Latest Odisha News

BREAKING NEWS

ଆଜି ଜୁନ ୨୧ ‘ଆନ୍ତର୍ଜାତିକ ଯୋଗ ଦିବସ’: ସମଗ୍ର ବିଶ୍ୱ ଯୋଗମୟ

ଭୁବନେଶ୍ୱର : ସମଗ୍ର ବିଶ୍ୱକୁ ଯୋଗ ହିଁ ଆଜି ଏକତାବଦ୍ଧ କରିପାରିଛି । ଚାଲନ୍ତୁ ଫେରିଯିବା ସେଇ ନୂଆ ପୃଥିବୀର ଆନନ୍ଦମୟ ମୁହୂର୍ତ୍ତ ଆଡ଼କୁ । ସମଗ୍ର ବିଶ୍ୱବାସୀ ଛାଡ଼ି ଆସିଥିବା ସେଇ ଯୋଗାସନର ସୁବର୍ଣ୍ଣ ଖଚିତ ପ୍ରାତଃକାଳକୁ । ସମଗ୍ର ବିଶ୍ୱକୁ ପୁନର୍ବାର ଖୋଜିବାକୁ ପଡ଼ିବ ମହର୍ଷି ପତଞ୍ଜଳିଙ୍କ ସେହି ଯୋଗସୂତ୍ରକୁ । ବିଶ୍ୱଗୁରୁ ଧର୍ମଗୁରୁ ଭାରତ ଆଜି ଦେଉଛି ସମଗ୍ର ବିଶ୍ୱକୁ ଯୋଗସୂତ୍ରର ଗୁରୁମନ୍ତ୍ର । ସାରା ବିଶ୍ୱ ଆଜି ପାଳନ କରୁଛି ଆନ୍ତର୍ଜାତିକ ଯୋଗ ଦିବସ । ଲାଗୁଛି ସାରା ବିଶ୍ୱ ଆଜି ଯୋଗମୟ ।

 

ଆର୍ଯ୍ୟଭୂମି ଭାରତବର୍ଷର ପ୍ରାଚୀନ ଜୀବନ ଶୈଳୀ ଆଜି ବିଜ୍ଞାନରେ ଯଥେଷ୍ଟ ଅଗ୍ରଗତି କରିଥିବା ସଭ୍ୟ ରାଷ୍ଟ୍ରଗୁଡ଼ିକରେ ବେଶ୍ ଗୁରୁତ୍ୱର ସହିତ ଆଲୋଚିତ ହେଉଛି । ଜର୍ମାନୀ, ଜାପାନ, ଋଷିଆ, ଇରାନ, ଇସ୍ରାଏଲ, କାନାଡ଼ା, ଆମେରିକା, ଅଷ୍ଟ୍ରେଲିଆ, ଆରବ ଓ ଆର୍ଜେଣ୍ଟିନା ପରି ସମୃଦ୍ଧଶାଳୀ ଦେଶ ମାନଙ୍କରେ ଭାରତୀୟ ଯୋଗର ଚାହିଦା ଅହେତୁକ ବୃଦ୍ଧି ପାଇବାରେ ଲାଗିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯୋଗଗୁରୁ ରାମଦେବ ଏବଂ ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଅକ୍ଳାନ୍ତ ପରିଶ୍ରମରେ ସମଗ୍ର ବିଶ୍ୱରେ ଜୁନ ୨୧ ତାରିଖରେ ବିଧିବଦ୍ଧ ଭାବେ ପାଳିତ ହେଉଛି ।

ସମଗ୍ର ବିଶ୍ୱରେ ଶାନ୍ତି, ମୈତ୍ରି, ସଦଭାବ ଓ ଭାତୃତ୍ୱଭାବର ମହତ ଉଦ୍ଦେଶ୍ୟ ରଖି ଦେଶ ଦେଶର ଦୃଷ୍ଟିଭଙ୍ଗୀ ବଦଳାଇବାକୁ ପଡ଼ିବ । କେବଳ ମାଧ୍ୟମ ହେଉଛି ‘ଯୋଗ’ । ଯୋଗ କେବଳ ଆଧ୍ୟାତ୍ମିକତାର ପରିଚୟ ନୁହେଁ ବରଂ ଶାରୀରିକ ସୁସ୍ଥତା, ଆର୍ଥିକ ପ୍ରଗତୀ ଓ ମାନସିକ ସନ୍ତୁଳନତାକୁ ବଜାୟ ରଖିବାରେ ଯୋଗ ଏକ ବିଜ୍ଞାନ ଭାବେ ଦେଶ ଦେଶରେ ଲୋକପ୍ରିୟତା ଅର୍ଜନ କରିପାରିଛି ।

ଭଗବାନ ଶ୍ରୀକୃଷ୍ଣ ଯୋଗର ଆବଶ୍ୟକତାକୁ ବୁଝାଇବାକୁ ଯାଇ ପବିତ୍ର ଗୀତାରେ ଉଲ୍ଲେଖ କରିଛନ୍ତି, ଯେଉଁମାନେ ଅନ୍ୟସବୁକିଛିକୁ ପରିତ୍ୟାଗ କରି କେବଳ ମୋତେ ତାଙ୍କ ଭାବନାରେ ନିମଜ୍ଜିତ କରିପାରିଛନ୍ତି ଏବଂ ମୋ ସହିତ ଯୁକ୍ତ ହେବାର ପ୍ରଚେଷ୍ଟାରେ ରହିଛନ୍ତି ସେମାନଙ୍କର ଯୋଗ ଓ କ୍ଷେମ ବା ସମୃଦ୍ଧି ଓ ମଙ୍ଗଳର କଥା ମୁଁ ସ୍ୱୟଂ ବୁଝିବି ।

ଯୋଗ କେବଳ ମାତ୍ର ଶାରୀରିକ ବ୍ୟାୟାମ ନୁହେଁ ବରଂ ଏହା ଏକ ସମ୍ପୂର୍ଣ୍ଣ ଜୀବନଶୈଳୀ । ଯୋଗ ଚିତ୍ତକୁ ନିର୍ମଳ ଏବଂ ନିର୍ବିଜ କରିବାର ଏକ ସୁକ୍ଷ୍ମ ଅଧ୍ୟାତ୍ମିକ ବିଜ୍ଞାନ ପଦ୍ଧତି । ବିଶ୍ୱର ଆଗଧାଡ଼ିର ବବେଷକମାନେ କହୁଛନ୍ତି ଯୋଗ ଏକ ସମ୍ପୂର୍ଣ୍ଣ ବିଜ୍ଞାନ । ଯୋଗ ହିଁ ଜୀବନର ବିଜ୍ଞାନ । ପ୍ରକୃତରେ ଯୋଗ ହିଁ କେବଳ ବ୍ୟକ୍ତି, ସମାଜ, ରାଷ୍ଟ୍ର ଏବଂ ସମଗ୍ର ବିଶ୍ୱର ଯାବତୀୟ ସମାଧାନର ସମାଧାନ।

ପତଞ୍ଜଳି ଯୋଗସୂତ୍ରାନୁଯାୟୀ ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା ଓ ସମାଧି ଏହା ହିଁ ହେଉଛି ଅଷ୍ଟାଙ୍ଗ ଯୋଗ । ବିନା ଅଷ୍ଟାଙ୍ଗ ଯୋଗ ସାଧନାରେ ଯୋଗର ସମ୍ପୂର୍ଣ୍ଣତା ହୋଇପାରେ ନାହିଁ ବା କେହି ଉପଯୁକ୍ତ ଯୋଗୀଟିଏ ହୋଇ ପାରେ ନାହିଁ । ତେଣୁ ଯୋଗର ସ୍ୱାଭାବିକ ଏବଂ ନୀତି ନିୟମ ପଦ୍ଧତିକୁ ଭାରତୀୟ ପ୍ରାଚୀନ ଯୋଗ ପଦ୍ଧତିରେ ହିଁ ଅଭ୍ୟାସ କରିବାକୁ ପଡ଼ିଥାଏ ।

ଆଜିର ଏହି ଆନ୍ତର୍ଜାତୀକ ଯୋଗ ଦିବସରେ ସମଗ୍ର ବିଶ୍ୱ ହୋଇପଡ଼ିଛି ଯୋଗମୟ । ବିଭିନ୍ନ ମହାଦେଶର ଭିନ୍ନ ଭିନ୍ନ ରାଷ୍ଟ୍ରରେ ଯୋଗାସନରେ ବ୍ୟସ୍ତ ରହିଛନ୍ତି ବିଦେଶୀ ଜନସାଧାରଣ । ୟୁରୋପ, ଆମେରିକା, ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ପ୍ରାୟ ସମସ୍ତ ଏସୀୟ ମହାଦେଶ ମାନଙ୍କରେ ଯୋଗାସାନ, ପ୍ରାଣାୟାମର ସମୂହ ଅଭ୍ୟାସ ଦେଖିବାକୁ ମିଳିଛି ।

ଇଂଲଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା, ଥାଇଲାଣ୍ଡ, ଜାପାନ, ପାକିସ୍ତାନ, ଇରାନ, କୁଏତ, ମାଲେସିଆ, କାନାଡ଼ା, ନେପାଳ, ବାଂଲାଦେଶ, ୟୁକ୍ରେନ, ଋଷିଆ, ମିଆଁମାର, ଚୀନ ଏବଂ ଦକ୍ଷିଣ ଆଫ୍ରିକାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।

Leave A Reply

Your email address will not be published.