Latest Odisha News

BREAKING NEWS

ଆଇପିଏଲ ପ୍ଲେ ଅଫ: କେଉଁ ଟିମ ରହିଛି କେତେ ମଜଭୁତ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପ୍ଲେ ଅଫ ପାଇଁ ଟିମ ଚୂଡାନ୍ତ ହୋଇ ସାରିଛି । ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର କ୍ୱାଲିଫାୟର ୧କୁ ଉନ୍ନୀତ ହୋଇଛି । ଗୁଜରାଟ ଟାଇଟାନ୍ସ ଏଲିମିନେଟରରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ । ଆସନ୍ତୁ ୪ଟିମର ପ୍ଲେ ଅଫ ପ୍ରଦର୍ଶନ ଉପରେ ନଜର ପକାଇବା ।
ମୁମ୍ବାଇ ଇଣ୍ଡିଆନ୍ସ: ୫ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏଲିମିନେଟରରେ ଗୁଜରାଟକୁ ଭେଟିବ । ପ୍ରଥମରୁ ମୁମ୍ବାଇର ପ୍ରଦର୍ଶନ ଖରାପ ଥିଲେ ମଧ୍ୟ ଯଶପ୍ରୀତ ବୁମରାହ ଓ ଟ୍ରେଂଟ ବୋଲ୍ଟଙ୍କ ପ୍ରତ୍ୟାବର୍ତନ ପରେ ଦଳ ମଜଭୁତ ହୋଇ ଯାଇଥିଲା । ବୋଲ୍ଟ ୧୯ ଓ ବୁମରାହ ୧୭ ୱିକେଟ ନେଇଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମ ଦଳକୁ ଫାଇଦାରେ ରଖୁଛି । ସୂର୍ଯ୍ୟକୁମାର ଓ ର‌୍ୟାନ ରିକେଲଟେନଙ୍କ ବ୍ୟତୀତ ଅନ୍ୟମାନଙ୍କ ଫର୍ମ ଚିନ୍ତାର କାରଣ ସାଜିଛି ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର: ଆରସିବି ଏଥର ଜବରଦସ୍ତ ଫର୍ମରେ ରହିଛି । ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୧୩ ଇନିଂସରେ ୬୦୨ ରନ ସଂଗ୍ରହ କରିଛନ୍ତି । ରଜତ ପାଟୀଦାର, ଜୀତେଶ ଶର୍ମା, ଫିଲ ସଲ୍ଟ ଓ ଦେବଦତ ପାଡିକଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି । ତେବେ ଦଳ ସମ୍ପୂର୍ଣ୍ଣ ଭାବେ କୋହଲିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରୁଛି । ଜୋଶ ହାଜେଲଉଡ ଦଳ ପାଇଁ ଟ୍ରମ୍ପ କାର୍ଡ ସାଜିଛନ୍ତି । କୃଣାଳ ପାଣ୍ଡ୍ୟା ମଧ୍ୟ ଭଲ ବୋଲିଂ ଜାରୀ ରଖିଛନ୍ତି ।
ପଞ୍ଜାବ କିଙ୍ଗସ: ପ୍ରଭସିମ୍ରନ ସିଂ, ପ୍ରିୟାଂଶ ଆର୍ଯ୍ୟ ପଞ୍ଜାବ କିଙ୍ଗସ ପାଇଁ ଓପିନଂରେ ଭଲ ପାର୍ଟନରଶିପ ସଂଗ୍ରହ କରି ଆସିଛନ୍ତି । ୧୩ ଇନିଂସରେ ସେମାନେ ୪୩୩ ରନ କରିଛନ୍ତି । ଅଧିନାୟକ ଶ୍ରେୟାଶ ଆୟାର ୪୮୮ ରନ କରି ମାରାତ୍ମକ ଫର୍ମରେ ଅଛନ୍ତି । ତେବେ ୭ରୁ ୧୫ ଓଭର ମଧ୍ୟରେ ଦଳ ଅଧିକ ରନ ବ୍ୟୟ କରୁଛି । ଯାହାର ଫାଇଦା ବିପକ୍ଷ ଦଳ ଉଠାଇପାରେ ।

ଗୁଜରାଟ ଟାଇଟାନ୍ସ: ଚଳିତ ସଂସ୍କରଣରେ ଗୁଜରାଟ ଟାଇଟାନ୍ସର ବ୍ୟାଟ୍ସମ୍ୟାନମାନେ ସ୍ଥିର ପ୍ରଦର୍ଶନ ଜାରି ରଖିଛନ୍ତି । ସାଇ ସୁଦର୍ଶନ ଓ ଶୁଭମନ ଗିଲ ୧୩ ଇନିଂସରେ ୮୮୫ ରନ ଯୋଡିଛନ୍ତି । ଜୋସ ବଟଲର ଦଳର ମୂଖ୍ୟ ଅସ୍ତ୍ର ସାଜିଛନ୍ତି । ତେବେ ଦଳର ଷ୍ଟାର ବୋଲର ରଶିଦ ଖାଁଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସେ ମାତ୍ର ୮ଟି ୱିକେଟ ଅକ୍ତିଆର କରିଛନ୍ତି । ପ୍ଲେ ଅଫରେ ରଶିଦଙ୍କ ଭଲ ଫର୍ମ ଦଳ ପାଇଁ ଜରୁରୀ ହୋଇ ପଡିଛି ।

 

 

Comments are closed.