Latest Odisha News

BREAKING NEWS

ଇନ୍‌ଟ୍ୟାକ୍ ପକ୍ଷରୁ ଓଡ଼ିଆ ଚଳଚ୍ଚିତ୍ରକୁ ‘ଐତିହ୍ୟ ମାନ୍ୟତା’ ପ୍ରଦାନ

ଭୁବନେଶ୍ୱର: ଭାରତୀୟ କଳା ଓ ସାଂସ୍କୃତିକ ଐତିହ୍ୟ ନ୍ୟାସ୍ (ଇନ୍‌ଟ୍ୟାକ୍‌) ପକ୍ଷରୁ ରବିବାର ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ବିକାଶ, ସଂରକ୍ଷଣ ତଥା ଯୁଗୋପଯୋଗିତା ସ୍ଥିତି ପାଇଁ ଏକ ବିଶେଷଜ୍ଞସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଇନ୍‌ଟ୍ୟାକ୍ ରାଜ୍ୟ ଆବାହକ ଡ. ବିଶ୍ୱଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବହୁ ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର, ବୈଷୟିକ ବ୍ୟକ୍ତିତ୍ୱ, ପ୍ରଶାସକ, ପ୍ରେକ୍ଷାଳୟ ମାଲିକ, ଗଣମାଧ୍ୟମ ପ୍ରତିନିଧି, ସିନେପ୍ରେମୀ ତଥା ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ଆଲୋଚନାଚକ୍ର ଆରମ୍ଭ କରି ବରିଷ୍ଠ ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରଥ ଅବକ୍ଷମୁଖୀ ଓଡ଼ିଆ ଚଳଚ୍ଚିତ୍ରର ସାମ୍ପ୍ରତିକ ଚିତ୍ର ପ୍ରଦାନ କରିବା ସହ ତାହାର ବିକାଶ ତଥା ଉରୋର ଉନ୍ନତି ପାଇଁ ଆବଶ୍ୟକୀୟ ପ୍ରସ୍ତାବ ପ୍ରଦାନ କରିବା ପାଇଁ ଅଭିଜ୍ଞତାସମ୍ପନ୍ନ ଚଳଚ୍ଚିତ୍ର ଶିଳ୍ପର ବିଭିନ୍ନ ଅଂଶୀଦାରମାନଙ୍କୁ ଅନୁରୋଧ କରିଥିଲେ। ତାହା ସହ ଇନ୍‌ଟ୍ୟାକ୍‌, ଓଡ଼ିଶାର ସହ-ଆବାହକ ଅନିଲ ଧୀର, ଓଡ଼ିଆ ଚଳଚ୍ଚିତ୍ରର ସାମ୍ପ୍ରତିକ ସ୍ଥିତି ସମ୍ବନ୍ଧରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିବା ସହ ଇନ୍‌ଟ୍ୟାକ୍‌ର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ପ୍ରାରମ୍ଭରେ ଇନ୍‌ଟ୍ୟାକ୍ ପକ୍ଷରୁ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ “ଐତିହ୍ୟ ମାନ୍ୟତା” ପ୍ରଦାନ କରିବା ସହ ଓଡ଼ିଆ ଚଳଚ୍ଚିତ୍ରର ୯୦ ବର୍ଷର ସାମାଜିକ ତଥା ସାଂସ୍କୃତିକ ଉପାଦେୟତା ପ୍ରଦର୍ଶନକାରୀ “୯୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଓ ତାହାର ଭବିଷ୍ୟତ” ଶୀର୍ଷକ ଏକ ସଂକଳ୍ପ ପତ୍ର ଉନ୍ମୋଚିତ ହୋଇଥିଲା । ଇନ୍‌ଟ୍ୟାକ୍ ପକ୍ଷରୁ ସାରା ଦେଶରେ ଚଳଚ୍ଚିତ୍ରର ଐତିହ୍ୟ ମାନ୍ୟତା ପ୍ରାପ୍ତି ଲାଭ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ। ଏହି ଆଲୋଚନାଚକ୍ରରେ ଭାଗ ନେଇଥିବା ସମସ୍ତ ଅଭିଜ୍ଞ ବିଶେଷଜ୍ଞମାନେ ନିଜ ନିଜର ମତ ଉପସ୍ଥାପିତ କରିବା ସହ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଅଗ୍ରଗତି ତଥା ଭବିଷ୍ୟତ ଅଭିବୃଦ୍ଧି ସମ୍ବନ୍ଧରେ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥିରୀକୃତ ହୋଇଥିଲା ଯେ, ଇନ୍‌ଟ୍ୟାକ୍ ସମସ୍ତ ପ୍ରସ୍ତାବ, ଅଭିମତ ତଥା ଭବିଷ୍ୟତର କାର୍ଯ୍ୟପନ୍ଥା ଆଧାରିତ ଏକ ଭିିପତ୍ର ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ ତାହାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକ ପଦକ୍ଷେପ ନେବ।

ଏହି ଆଲୋଚନାଚକ୍ରରେ ସୁରେନ୍ଦ୍ର କୁମାର ସାହୁ, ସୁଧାଂଶୁ ଶେଖର ରଥ, ନଗେନ ବାରିକ, ଯଶୋବନ୍ତ ଦେବତା, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଣବ ଦାସ, ହିମାଂଶୁ ଖଟୁଆ, ଅରୁଣ ମହାନ୍ତି, ଦିଲ୍ଲୀପ ରାୟ, ଶ୍ରୀକାନ୍ତ ଗୌତମ, ବାପୁ ଲେଙ୍କା, ବସନ୍ତ ସାହୁ, ଇତି ସାମନ୍ତ, ମନୋଜ ମିଶ୍ର, ଅଶୋକ ଶତପଥୀ, ଦିଲ୍ଲୀପ ହାଲି, ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ଯୋଗଦାନ କରି ନିଜ ନିଜର ମତ ଉପସ୍ଥାପିତ କରିଥିଲେ। ଇନ୍‌ଟ୍ୟାକ୍‌ର କାର୍ଯ୍ୟକର୍ତ୍ତା ଗୋଲକ ବିହାରୀ ସିଂହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

 

Comments are closed.