Latest Odisha News

ଅନ୍ତର୍ଜାତୀୟ ଯୋଗ ଦିବସ: ମୁଖ୍ୟମନ୍ତ୍ରୀଙ୍କ ସହ ନେତା-ମନ୍ତ୍ରୀଙ୍କ ଯୋଗାଭ୍ୟାସ, ଶ୍ରୀନଗରରେ ଯୋଗ ଦିବସ ପାଳିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଜୁନ୍ ୨୧ ତାରିଖ ତଥା ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ସାରା ବିଶ୍ୱ ପାଳୁଛି ଯୋଗ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ଦିନର ଶୁଭାରମ୍ଭ ହୋଇଥିଲା, ଯାହା ଏବେ ୧୦ ବର୍ଷରେ ପହଂଚିଛି । ଏଥରର ଥିମ୍‌ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’। ଏଥିପାଇଁ ଦେଶ, ବିଦେଶ ଓ ରାଜ୍ୟସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁକ୍ରବାର ସକାଳ ୭ଟା ସମୟରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଯୋଗଦେଇଛନ୍ତି।

ସେହିପରି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ ଯୋଗ ଦିବସ ସମାରୋହରେ ଯୋଗ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ନୟାପଲ୍ଲୀର କସ୍ତରୁବା ସ୍କୁଲ ଫିଲ୍ଡ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୁରୀ ସାଂସଦ ସମ୍ବିତ ପାତ୍ର କୋଣାର୍କରେ ହେବାକୁ ଥିବା ଉତ୍ସବରେ ସାମିଲ ହେବେ। ଏହାସହ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ସାଂସଦ ଏବଂ ବିଧାୟକ ମାନେ ମଧ୍ୟ ଯୋଗ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀନଗରର ଶେର-ଏ-କଶ୍ମୀର ଇଂଟରନ୍ୟାସନାଲ କନଭେନସନ୍ ସେଣ୍ଟରରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । ଯୋଗ ଦିବସ ଅବସରରେ ଦେଶ ଓ ଦୁନିଆକୁ ବାର୍ତ୍ତା ଦେଉଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ପାଖାପାଖି ୭ହଜାର ଲୋକ ସାମିଲ ହେବେ ।

Comments are closed.