Latest Odisha News

BREAKING NEWS

ଚିକିତ୍ସାରେ ବିଳମ୍ବ ପାଇଁ ହାତୀର ମୃତ୍ୟୁ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ଥାନା ଅଧୀନ ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ଅଟକି ରହିଥିବା ଅସୁସ୍ଥ ଦନ୍ତାହାତୀର ରବିବାର ଅସ୍ତ୍ରୋପଚାର ସହିତ ଆବଶ୍ୟକ ଚିକିତ୍ସା କରାଯାଇଥିଲେ ସୁଦ୍ଧା ସୋମବାର ସକାଳେ ଦନ୍ତାର ମୃତଦେହ ଉଦ୍ଧାର କରିଛି ବନବିଭାଗ ।

ସୂଚନା ମୁତାବକ ଗୋଠଛଡା ବିଶାଳ ଦନ୍ତାହାତୀଟି ବେତନଟୀ ରେଞ୍ଜ ଅଧୀନ ଡୁମାପଦା, ଖଡିଶୋଳ, କାଞ୍ଚନନଗର, ମସିଣାକାଟି, ତୁଙ୍ଗାଧୁଆ ଅଞ୍ଚଳରେ ବିଚରଣ କରୁଥିଲା । ତେବେ ବିଭିନ୍ନ ଜଙ୍ଗଲ ଏବଂ ଗାଁ ଗଣ୍ଡା ବିଚରଣ କରୁଥିବା ସମୟରେ ଏକ ମୋଟା ପ୍ଲାଷ୍ଟିକଦୌଡ଼ି ବାମପଟ ଆଗ ଗୋଡ଼ରେ ଛନ୍ଦିହୋଇ ଯାଇଥିଲା । କ୍ରମଶଃ ଏହା ଗୋଡ଼ରେ ଚାପିହୋଇ ଯାଇଥିବା ବେଳେ ଗଭୀର କ୍ଷତ ସୃଷ୍ଟି କରିଥିଲା । ଧୀରେ ଧୀରେ କ୍ଷତ ବଢିବା ସହିତ ଯନ୍ତ୍ରଣା ପାଇଁ ହାତୀ ସ୍ୱଭାବିକ ଭାବେ ଚଳପ୍ରଚଳ କରିପାରୁନଥିଲା । କ୍ଷତରୁ ରକ୍ତଶ୍ରାବ ହେବାସହିତ ପଚା ଦୁର୍ଗନ୍ଧ ମଧ୍ୟ ବାହାରୁଥିଲା । ହାତୀର ଗତିବିଧି ଉପରେ ନଜର ରଖୁଥିବା ବେତନଟୀ ବନବିଭାଗର ଟିମ ଏନେଇ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଡାକ୍ତରୀଟିମ ରବିବାର ସକାଳେ ହାତୀର ଚିକିତ୍ସା କରାଇଥିଲେ ସୁଦ୍ଧା ଚିକିତ୍ସାକୁ ୨୪ ଘଣ୍ଟା ନପୂରୁଣୁ ହାତୀର ମୃତ୍ୟୁ ଘଟିଛି ।

ହାତୀଟିର ବୟସ ୩୫ ରୁ ୪୦ବର୍ଷ ବୋଲି ଅନୁମାନ କରାଯାଉଥିବା ବେଳେ ଚିକିତ୍ସାରେ ବିଳମ୍ବ ପାଇଁ କ୍ଷତରୁ ପୁରା ଶରୀର ସଂକ୍ରମିତ ହୋଇ ସେଫଟି ସେମିଆ ପାଇଁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି  ।

Leave A Reply

Your email address will not be published.