Latest Odisha News

BREAKING NEWS

ଲେଖିକାମାନେ ସ୍ୱଚ୍ଛନ୍ଦରେ ନିଜ ଭାବକୁ ପ୍ରକାଶ କରିପାରନ୍ତି ନାହିଁ : ପ୍ରତୀକ୍ଷା ଜେନା

ସମକାଳୀନ ଓଡ଼ିଆ ସାହିତ୍ୟରେ ପ୍ରତୀକ୍ଷା ଜେନା ଏକ ସଶ୍ରଦ୍ଧ ଉଚ୍ଚାରଣ । ସ୍ଵତନ୍ତ୍ର ତାଙ୍କର କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କବିତା କେଉଁଠି ବି ଫୁଟିଉଠି ପାରେ। କେବଳ ଫୁଟେ ନାହିଁ , ତା ‘ ବାସ୍ନାରେ ଖୁବ ଭିଜାଏ ପାଠକ ପାଠିକାଙ୍କୁ। ପୁଣି ଉପନ୍ୟାସର ଶବ୍ଦ ବିନ୍ୟାସ, ଚରିତ୍ର ଚିତ୍ରଣ ଏବଂ ନିତିଦିନିଆ ଜୀବନର ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ ପ୍ରସଂଶା କରିବାପାଇଁ।

ତାଙ୍କ ରଚିତ ସ୍ତ୍ରୀ ଲୋକର ଶବ୍ଦାର୍ଥ, ନିଆଁର କୋଲାଜ. ନିଜ ବିଷୟରେ ଖରାପ କବିତା, ସାରା ରାସ୍ତା ପ୍ରଭୃତି ପୁସ୍ତକ ସାଉଁଟିଛି ବିପୁଳ ପାଠକୀୟ ଆଦୃତି। ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ତଥା ସବର୍ଦ୍ଧିତା ।

ଲେଖିକା ପ୍ରତୀକ୍ଷା ଜେନାଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ଆଳାପ

 

 

ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ମୂଖ୍ୟ ଉତ୍ସ କ’ଣ ଥିଲା ?

ଏ ପ୍ରଶ୍ନ ଅନେକବାର କେହି କେହି ପଚାରିଛନ୍ତି। ଯେବେ କବିତା ପଢି ଅଜଣା ପାଠକ ଜଣେ ଏଇ ପ୍ରଶ୍ନ ବଡ ଉତ୍ସୁକତାରେ ପଚାରନ୍ତି ଏବଂ ମୁଁ ହସିଦିଏ। ହୁଏତ ଉତ୍ତର ଦେବାରେ ଅସଫଳ, ଅସମର୍ଥ ମୁଁ । ମୋ ବୟସ ଏବେ ସତଚାଳିଶ । ଯଦି ୩୫ବର୍ଷ ଅତୀତକୁ ଫେରୁଛି ଓ ମୋ ନିଜକୁ ଏଇ ସମାନ ପ୍ରଶ୍ନ ପଚାରୁଛି, ତେବେ ଅସହାୟ ମୁଁ । ଜାଣିନି କାହିଁକି ଆକାଶର ତାରାମାନେ ଓ ବର୍ଷାଋତୁରେ ଡାଳରେ ଓଦା ଅପରାଜିତା ମତେ ସମ୍ମୋହନ କରୁଥିଲା । ଜାଣିନି କାହିଁକି, କେହି କେଉଁଠି ନଥିଲେ ଅଥଚ ଅପେକ୍ଷା ଥିଲା। କହିପାରିବେ ! ନିଆଁରେ ପତଙ୍ଗ ଝାସ ଦିଏ କାହିଁକି ?

କବିତା ରଟନା ପାଇଁ ବିଶେଷ ଭାବରେ ଆଗ୍ରହୀ ହେଲେ କାହିଁକି ?

ମୁଁ ଯେତେବେଳେ ସ୍କୁଲରେ ଥିଲି, ସେ ସମୟରେ ପ୍ରାଚୀର ପତ୍ରିକାରେ ରେ ପ୍ରଥମେ ଯେଉଁ ଲେଖା ବାହାରିଥିଲା ସେ ଗୋଟେ ଚିଠି ଥିଲା। ପଲିଟେକନିକରେ ପଢିଲାବେଳେ ପ୍ରଥମେ ଦୁଇ ତିନିଟା ଗପ ଲେଖିଥିଲି। ଗପ ଲେଖାରେ ହୁଏତ ସେ ସମୟରେ ସନ୍ତୁଷ୍ଟ ହେଇ ପାରିନଥିବି ବା ମୁଁ କ’ଣ ଲେଖୁଛି ଓ କ’ଣ ଲେଖିବାକୁ ଚାହୁଁଛି ସେ ବିଷୟରେ ମୋର ଅବବୋଧ ନଥିବ। ମୁଁ ବିଜ୍ଞାନର ଛାତ୍ରୀ ଥିଲି ଏବଂ ମୋ ପରିବେଶ ଆଦୌ ସାହିତ୍ୟ ଅନୁକୁଳ ନ ଥିଲା। ତେଣୁ ମତେ ରାସ୍ତା ଦେଖେଇଦେବାକୁ ଅଥବା ମୁଁ ଯାହା ଲେଖୁଛି ସେ ଗପ କି କବିତା, ସେ କଥା ଜଣେଇ ଦେବାକୁ କେହି ନ ଥିଲେ। ୧୯୯୪ ମସିହାରେ ଥରେ ଭୂବନେଶ୍ୱର ବୁକ୍ ଫେୟାର୍ ବୁଲିବାକୁ ଆସିଥିଲି ସନ୍ଧ୍ୟାରେ ହଷ୍ଟେଲରୁ… ମୁଁ ଷ୍ଟଲ୍ ରୁ ଷ୍ଟଲ୍ ବୁଲି ବହି ଦେଖୁନଥିଲି, ଭାବୁଥିଲି କେହି କବି ମତେ ଦିଶି ଯାଆନ୍ତେନି ! କବିଟେ ଦେଖିବାକୁ କିପରି ଖୁବ୍ ଇଛା ଥିଲା ଦେଖିବାକୁ । ଏହା କହିବାର ଅର୍ଥ, ଏଇଭଳି ସାହିତ୍ୟିକ ପରିବେଶରୁ ଅନେକ ଦୂରରେ ଥିଲି । ଦୁଇ ତିନିଟା ଗପ ପରେ ମୁଁ ତଳକୁ ତଳ ସଜେଇ ଲେଖିବା ଆରମ୍ଭ କଲି, ଯାହା ସବୁ ମନକୁ ଆସେ, ଯାହା ଯାହା ଲେଖିବାକୁ ମନହୁଏ । ମୋ ରୁମ୍ ମେଟ୍ ଝିଅଟି ପଢେ ସେସବୁ ଓ ତାକୁ କବିତା ବୋଲି କହି ସବୁ କବିତା ତଳେ ଚିତ୍ର ଆଙ୍କିଦିଏ। ସେଇ ଦିନରୁ କବିତା ଲେଖା ଚାଲିଛି । ସତ କହିଲେ କବିତା ମତେ ବାଛିଚି, ମୁଁ ତା’ରି ଧୂନ୍ ରେ ଚାଲିଛି ମାତ୍ର ।

ବ୍ୟକ୍ତିଗତ ଜୀବନ ସାହିତ୍ୟ ସୃଷ୍ଟିରେ କେବେ ବାଧକ ସାଜିଛି କି ? ତାର ସାମ୍ନା କିପରି କରିଛନ୍ତି ?

ସାହିତ୍ୟ କରୁଥିବା ପ୍ରାଣଟି ଯଦି ସ୍ତ୍ରୀଲୋକର, ତେବେ ଅନେକ ସମ୍ଭାବନା ଥାଏ ବ୍ୟକ୍ତିଗତ ଜୀବନ ବାଧକ ସାଜିବାରେ । ବିବାହ ପୂର୍ବରୁ ସେପରି ଅନୁଭବ କରିନି କିମ୍ବା ସେପରି ପ୍ରତିବନ୍ଧକ ନଥିଲା ଯଦିଓ ବାପାଙ୍କୁ ଲୁଚେଇ ଲୁଚେଇ ଲେଖେ । ମୋ ପରିବାର ଖୁବ୍ ସ୍ୱାଧୀନ ଚିନ୍ତାଧାରା ଓ ମୁକ୍ତ ଥିଲା ଏସବୁରେ । ବାହାଘର ପରେ ଝିଅମାନଙ୍କର ପୁନର୍ଜନ୍ମ ହୁଏ ଆମ ଭାରତୀୟ ସମାଜରେ, ତେଣୁ ଜୀବନ ବଦଳିଯାଏ। ବିବାହର ବାର ବର୍ଷ ଯାଏ ମୁଁ ଧାଡିଏ ଲେଖିପାରିନି । ପରିସ୍ଥିତି ଓ ସମୟ ପ୍ରତିକୁଳ ଥିଲା। ଅନ୍ଧାରରେ କବିତାର ଧାଡି ଡାଇରିରେ ଗାରେଇ ଦେଇ ତକିଆ ତଳେ ଲୁଚେଇ ଦେଇଛି କେବେକେବେ। କିନ୍ତୁ ସେ ସମୟ ବି ଚାଲିଗଲା । ମୋର ଅନୁଭୂତି ଆମ ପରିବାର ଓ ସମାଜରେ ଏବେ ବି ସ୍ତ୍ରୀଲୋକ ପାଇଁ ନିଜ ପ୍ୟାସନ, ନିଜ ସୈାକ୍ କୁ ପାଳାବାର ଅନୁମତି ସହଜରେ ମିଳେନାହିଁ । ତେବେ ଦୃଢ ଇଛାଶକ୍ତି ଓ ପ୍ରତିବାଦରେ ସବୁ ଅସମ୍ଭବ, ସମ୍ଭବ ହୋଇପାରେ । କଲମ ଆମକୁ ଯେଉଁ ସାହସ ଦେଇଥାଏ ଲେଖିବାକୁ, ସେଇ ସାହସ ଟିକକ ସବୁ ସହଜ କରିଥାଏ । ମୋ କ୍ଷେତ୍ରରେ ବି ସେପରି ହୋଇଛି । ମୁଁ ଫେମିନିଜିମ୍ କୁ ଦୈନନ୍ଦିନ ଜୀବନରେ ଜିଇଁ ଥାଏ ।

ଜଣେ ଲେଖିକା ନିଜର ଭାବ ପ୍ରକାଶ କରିବାରେ ସାମାଜିକ ବନ୍ଧନ ବାଧା ସୃଷ୍ଟି କରେ ବୋଲି ଆପଣ ଭାବନ୍ତି କି ?

ହଁ ପ୍ରତ୍ୟକ୍ଷ ଭାବରେ ନହେଲେ ବି ପରୋକ୍ଷରେ ପ୍ରଭାବ ପକେଇଥାଏ । ପୁଣି ଥରେ କହିବି ଲେଖୁଥିବା ମଣିଷଟି ସ୍ତ୍ରୀଲୋକ ହୋଇଥିଲେ ଏପରି ମାନସିକ ନିର୍ଯ୍ୟାତନାର ଶୀକାର ହୋଇଥାଏ । ମୁଁ ଏଠି ମୋ ବ୍ୟକ୍ତିଗତ ଅନୁଭବର କଥା ହିଁ କହିବି। ଯଦି ସେ ପ୍ରେମ କବିତା ଲେଖୁଥାଏ, ତେବେ ପ୍ରେମିକଟେ ଗଢା ହେଇଯାଏ ତତକ୍ଷଣାତ୍, ଯଦି ଫେମିନିଜିମ୍ ର କଥା କୁହେ ତାକୁ ଉଦଣ୍ଡୀ ବୋଲି ଆଖ୍ୟା ମିଳେ…ବୋଲ୍ଡ ଶବ୍ଦ କି କନସେପ୍ଟ ରେ ଲେଖିଲେ ତାକୁ ସନ୍ଦେହ କରାଯାଏ । ମୋର ଅନେକ କବିତାକୁ ମୁଁ ଲେଖେନି, ମୋର ପୁରୁଷ ସହକବି ହୁଏତ ସେମାନଙ୍କ ଭାଷାରେ ପ୍ରେମିକ, ଲେଖିଦିଏ ବୋଲି ଗୁଜବ ଉଠେ। ସେ ଗୁଜବର ଏକମାତ୍ର କାରଣ, ମୋ କବିତାର ଷ୍ଟାଇଲ୍ ଓ ଆପ୍ରୋଚ୍ ଚିରାଚରିତ ନାରୀ କବିଙ୍କଠାରୁ ଭିନ୍ନ ତେଣୁ ମୁଁ ସ୍ତ୍ରୀଲୋକଟେ ହେଇ ସେପରି କବିତା ଲେଖିବାର ସାହସ ରଖେନି । ଏସବୁ ଖୁବ୍ ହାସ୍ୟାସ୍ପଦ ସତରେ । ଆଉ ଗୋଟେ କଥା କହିବା ଉଚିତ୍ ମନେ କରିବି ଏଠି, ପୁରୁଷ ଲେଖକଟି କିଛି ବି ଶବ୍ଦ ବ୍ୟବହାର କରିପାରିବ ନିଜ ଲେଖାରେ। ସ୍ତ୍ରୀଲୋକଟି ନିଜ ଅଙ୍ଗକୁ ବି ଖୋଲିକି ଲେଖିବାରେ ପ୍ରତିବନ୍ଧକ ଅଛି। ସେ ଯଦି ଲେଖୁଛି ତେବେ ଆମ ସମାଜ ଓ ସାହିତ୍ୟରେ ଗ୍ରହଣଶୀଳତାର ଘୋର୍ ଅଭାବ। ଅବଶ୍ୟ ସମସ୍ତେ ସେପରି ଭାବନ୍ତିନି । ତଥାପି ଆମ ନାରୀ ଲେଖିକାମାନେ ସ୍ୱଚ୍ଛନ୍ଦରେ ନିଜ ଭାବକୁ ପ୍ରକାଶ କରିବାରେ ଏବେ ବି ଝୁଣ୍ଟୁଛନ୍ତି ବୋଲି କହିବି ।

ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?

ହା ହା….ସେ ଇପ୍ସିତ ସୃଷ୍ଟିଟି ପୁରୁଷ ହୋଇ ମତେ ବାସ୍ନା ବଣରେ ବାଟବଣା କରୁ ଏ ଜନ୍ମରେ ଓ ମୁଁ ତାକୁ କେବେ ବି ନ ଭେଟିବାର ବିରହ ଭୋଗୁଥାଏ ମୃତ୍ୟୁଯାଏ ।

୬. ଆପଣଙ୍କ ବହୁ ଆଦୃତ ଉପନ୍ୟାସ ‘ସାରା ରାସ୍ତା’ର ପରିକଳ୍ପନା ପଛରେ କେଉଁ କାହାଣୀ ଥିଲା ?

ପ୍ରଥମେ ମୋର ପ୍ରତ୍ୟେକ ପାଠକଙ୍କୁ ଶ୍ରେୟ ଦେବି ଯେଉଁମାନେ ‘ସାରା ରାସ୍ତା’ରେ ଚୈତ୍ରାକୁ ଏତେ ଆବେଗରେ ଆଦରି ନେଲେ ଓ ଆପଣଙ୍କୁ ବି ଧନ୍ୟବାଦ ଏ ପ୍ରଶ୍ନଟି ପାଇଁ। ମୁଁ କବିତା ଲେଖିବା ଲୋକ।‌ ଉପନ୍ୟାସ ଲେଖିପାରିବି ମୋ କଳ୍ପନା ବାହାରେ ଏକଦମ। ତେବେ କହିବି ପୁଞ୍ଜିଭୂତ କ୍ଷୋଭ ଓ ପାଗଳାମିର ପ୍ରବଣତା ହିଁ ଏ ଉପନ୍ୟାସର ଉତ୍ସ। ତା ସହିତ ଏକ ସ୍ତ୍ରୀ ଲୋକର ବେପରୁଆ ଓ ଏକ ଦିଗହୀନ ଯାତ୍ରା ‘ସାରା ରାସ୍ତା’ର ମୂଳପିଣ୍ଡ ବୋଲି କହିବି ।

୭. ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହାଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?

ବ୍ୟକ୍ତିଗତ ଭାବରେ ମୁଁ ବହୁତ ଖୁସି ହେଇଯାଏ ପୁରସ୍କାରଟେ ପାଇଲେ । ଛୋଟ ଝିଅଟେ ପରି ଡେଇଁପଡେ। ଯଦିଓ ପୁରସ୍କାର ଲେଖକର ପ୍ରାପ୍ତି ନୁହେଁ । ତେବେ ସମ୍ମାନ ଓ ସ୍ୱକୃତି ଲେଖକଟି ପାଇଁ ମଲ୍ଟି ଭିଟାମିନ୍ ପରି କାମ କରେ । ଦେଖନ୍ତୁ ଲେଖକଟି ବି ରକ୍ତ ମାଂସର ସାଧାରଣ ମଣିଷ ଜଣେ । ତେଣୁ ପୁରସ୍କାର, ସମ୍ମାନର ମୋହରୁ ସେ ଯେ ମୁକ୍ତ ରହିବ, ସେପରି ଅସମ୍ଭବ। କିନ୍ତୁ ସେ ମୋହଗ୍ରସ୍ତ ହେବା ଭୁଲ୍ । ଲେଖକ ଫୁଲର ସୁଗନ୍ଧ ଭଳି, ତା ବାସ୍ନାରେ ବିଭୋର ହେଇ କେହି ଘଡିଏ ପାଖରେ ଠିଆ ହେଇଯାଉ କି ପାଗଳ ହେଇଯାଉ…..ଯଥେଷ୍ଟ ସେତିକି।

ପ୍ରକୃତରେ ଲେଖକଟିଏ ଜଣେ ଦାୟିତ୍ୱବାନ ମଣିଷ ବୋଲି ମତେ ଲାଗେନି। ସେ ଅଘୋରୀ ଅବା ଯୋଗୀ ପରି। ସେ ସବୁବେଳେ ସେପରି ରହେ, ସମ୍ମାନିତ ହେବା ପୂର୍ବରୁ ଓ ପରେ ବି..।

୮. ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟକ କେତେ ମାତ୍ରାରେ ସହାୟକ ହୋଇଛି ?

ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମଗୁଡିକ ନିଶ୍ଚିତ ରୂପରେ ସାହିତ୍ୟର ପ୍ରଚାର ଓ ପ୍ରସାରରେ ସହାୟକ। ଦେଖନ୍ତୁ, ଫେସବୁକ୍ ରେ ପରିଚୟ ନ ଥିଲେ ହୁଏତ ଆପଣ ମୋ ଲେଖାକୁ ଓ ମତେ ଚିହ୍ନିବାରେ ବିଳମ୍ବ ହୁଅନ୍ତା ଅବା ହୁଅନ୍ତା ହିଁ ନାହିଁ। ମୁଁ ସ୍କୁଲରେ ପଢିଲା ବେଳେ ମୋର ପ୍ରିୟ ଲେଖକ ଗୈାରହରି ଦାସଙ୍କ ‘ଜୀବନର ଜଳଛବି’ ପଢି ମନେମନେ ଭାବୁଥିଲି, ସେ ମଣିଷ କିପରି ହେଇଥିବେ! ମୁଁ ଥରେ ଦେଖନ୍ତିନି ! ସମୟ ବଦଳିବା ସହ ସାମାଜିକ ଗଣମାଧ୍ୟମଗୁଡିକ ଯୋଗୁଁ ଏସବୁ କେତେ ସହଜ ହେଇଛି ଦେଖନ୍ତୁ । ଆଜି ଆମେ ଆଙ୍ଗୁଳି ଟିପରେ ଆମ ପ୍ରିୟ ଲେଖକଟିକୁ ପଢିପାରୁଛୁ, ପାଇପାରୁଛୁ ସହଜରେ। ତେଣୁ ସମୟ ସହ ସାହିତ୍ୟର ପରିସର ବି ବ୍ୟାପ୍ତ ହୋଇଛି ।

୯. ଜଣେ ଲେଖକର ସାମାଜିକ ଦାୟିତ୍ଵବୋଧ କିପରି ହେବା ଆବଶ୍ୟକ ?

ଏ ପ୍ରଶ୍ନର ଉତ୍ତରରେ କହିବି ଲେଖକଟି ସମାଜ ସଂସ୍କାରକ କଦାପି ନୁହେଁ । ସେ ସମାଜରେ କିଛି ପରିବର୍ତ୍ତନ ବା ସୁଧାର ଆଣିବା ପାଇଁ ଲେଖିଲା ବେଳେ ଭାବି ଲେଖିନଥାଏ। ସେ ତା ଲେଖାରେ ପ୍ରମତ୍ତ ଚିରକାଳ। ତେଣୁ ଲେଖକର ସାମାଜିକ ଦାୟିତ୍ୱ ବୋଧ ଥାଏ ବୋଲି ଯେଉଁମାନେ ଦାବି କରନ୍ତି ବା ଆଶା କରନ୍ତି, ସେସବୁ ବୃଥା। ସମାଜ ଉପରେ ଲେଖାର କୈାଣସି ପ୍ରତ୍ୟକ୍ଷ ପ୍ରଭାବ ପଡିନଥାଏ ।

୧୦. ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କ’ଣ ସ୍ଵପ୍ନ ଦେଖନ୍ତି ?

ଏଇ ପ୍ରଶ୍ନଟି ମୋର ମନରେ ଉଠୁଥିବା ପ୍ରଶ୍ନ। ସାହିତ୍ୟକୁ ନେଇ ସ୍ୱପ୍ନ ଦେଖିଛି, ଯୋଗିନୀ ଭଳି। ଭାବନ୍ତୁ ଗୋଟେ ଅନିୟନ୍ତ୍ରିତ ନଈର ସ୍ରୋତ ମୁଁ ଓ ମୋର ପ୍ରବାହ କୁଆଡେ ଜାଣିନି।

Comments are closed.