ୍ । ଅନେକ କମ୍ପାନିଙ୍କ ବିରୋଧରେ ଆଇନଗତ ମାମଲା ଚାଲିଥିବାରୁ ଅନିଶ୍ଚିତତାଲାଗି ରହିଛି ବୋଲି ନାସକମ୍ ପକ୍ଷରୁ କୁହାଯାଇଛି । ଇନଫୋସିସ ଭଳି ଦେଶର ଅଗ୍ରଣୀ ଆଇଟି କମ୍ପାନି ବିରୋଧରେ ଜିଏସଟି ଫାଙ୍କିବା ଅଭିଯୋଗକୁ ଗମ୍ଭୀରତାର ସହ ନେଇଛନ୍ତି କିଛି ଅର୍ଥନୀତିଜ୍ଞ । ଇନଫୋସିସ ଭଳି ପ୍ରତିଷ୍ଠିତ ଆନ୍ତର୍ଜାତିକ ସ୍ତରୀୟ କମ୍ପାନିକୁ ବଡ ନୋଟିସ ପଠାଇବା ବେଳେ ସତର୍କତା ଅବଲମ୍ବନ କରିବା ଉପରେ ଜୋର୍ ଦିଆଯାଇଛି । ଏସବୁ ଚର୍ଚ୍ଚା ମଧ୍ୟରେ ଆଉ କିଛି କମ୍ପାନିକୁ ମଧ୍ୟ ଟିକସ ଫାଙ୍କିବା ଅଭିଯୋଗରେ ନୋଟିସ ଦେବାକୁ ବିଚାର କରୁଛନ୍ତି ସରକାର ।

Comments are closed.