Latest Odisha News

ଆଇପିଏଲ୍ ୨୦୨୪: ବାରବାଟୀ ଷ୍ଟାଡିୟମରେ ଖେଳାଯାଇପାରେ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍

କଟକ: ବାରବାଟୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଏକ ମ୍ୟାଚ ଖେଳାଯାଇପାରେ। ମାର୍ଚ୍ଚରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ମ୍ୟାଚ ଆରମ୍ଭ ହେଉଥିବା ବେଳେ ଓଡ଼ିଶା କ୍ରୀଡାପ୍ରେମୀମାନଙ୍କ ପାଇଁ ଏହା ଏକ ଖୁସି ଖବର ବୋଲି କୁହାଯାଉଛି।

ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସ ପୁଣେ ଓ କଟକରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। କାରଣ ମହିଳା ପ୍ରିମିୟର ଲିଗ୍ ଫାଇନାଲ୍ ମ୍ୟାଚ୍ ଆୟୋଜନ ପରେ ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମ୍ ଆଇପିଏଲ୍ ଆୟୋଜନ କରିବାକୁ ପ୍ରସ୍ତୁତ ହେବ ନାହିଁ।

ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ୍ (ଡିଡିସିଏ) ବିସିସିଆଇକୁ ଜଣାଇଛି ଯେ ଆଇପିଏଲ୍ ୨୦୨୪ର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭେନ୍ୟୁ ପ୍ରସ୍ତୁତ ହେବ ନାହିଁ। ଡିଡିସିଏର ଜଣେ ଅଧିକାରୀ କହିଛନ୍ତି, ଦିଲ୍ଲୀର ପ୍ରଥମ ଦୁଇଟି ମ୍ୟାଚ୍ ପୁଣେ ଓ କଟକକୁ ସ୍ଥାନାନ୍ତର କରାଯିବ। ଏ ନେଇ ଆମେ ବିସିସିଆଇକୁ ଅବଗତ କରିଛୁ।

ବିସିସିଆଇ ଗୁରୁବାର ଆଇପିଏଲ୍ ୨୦୨୪ର ଆଂଶିକ କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ମେଗା ଇଭେଣ୍ଟ ମାର୍ଚ୍ଚ ୨୦ରୁ ୨୨ ତାରିଖ ମଧ୍ୟରେ ଆରମ୍ଭ ହେବ।

ସୂଚନାଯୋଗ୍ୟ, ଦିଲ୍ଲୀ ୧୩ ଦିନ ମଧ୍ୟରେ ମହିଳା ପ୍ରିମିୟର ଲିଗ୍ ର ୧୧ଟି ମ୍ୟାଚ୍ ଆୟୋଜନ କରିବ। ଅରୁଣ ଜେଟଲୀ ଷ୍ଟାଡିୟମରେ ମାର୍ଚ୍ଚ ୫ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଡବ୍ଲୁପିଏଲ ୨୦୨୪ ଖେଳାଯିବ ଏବଂ ଏହାପରେ ଆଇପିଏଲ ୨୦୨୪ ପାଇଁ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି ।

ମାର୍ଚ୍ଚ ୨୪ରେ ଦିଲ୍ଲୀ କ୍ୟାପିଟାଲସର ପ୍ରଥମ ମ୍ୟାଚ୍ ଖେଳାଯିବ। ତେଣୁ କାର୍ଯ୍ୟକ୍ରମ ସ୍ଥଳ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ ନାହିଁ।

Leave A Reply

Your email address will not be published.