ଜାଣନ୍ତୁ, ଶିଖ୍ ପଗଡ଼ି ପିନ୍ଧି କାହିଁକି ବାହାହେଲେ ଏହି ମୁସଲିମ୍ ବର !

ଚଣ୍ଡିଗଡ଼: ପଞ୍ଜାବର ଅବଦୁଲ୍ ହାକିମ ନାମକ ଜଣେ ଯୁବକଙ୍କ ଏକ କାର୍ଯ୍ୟକୁ ସବୁ ମହଲରୁ ଏବେ ପ୍ରଶଂସାର ସୂଅ ଛୁଟିବାରେ ଲାଗିଛି । ପଞ୍ଜାବ ରାଜ୍ୟ ଗିଦେରବାହା ନିବାସୀ ଏହି ମୁସଲିମ ଯୁବକ ଜଣକ ନିଜ ବାହାଘରରେ ଶିଖ୍ ପଗଡ଼ି ପିନ୍ଧି ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଥିଲେ, ମାତ୍ର କାହିଁକି ସେ ଏପରି କଲେ ଜାଣିଲେ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ ।

ନିକଟରେ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ହିଂସା କଥା ସମସ୍ତେ ଜାଣିଥିବେ । ଏହି ଭୟଙ୍କର ଦଙ୍ଗାରେ କିଛି ଶିଖ ବନ୍ଧୁମାନେ କିପରି ମୁସଲମାନ ଯୁବକଙ୍କୁ ମରଣ ମୁହଁରୁ ବଞ୍ଚାଇଥିଲେ ତାହାର ପ୍ରତି ବଦଳରେ ଏହି ମୁସଲମାନ ଯୁବକ ଜଣକ ନିଜର କୃତଜ୍ଞତା ଜଣାଇବାକୁ ଚେଷ୍ଟା କରିଛନ୍ତି । ଭାରତୀୟ ସଂସ୍କୃତିରେ ବିଭିନ୍ନତା ଭିତରେ ଏକତା ଆଜି ବି ବଞ୍ଚିଛି ତାହାକୁ ଠିକ୍ ଭାବେ ହୃଦୟଙ୍ଗମ କରିଛନ୍ତି ଏହି ମୁସଲିମ ଯୁବକ ଜଣକ । କେବଳ ସେ ଏକା ନୁହଁନ୍ତି ଏହି ମୁସଲିମ ବିବାହ ଉତ୍ସବରେ ଏକାଧିକ ମୁସଲମାନ ଯୁବକମାନେ ଶିଖ ପଗଡ଼ି ପିନ୍ଧି ସାମ୍ପ୍ରଦାୟିକ ସଦଭାବନାର ଉଦାହରଣ ପାଲଟିଛନ୍ତି ।

ଅବଦୁଲଙ୍କ ଶ୍ୱଶୁର ଏହାକୁ ନେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ବର ହୋଇ ଏପରି କରିଥିବାରୁ ମୋତେ ଅନେକ ବଧାଇ ଦେଇଛନ୍ତି । ଦିଲ୍ଲୀ ହିଂସାକାଣ୍ଡରେ ଅନେକ ଶିଖ ମସୁଲିମଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି, ତେଣୁ ଏହି ସାମ୍ପ୍ରଦାୟିକ ସଦଭାବନାକୁ ଆମେ ଏହିପରି ସମ୍ମାନ ପ୍ରଦର୍ଶନ କରିଛୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଣେ ମୁସଲମାନ ମାନେ କେବଳ ଟୋପି ନୁହେଁ, ବରଂ ସଚ୍ଚୋଟତା ଲାଗି ସେ ଜଣେ ସଚ୍ଚା ମୁସଲମାନ ହୋଇପାରିବ । ସେହିପରି କେବଳ ପଗଡ଼ି ଲାଗି ନୁହେଁ ବରଂ ଭଲ କାର୍ଯ୍ୟ ଯୋଗୁଁ ହିଁ ଜଣେ ଶିଖ୍ ଉତ୍ତମ ଶିଖ୍ ହୋଇପାରେ ।