ଭୁବନେଶ୍ୱର: ସେ ମା’ର ଗର୍ଭକୁ ଆସିବା କ୍ଷଣି ତା ଲାଗି ନିଷ୍ପତି ନେବା ଆରମ୍ଭ ହୋଇଯାଏ । ସେ ମା’ର ଗର୍ଭରୁ ମା’ର କୋଳକୁ ଆସିବ ନା ନାହିଁ ସେ ନେଇ ଚାଲେ ଟଣା ଓଟରା । ଭୃଣ ହତ୍ୟା ଲାଗି ଚାଲେ ଯୋଜନା ।
ଆଉ ଯଦି ମାର ଅନେକ ସଂଘର୍ଷ ପରେ ଗର୍ଭରେ ତାକୁ ବଢିବାକୁ ଦିଆଯାଏ । ତେବେ କୋଳକୁ ଆସିବା କ୍ଷଣି ଆରମ୍ଭ ହୋଇଯାଏ ବାଛ ବିଚାର । ସେ କେମିତି ବସିବ କେମିତ ଉଠିବ, କୋଉଠି ପଢିବ କେତେ ପାଠ ପଢିବ, ପାଠ ପଢିବ ନା ନାହଁ ସେ ସବୁର ନିଷ୍ପତି ତାକୁ ନେବାକୁ ଦିଆଯିବ ନାହିଁ । ସେ ଅନ୍ୟ ମାନଙ୍କ ନିଷ୍ପତି, ଅନୁକମ୍ପା, ସହାନୁଭୂତି ରେ ଆଗକୁ ବଢିବ ।
ଯଦି ମଧ୍ୟବର୍ଗ କିମ୍ବା ଧନୀ ଘରର ହୋଇଥିବ ତେବେ ପରିବାରର ଇଛା ଅନୁସାରେ ପାଠ ପଢିବା, ଚାକିରୀ କରିବ ନ ହେଲେ ତାର ବିବାହ କରିଦିଆ ଯିବ । ଆଉ ଯଦି ସେ ଗରିବ ଘରର ହୋଇଥିବ ତେବେ ପର ଘରେ କାମ କରିବ, ଦାଦନ ଖଟିବାକୁ ଯିବ, ନିଜ ପରିବାର କୁ ଛାଡି ସୁଦୂର ଆଉ କାହା ଘରେ ରହି କାମ କରିବ, ତାକୁ କେଉଁ ଦଲାଲ ହାତରେ ବିକ୍ରି କରିଦିଆଯିବ ତ ଦେହ ବ୍ୟାପାର ଲାଗି ନଚେତ ଅତି କମ ବୟସରେ ତାର ବିବାହ କରିଦିଆଯିବ ।
ମଧ୍ୟବିତ କିମ୍ବା ଧନିକ ଶ୍ରେଣୀର ହେଲେବି ନିସ୍ତାର ନାହିଁ । ଘରେ ସବୁ କାମ କରିବ, ସମସ୍ତଙ୍କ କଥା ବୁଝିବ ଆଉ ଚାକିରୀ କରିବାକୁ ଯାଉଥିଲେ ଭଲ । ଘରକୁ ରୋଜଗାର ବି ତ ଦରକାର ନା ହେଲେ ସେଥିପାଇଁ ଘରକାମ କଣ ଆଉ କିଏ କରିବ । ସେମିତି ହେଇପାରିବନି, ଚାକିରୀ ସହ ଘରର ସବୁ କାମ କରିବାକୁ ପଡିବ ଏବଂ ତା ସହ ପିଲାଙ୍କ ପାଠ ପଢା ଦେଖିବା ଏକ ଗୁରୁ ଦାଇତ୍ୱ।
ଚାକିରୀ କ୍ଷେତ୍ରରେ ଯେତେ ଭଲ କାମ କଲେ ବି ପ୍ରଶଂସା ଅପେକ୍ଷା ଆକ୍ଷେପ ଅଧିକ ମିଳବ । ଆଉ ଯଦି ଆଗକୁ ବଢ଼ିବାର ସୁଯୋଗ ମିଳିବ ତେବେ ତା ସହ ଚରିତ୍ର ସଂହାର ସାର୍ଟିଫିକେଟ ବି ମିଳିବ । ତା ଦେହ ଖରାପ ହେଲେ ବୁଝିବାକୁ କେହି ନଥିବେ । ମାସିକ ଋତୁଶ୍ରାବ ସମୟର ଅସହ୍ୟ କଷ୍ଟ ସମୟରେ ସେ ଅଫିସ ଆସି କାମ କରିବ, କାରଣ ତା କଷ୍ଟ କେହି ଶୁଣିବେନି ଛୁଟି ଟିଏ ମିଳିବା ତା ଦୂରର କଥା ।
ଚାକିରୀ ନା କରି ଘରେ ରହିଲେ ବି କଷ୍ଟ କିଛି କମ ନୁହେଁ । ଅହରହ ଯୌତୁକଭଲ ନ ଆଣିଥିବାର ଖୁଣ୍ଟା ଶୁଣିବାକୁ ମିଳିବକା ଭାଗ୍ୟ ବେଶୀ ଖରାପ ଥିଲେ ଶାରୀରିକ ନିର୍ୟ୍ୟାତନା କିମ୍ବା ହତ୍ୟାର ବି ସେ ଶିକାର ହେବ ।
ଶେଷରେ ପରିଣତ ବୟସରେ ବେଳେବେଳେ ନିଜ ସନ୍ତାନ ହିଁ ଦେଇଥାନ୍ତି ନିର୍ୟ୍ୟାତନା ।ଏହାହିଁ ହେଉଛି ଆମ ସମାଜରେ ଜନନୀ, ଜାୟା, ଭଗିନୀ, ଆଉ କନ୍ୟାରତ୍ନଙ୍କ କାହାଣୀ ।
ଆମ ସମାଜ କଣ ଏସବୁ ପ୍ରସଙ୍ଗରୁ କେବେ ବାହାରକୁ ବାହାରି ପାରିବ ନା ଏହିସବୁ ପ୍ରସଙ୍ଗକୁ ଚିରାଚରିତ ଢଙ୍ଗରେ ଆମେ ଅଣଦେଖା କରିବା । ନାରୀ ପୁରୁଷ ସମାନତାର ଦ୍ୱାହି ଦେଇ, ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବା…
Comments are closed.