Latest Odisha News

BREAKING NEWS

chilika: ଚିଲିକା ହ୍ରଦର ସାମଗ୍ରୀକ ବିକାଶ ସମ୍ପର୍କିତ ବୈଠକ; ପର୍ଯ୍ୟଟନ ପାଇଁ ସ୍ୱତନ୍ତ୍ର ଯୋଜନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଚିଲିକାର ବିକାଶ ପାଇଁ ଏକ ସମନ୍ୱିତ ଯୋଜନା ପ୍ରସ୍ତୁତ କରାଯାଇଛି । ଚିଲିକା ଉନ୍ନୟନ କତ୍ତୃପକ୍ଷଙ୍କ ଏକ ବୈଠକରେ ଚିଲିକାର ଉନ୍ନୟନ ସମ୍ପର୍କରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚିଲିକା ହେଉଛି ଆମ ଜୈବ ବିବିଧତାର ଏକ ଭଣ୍ଡାର । ତେଣୁ, ଏହାର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନେବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
 ବୈଠକରେ ଚିଲିକାର ସୁରକ୍ଷା ଓ ପରିବେଶର ଉନ୍ନତି ପାଇଁ ଏକ ସମନ୍ୱିତ ଯୋଜନା ଉପସ୍ଥାପନ କରାଯାଇଥିଲା । ଏହି ଯୋଜନା ଅନୁଯାୟୀ, ଚିଲିକାର ପୁନରୁଦ୍ଧାର ପାଇଁ ଏହାର ମୂହାଣ ଖୋଳାଯିବ । ଚିଲିକାକୁ ସଂଯୋଗ କରୁଥିବା କେତେକ ପାଣି ଚ୍ୟାନେଲର ମଧ୍ୟ ଖନନ କରାଯିବ। ଚିଲିକାର ମୁଖ୍ୟ ପାଣି ଚ୍ୟାନେଲ ସହିତ ବାଲୁଗାଁ ଚ୍ୟାନେଲ, ମଗରମୁଖ ଚ୍ୟାନେଲ ଏବଂ ପାଲୁର ଚ୍ୟାନେଲକୁ ଖୋଳାଯାଇ ମାଟି କଢ଼ାଯିବା ଆଦି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ।
ଏଥୁସହ ମତ୍ସ୍ୟସମ୍ପଦର ଉନ୍ନତିକରଣ ପାଇଁ ପ୍ରାୟ ଫିସ୍ ଲ୍ୟାଣ୍ଡିଙ୍ଗ୍ ସେଣ୍ଟର ପ୍ରତିଷ୍ଠା ଏବଂ ଅନ୍ୟାନ୍ୟ ଦୀର୍ଘସ୍ଥାୟୀ ଭିତ୍ତିଭୂମିର ବିକାଶ ଓ ଗବେଷଣା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । ଏହାଦ୍ୱାରା ଚିଲିକାର ଲବଣାଂଶରେ ସନ୍ତୁଳନ ରହିବା ସହିତ ଏହାର ଜୈବବିବିଧତାରେ ଉନ୍ନତି ଆସିପାରିବ । ଏଥିପାଇଁ ମୋଟ ୫ ବର୍ଷ ସମୟ ଲାଗିବ ।
ସୂଚନାଯୋଗ୍ୟ ଯେ, ୨୦୦୦ ମସିହା ପରଠାରୁ ଚିଲିକାର ମୂହାଣ ଆଉ ଖୋଳାଯାଇ ନଥିବାରୁ ଏହା କ୍ରମଶଃ ପୋତି ହୋଇପଡ଼ୁଛି, ଯାହାଦ୍ୱାରା ଏହାର ଜୈବସମ୍ପଦ ଧିରେ ଧିରେ କମି ଯାଉଛି । ତେଣୁ, ବର୍ତ୍ତମାନ ଏହାର ସୁରକ୍ଷା ନିହାତି ଆବଶ୍ୟକ ହୋଇପଡ଼ିଛି ।
ଚିଲିକାର ପୁନରୁଦ୍ଧାର ସହିତ ଏଥିରେ ପର୍ଯ୍ୟଟନର ବିକାଶ ପାଇଁ ଏକ ସ୍ୱତନ୍ତ୍ର ଯୋଜନା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  ଅନୁଯାୟୀ ଚିଲିକାରେ ପକ୍ଷୀଉତ୍ସବ, ସି-ଫୁଡ ଉତ୍ସବ, ବୋଟ ଫେଷ୍ଟିଭାଲ, ଲାଇଟ ହାଉସ ସ୍ଥାପନ, ଇଣ୍ଟରପ୍ରିଟେସନ୍ ସେଣ୍ଟର ସ୍ଥାପନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏଥିପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇ ପର୍ଯ୍ୟଟନର ବିକାଶ ଉପରେ ପଦକ୍ଷେପ ନିଆଯିବ ।
ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ  ପ୍ରଭାତି ପରିଡ଼ା, ପୂର୍ତ୍ତ ଓ ଆଇନ ମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ  ଗଣେଷରାମ ସିଂ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ  ଶାଶ୍ୱତ ମିଶ୍ର, ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ  ଭାସ୍କର ଜ୍ୟୋତି ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.