Latest Odisha News

ଆଇପିଏଲ ନିଲାମ: ବାଂଲାଦେଶ ଖେଳାଳିଙ୍କୁ କେହି କିଣିଲେ ନାହିଁ

ଜେଦାହ: ଆଇପିଏଲ ମେଗା ନିଲାମରେ ଏଥର କୌଣସି ବାଂଲାଦେଶୀ ଖେଳାଳିଙ୍କୁ ଫ୍ରାଂଚାଇଜରମାନେ ଦଳରେ ନେଇ ନାହାନ୍ତି । ପାକିସ୍ତାନ ପରେ ବାଂଲାଦେଶ ଖେଳାଳିଙ୍କୁ ସାଇଡଲାଇନ କରାଯାଇଥିବା ନେଇ ଆଲୋଚନା ଜୋର ଧରିଛି । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଏବଂ ଶାସନ ପରିବର୍ତନ ପରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ନିକଟରେ ବାଂଲାଦେଶର ହିନ୍ଦୁ ପୂଜାରୀ ଓ ଇସ୍କନର ପୂର୍ବ ମୂଖ୍ୟ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଯାହାକୁ ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ।

ବାଂଲାଦେଶର ଖେଳାଳିଙ୍କୁ ନ ନେବା ଏହାର ଏକ କାରଣ ଭାବେ ମଧ୍ୟ ବିବେଚନା କରାଯାଉଛି । ଆଇପିଏଲ ମେଗା ନିଲାମରେ ୧୨ଜଣ ବାଂଲାଦେଶୀ ଖେଳାଳି ଶର୍ଟଲିଷ୍ଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ମୁସ୍ତାଫିଜୁର ରହେମାନ, ରିଶାଦ ହୁସେନ, ଲିଟନ ଦାସ, ଟସ୍କିନ ଅହମ୍ମଦ, ଶାକିବ ଉଲ ହାସନ, ମେହଦୀ ହାସନ ମିରାଜ ଓ ଶୋରିଫୁଲ ଇସଲାମଙ୍କ ପରି ଷ୍ଟାର ଖେଳାଳି ମଧ୍ୟ ରହିଥିଲେ । ଏହି ଖେଳାଳିଙ୍କୁ କୌଣସି ଫ୍ରାଂଚାଇଜର ନେବା ନେଇ ଆଗ୍ରହ ପ୍ରକାଶ କରି ନ ଥିଲେ ।

ଏହା ପୂର୍ବରୁ ପାକିସ୍ତାନର ୧୧ଜଣ ଖେଳାଳି ୨୦୦୮ରେ ଗୋଟିଏ ମାତ୍ର ଆଇପିଏଲ ଖେଳିଥିଲେ । ସଲମାନ ବଟ୍ଟ, ଶୋଏବ ଅଖତାର, ମହମ୍ମଦ ହାଫିଜ, ଉମର ଗୁଲ, କାମରନ ଅକମଲ, ୟୁନୁସ ଖାଁ, ସୋହେଲ ତନଭୀର, ମହମ୍ମଦ ଅସିଫ, ଶୋଏବ ମଲିକ, ଶାହୀଦ ଆଫ୍ରିଦୀ ଓ ମିସବା ଉଲ ହକ ଆଇପିଏଲ ଖେଳିଥିଲେ । ଏହା ପରେ ଉଭୟ ଦେଶ ମଧ୍ୟରେ ଅଶାନ୍ତି ଲାଗିଥିଲା । ୨୦୦୯ ପରଠାରୁ ପାକିସ୍ତାନ ଖେଳାଳିଙ୍କୁ ଆଉ ଆଇପିଏଲରେ ସାମିଲ କରାଯାଇ ନ ଥିଲା ।

Leave A Reply

Your email address will not be published.