Latest Odisha News

ହ୍ୟାଣ୍ଡ ପମ୍ପରୁ ପାଣି ବଦଳରେ ବାହାରୁଛି କ୍ଷୀର, ଲୋକେ ବୋହିନେଲେ

ମୋରଦାବାଦ: ହ୍ୟାଣ୍ଡ ପମ୍ପରୁ ପାଣି ବଦଳରେ ବାହାରୁଛି କ୍ଷୀର । ଏହା ପଡ଼ିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ହେଲେ ଉତ୍ତରପ୍ରଦେଶର ମୋରାଦାବାଦର ବିଲାରୀ ପୋଲିସ ଷ୍ଟେଶନ ଅଞ୍ଚଳରୁ ଏମିତି ଏକ ଅଜବ ଖବର ସାମ୍ନାକୁ ଆସିଛି । ଏଠାରେ ସରକାରୀ ହ୍ୟାଣ୍ଡ ପମ୍ପରୁ କ୍ଷୀର ବାହାରୁଛି । ଏହି ଖବର ପ୍ରଚାର ହେବା ପରେ ଲୋକେ ଜମା ହୋଇ ବାଲଟି ବାଲଟି କ୍ଷୀର ଘରକୁ ବୋହି ନେଇ ଯାଇଛନ୍ତି । ବହୁ ସଂଖ୍ୟକ ଲୋକେ ବିଭିନ୍ନ ବାସନକୁସନ ଏବଂ ବୋତଲରେ କ୍ଷୀର ଭର୍ତ୍ତି କରି ନେଉଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଘଟଣାଟି ଦେଖିବାକୁ ମିଳିଛି ମଲାରୀ ବସଷ୍ଟାଣ୍ଡ ଅଞ୍ଚଳରେ । କୁହାଯାଉଛି ସରକାରୀ ହ୍ୟାଣ୍ଡ ପମ୍ପରୁ ଧଳା ପାଣି ବାହାରୁଥିଲା, ଯାହାକୁ ଲୋକେ କ୍ଷୀର ବୋଲି ଭାବିଥିଲେ । କେତେକ ଲୋକ ଏହାକୁ ପ୍ରକୃତିର ଚମତ୍କାର ବୋଲି କହୁଥିବାବେଳେ ଆଉ କିଛି ଲୋକ ଏହାକୁ ରାସାୟନିକ ପ୍ରତିକ୍ରିୟା ବୋଲି କହୁଛନ୍ତି । ଏହି ଗୁଜବ ବ୍ୟାପିବା ମାତ୍ରେ ହ୍ୟାଣ୍ଡ ପମ୍ପ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା ।

ଜନ ସମାଗମ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇଥିଲା । ଏହା ସତ୍ତ୍ୱେ ଲୋକେ ମାନି ନ ଥିଲେ । କ୍ଷୀର ପରି ଦେଖାଯାଉଥିବା ଧଳା ପାଣି ହ୍ୟାଣ୍ଡ ପମ୍ପରୁ ଘଣ୍ଟା ଘଣ୍ଟା ଧରି ବାହାରିଥିଲା । ଡାକ୍ତରମାନେ ଏହି ପ୍ରକାର ପାଣି ପିଇବାକୁ ବାରଣ କରିଛନ୍ତି ଏବଂ ଏହା ଜଣେ ବ୍ୟକ୍ତିଙ୍କୁ ଅସୁସ୍ଥ କରିପାରେ ବୋଲି କହିଛନ୍ତି । ତେବେ ହ୍ୟାଣ୍ଡ ପମ୍ପରୁ ଏଭଳି କ୍ଷୀର ପରି ଧଳା ପାଣି ଆସିବାର କାରଣ କ’ଣ ତାହାର ପ୍ରକୃତ କାରଣ ଜଣା ପଡିନାହିଁ । ଏହା ମଇଳା ପାଣି ହୋଇପାରେ । ପୋଲିସ ହ୍ୟାଣ୍ଡ ପମ୍ପକୁ ସିଲ କରି ଦେଇଛି ।

Comments are closed.