ନୂଆଦିଲ୍ଲୀ :୧୩ ଜୁନରେ ଆରମ୍ଭ ହୋଇଥିବା ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ଭିନ୍ନ୍ ମୋଡ଼ ନେଇଛି । ଯୁଦ୍ଧ ୧୦ମ ଦିନରେ ଅର୍ଥାତ୍ ୨୨ ଜୁନରେ ଏଣ୍ଟ୍ରି ମାରିଛି ଆମେରିକା । ଇରାନର ତିନୋଟି ପରମାଣୁ ଘାଟିକୁ ଟାର୍ଗେଟ କରିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, “ଆମେ ଇରାନର ତିନୋଟି ପରମାଣୁ ସ୍ଥାନରେ ଆମର ଅତି ସଫଳ ଆକ୍ରମଣ ସମ୍ପୂର୍ଣ୍ଣ କରିଛୁ।” ଏହି ଆକ୍ରମଣ ପରେ ଆମେରିକା ପକ୍ଷରୁ କୁହାଯାଇଛି ଯେ ସେ ଇରାନ ସହ ଯୁଦ୍ଧରେ ନାହିଁ, କେବଳ ପରମାଣୁ ପ୍ଲାଣ୍ଟକୁ ଟାର୍ଗେଟ କରିଥିଲା। ଏପରି ସ୍ଥିତିରେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଯଦି ଆମେରିକା ଏହି ଯୁଦ୍ଧରେ ପୂର୍ଣ୍ଣ ରୂପେ ଅଂଶଗ୍ରହଣ କରେ, ତେବେ ସେ କେତେ ସମୟରେ ସମଗ୍ର ଇରାନକୁ ଧ୍ୱଂସ କରିପାରିବ। ଆସନ୍ତୁ, ଆମେରିକା ପାଖରେ ଥିବା ବିପଦଜନକ ଅସ୍ତ୍ରଶସ୍ତ୍ରର କ୍ଷମତା ବିଷୟରେ ଜାଣିବା…
ଆମେରିକା ପାଖରେ କେଉଁ କେଉଁ ବିପଦଜନକ ଅସ୍ତ୍ର
ଆମେରିକା ଓ ଇରାନ ମଧ୍ୟରେ ଶତ୍ରୁତା ଇରାନରେ ଇସଲାମିକ ବିପ୍ଳବ ପରେ ଆରମ୍ଭ ହୋଇଥିଲା। ଉଭୟ ଦେଶ ମଧ୍ୟରେ ସମ୍ପର୍କ ଏବେ ଭିନ୍ନ ମୋଡ଼ରେ ପହଞ୍ଚିଛି। ଆମେରିକା ପାଖରେ B83 ନ୍ୟୁକ୍ଲିୟର ବୋମା ଭଳି ଉଚ୍ଚ କ୍ଷମତା ସମ୍ପନ୍ନ ପରମାଣୁ ଅସ୍ତ୍ର ରହିଛି, ଯାହାର ଏକ ଇଉନିଟ ଲକ୍ଷାଧିକ ଲୋକଙ୍କୁ ନିପାତ କରିବା ପାଇଁ ଯଥେଷ୍ଟ। ଏହା ସହିତ ଆମେରିକା ପାଖରେ Trident II D5 ମିସାଇଲ, Minuteman III ICBM, ଏବଂ B2 Spirit Stealth Bomber ଭଳି ଅସ୍ତ୍ର ରହିଛି, ଯାହା ଆମେରିକାର ଶକ୍ତିକୁ ଅନେକ ଗୁଣ ବୃଦ୍ଧି କରେ। ଏହି ଅସ୍ତ୍ରଗୁଡ଼ିକ ଅତ୍ୟାଧୁନିକ ଏବଂ ଯେକୌଣସି ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଭେଦ କରି ସହଜରେ ଟାର୍ଗେଟ ହାସଲ କରିପାରେ।
କେତେ ସମୟରେ ସମଗ୍ର ଇରାନକୁ ଧ୍ୱଂସ କରିପାରିବ
ସମଗ୍ର ଇରାନକୁ ଧ୍ୱଂସ କରିବା ପାଇଁ ଆମେରିକାକୁ ପରମାଣୁ ବୋମାର ବ୍ୟବହାର କରିବାକୁ ପଡ଼ିବ, ଯାହା ବିଷୟରେ ବିଶ୍ୱ ଚିନ୍ତା କରିପାରୁନାହିଁ। ଆମେରିକା ସମଗ୍ର ଇରାନ ପରିବର୍ତ୍ତେ ତା’ର କିଛି ପ୍ରମୁଖ ଘାଟିକୁ ଟାର୍ଗେଟ କରିପାରେ। ଯଦି ଆମେରିକା ପୂର୍ଣ୍ଣ କ୍ଷମତାରେ ଆକ୍ରମଣ କରେ, ତେବେ ମାତ୍ର ୩୦ ମିନିଟରୁ ୨ ଘଣ୍ଟା ମଧ୍ୟରେ ଇରାନର ପ୍ରମୁଖ ସାମରିକ ଓ ପ୍ରଶାସନିକ ଘାଟିଗୁଡ଼ିକୁ ଧ୍ୱଂସ କରାଯାଇପାରିବ। ଆମେରିକା ପାଖରେ ଥିବା ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ମାତ୍ର ୩୦ ମିନିଟରେ ଇରାନ ପହଞ୍ଚିପାରେ। ଟମହକ କ୍ରୁଜ ମିସାଇଲ ଓ ଷ୍ଟିଲଥ ବୋମାର ସାହାଯ୍ୟରେ ଆମେରିକା ୧ରୁ ୨ ଘଣ୍ଟାରେ ବୃହତ ଆକ୍ରମଣ କରିପାରେ।
ସମଗ୍ର ଇରାନକୁ ଧ୍ୱଂସ କରିବା ସମ୍ଭବ କି?
ସମଗ୍ର ଇରାନକୁ ଧ୍ୱଂସ କରିବା ଆମେରିକା ପାଇଁ ସମ୍ଭବ ନୁହେଁ। ଯଦି ଯୁଦ୍ଧ ଆଗେଇ ଚାଲେ, ତେବେ ଇରାନର ବନ୍ଧୁ ଦେଶ ଯେପରି ରୁଷ ଓ ଚୀନ ତା’ ସହ ଠିଆ ହେବେ। ଯଦିଓ ଆମେରିକା ଇରାନ ଉପରେ ବଡ଼ ଆକ୍ରମଣ କରିପାରେ, ରାଜନୈତିକ ଓ ନୀତିଗତ ଦୃଷ୍ଟିକୋଣରୁ ଏହା ଏତେ ସହଜ ନୁହେଁ। ଇରାନ ପାଖରେ ମଧ୍ୟ ଶକ୍ତିଶାଳୀ ମିସାଇଲ ଓ ପ୍ରକ୍ସି ଗୋଷ୍ଠୀ ରହିଛନ୍ତି, ଯେଉଁମାନେ ଆମେରିକା ଓ ତା’ର ସହଯୋଗୀମାନଙ୍କୁ ପାଲଟା ଆକ୍ରମଣ କରିପାରନ୍ତି।
Comments are closed.