ରାୟଗଡା କୋଲନରା ବ୍ଲକ ଅମ୍ବାଗୁଡା ଗାଁର ଇନ୍ଦିରା ହୋଇକା, ବୟସ ୩୦ । ଘରେ ପାଂଚ ଭଉଣୀ ଓ ଗୋଟିଏ ଭାଇଙ୍କ ମଧ୍ୟରେ ସବୁଠୁ ସାନ । ସ୍କୁଲ ମାଡିନାହାନ୍ତି ସେ । କିନ୍ତୁ ସ୍ଥାନୀୟ ଅଂଚଳରେ ଇନ୍ଦିରା ଜଣେ ସଫଳ ଚାଷୀ । ନିଜର ପ୍ରାୟ ପାଂଚ ଏକର ଜମିରେ ସେ ଚାଷ କରୁଛନ୍ତି । ଧାନ ସହ ଆଳୁ, କଲରା, ଟମୋଟୋ, ଜହ୍ନି, ବିନସ୍, ଲଙ୍କା, ଧନିଆ, ବାଦାମ, ଛତୁ ଆଦି ଚାଷ କରୁଛନ୍ତି । କିନ୍ତୁ ଏସବୁ ଚାଷ ସେ ଜୈବିକ ପଦ୍ଧତିରେ କରିଆସୁଛନ୍ତି । ଖାଲି ସେ ନୁହେଁ ତାଙ୍କ ଗାଁ ଲୋକଙ୍କୁ ମଧ୍ୟ ସେ ରାସାୟନିକ ସାର ବ୍ୟବହାର ନ କରି ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ଉତ୍ସାହିତ କରିଛନ୍ତି । ଏବେ ଗାଁର ପ୍ରତ୍ୟେକଟି ଲୋକ ଜୈବିକ ପଦ୍ଧତିକୁ ଆପଣାଇଛନ୍ତି ।
ଇନ୍ଦିରା ଜୈବିକ ପଦ୍ଧତିରେ ଚାଷ ପାଇଁ ସ୍ୱତନ୍ତ୍ର ତାଲିମ ପାଇଛନ୍ତି । ଏହି ତାଲିମ ପରେ ସେ ଗାଁ ଲୋକଙ୍କୁ ରାସାୟନିକ ସାର ବ୍ୟବହାରର ଅପକାରିତା ସମ୍ପର୍କରେ ଜଣାଇଲେ । ଏବେ ସେମାନେ ଗଛରେ ଗୋବର ଖତ ଦେଉଛନ୍ତି । ଏଥିସହ ଗଛର ଶୁଖିଲା ପତ୍ର, ଅନ୍ୟାନ୍ୟ ପରିବା ପତ୍ରର ଚୋପା ଓ ପାଉଁଶ ଆଦିରୁ ପ୍ରସ୍ତୁତ କରନ୍ତି କମ୍ପୋଷ୍ଟ । ଏହାକୁ ହିଁ ଗଛମାନଙ୍କରେ ଦିଆଯାଏ । ଗଛରେ ରୋଗପୋକ ଲାଗିଲେ ନିଜେ ଔଷଧ ତିଆରି କରି ଗଛରେ ସିଂଚନ କରୁଛନ୍ତି ।
ଜୈବିକ ପଦ୍ଧତିରେ ଚାଷ ବାସ କରୁଥିବାରୁ ଅନ୍ୟ ଗାଁଗୁଡିକ ଅପେକ୍ଷା ତାଙ୍କ ଗାଁରେ ପରିବା ପତ୍ର ଅଧିକା ମୂଲ୍ୟରେ ବିକ୍ରି ହୁଏ । ଭଲ ଦି ପଇସା ରୋଜଗାର ବି ହୁଏ ବୋଲି ଇନ୍ଦିରା କୁହନ୍ତି । ରାସାୟନିକ ସାର ବ୍ୟବହାର କରିବା ବନ୍ଦ କରିବା ଫଳରେ ଗାଁ ଲୋକଙ୍କ ଶରୀର ସୁସ୍ଥ ରହୁଥିବା ସେ କହିଛନ୍ତି ।
ଝିଅଟିଏ ହେଲେ ମଧ୍ୟ ପୁଅଙ୍କଠାରୁ କୌଣସି ଗୁଣରେ କମ ନୁହନ୍ତି ଇନ୍ଦିରା । ସେ ନିଜେ ଟ୍ରାକ୍ଟର ଚଳାଇ ଜମିକୁ ଚାଷ ମଧ୍ୟ କରନ୍ତି । ନିଜର ଟ୍ରାକ୍ଟର ନାହିଁ ତେଣୁ ଲିଜରେ ଆଣି ଚାଷ କାମ କରିଥାନ୍ତି ।
କେବଳ ଚାଷବାସ ନୁହେଁ ଇନ୍ଦିରା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ଅଧିକାର ଓ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରୁଛନ୍ତି । ମହିଳାମାନେ କିପରି ନିଜ ନାମରେ ବ୍ୟାଙ୍କରେ ଏକ ପାସବୁକ୍ ଖୋଲିବେ, କିଭଳି ସୁବିଧାରେ ସରକାରୀ ସହାୟତା ସବୁ ପାଇପାରିବେ ଏ ନେଇ ସେ ମାଆମାନଙ୍କୁ ସଚେତନ କରାଇଥାନ୍ତି । ଏଥି ପାଇଁ ସରକାରଙ୍କ ପକ୍ଷରୁ ଇନ୍ଦିରାଙ୍କୁ ମାସିକ ପାଂଚ ହଜାର ଟଙ୍କା ଭତ୍ତା ମିଳୁଛି ।
ଅଭାବରୁ ନିଜେ ପାଠ ନ ପଢି ଟିପ ମାରୁଥିଲେ ମଧ୍ୟ କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ବଳରେ ଟପ୍ ଜୈବିକ ଚାଷୀ ଭାବେ ଅନେକ ପାଠୁଆଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
Comments are closed.