Latest Odisha News

ସ୍କୁଲ୍ ବସରେ ଅଗ୍ନି ନିରାପତ୍ତା ନିୟମର କଡ଼ା ଅନୁପାଳନ ପାଇଁ ନିର୍ଦ୍ଦେଶନାମା ଜାରି, ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ର ଧାରା ୧୨୫ସି ଅନୁଯାୟୀ ସମସ୍ତ ସ୍କୁଲ ବସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ୍ ଅନୁପାଳନ ହେବା ଅନିବାର୍ଯ୍ୟ । ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ।

 ସ୍କୁଲ ବସରେ ଅଗ୍ନି ଚିହ୍ନଟ ଆଲାର୍ମ ସିଷ୍ଟମ, ଅଗ୍ନି ଚିହ୍ନଟ ନିୟନ୍ତ୍ରଣ ବ୍ୟବସ୍ଥା ଓ ଫାୟାର ଆଲାର୍ମ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ ଭାବେ ଲାଗୁ କରିବାକୁ ବାଧ୍ୟତାମୂଳକ ନିୟମ ରହିଛି । ଅଗ୍ନି ଅଘଟଣ ରୋକିବା ଓ ମୁକାବିଲା ଦିଗରେ ଏହା ସହାୟକ ହୋଇଥାଏ । ତେଣୁ ବସରେ ଯାତ୍ରା କରୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ର ନିୟମ ୧୨୫ସି ଅନୁସାରେ ସମସ୍ତ ସ୍କୁଲ ବସରେ ଏଆଇଏସ ୧୩୫ ଆଧାରରେ ଏହି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗୁଡ଼ିକ ସଠିକ୍ ଭାବେ ଅନୁପାଳନ ହେବା ଆବଶ୍ୟକ । ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସହ ଅନୁବନ୍ଧିତ ହୋଇ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥିବା ବସ୍ ମାଲିକମାନେ ଏହି ନିୟମର ନିଶ୍ଚିତ ଅନୁପାଳନ ନିମନ୍ତେ ଆଇନରେ ପ୍ରାବଧାନ ରହିଛି ।

ତେବେ ଏହା ଠିକ୍ ଭାବେ ପାଳନ ହେଉଛି କି ନାହିଁ ସେ ସଂପର୍କରେ ବିଭିନ୍ନ ସମୟରେ ପଦକ୍ଷେପ ନେଇ ଆସିଛି ରାଜ୍ୟ ପରିବହନ ପ୍ରାଧିକରଣ । ଆଗକୁ ଏହାକୁ ଅଧିକ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି । ସ୍କୁଲ ବସ୍ ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯିବ । ସମସ୍ତ ଜୋନ୍ ଉପ ପରିବହନ ଆୟୁକ୍ତ ଏବଂ ଆଞ୍ଚଳିକ ପରିବହନ ଅଧିକାରୀମାନେ ନିୟମିତ ଭାବେ ଏହାର ଯାଞ୍ଚ କରିବେ ।

କୌଣସି ସ୍କୁଲ ବସ୍ ଏହାର ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ନିଜ ନିଜ ଅଞ୍ଚଳରେ ଏହି ନିୟମ ଅନୁପାଳନକୁ ସୁନିଶ୍ଚିତ କରିବାକୁ ମୋଟର ଯାନ ନିରୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ନିୟମ ଉଲ୍ଲଙ୍ଘନ କରୁଥିବା ବସ୍ ଗୁଡ଼ିକର ଫିଟନେସ୍ ସାର୍ଟିଫିକେଟ ରଦ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋମଳମତି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି କୌଣସି ଅଣଦେଖାକୁ ବରଦାସ୍ତ କରାଯିବ ନାହିଁ । ତେଣୁ ଏକ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ।

Comments are closed.