ନୂଆଦିଲ୍ଲୀ: ବିଶ୍ୱ ଏବେ ଏକ ବଡ଼ ଧରଣର ଯୁଦ୍ଧ ଆଡ଼କୁ ଗତି କରୁଛି । ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ବିରାଟ ଶକ୍ତି’ର ଚେତାବନୀ, ଅନ୍ୟପଟେ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ବଙ୍କରରେ ଆତ୍ମଗୋପନ କରିଥିବା କୁହାଯାଉଛି।
ଆମେରିକାର ବିଶାଳ ନୌସେନା ବାହାରିଛି ମଧ୍ୟପ୍ରାଚ୍ୟ ଅଭିମୁଖେ । ବିମାନବାହୀ ଜାହାଜ USS ଆବ୍ରାହମ ଲିଙ୍କନ ସହ ଏକାଧିକ କ୍ଷେପଣାସ୍ତ୍ରବାହୀ ଯୁଦ୍ଧ ଜାହାଜ ଭାରତ ମହାସାଗର ଦେଇ ଆଗକୁ ବଢ଼ୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଏୟାରଫୋର୍ସ-ୱାନରୁ ସ୍ପଷ୍ଟ କରିଛନ୍ତି ଯେ, “କେବଳ ସତର୍କତା ମୂଳକ ଭାବେ ନୁହେଁ, ବରଂ ଇରାନକୁ ଶିକ୍ଷା ଦେବା ପାଇଁ ଯେକୌଣସି ପଦକ୍ଷେପ ନିଆଯାଇପାରେ।” ଏପରିକି ବ୍ରିଟେନ ମଧ୍ୟ ନିଜର ଟାଇଫୁନ୍ ଯୁଦ୍ଧ ବିମାନକୁ କତାର ପଠାଇ ଆମେରିକା ପଛରେ ଛିଡ଼ା ହୋଇଛି।
ଏହି ଯୁଦ୍ଧ ଆଶଙ୍କା ମଧ୍ୟରେ ତେହେରାନରୁ ଏକ ବଡ଼ ଖବର ଆସୁଛି । ଆମେରିକାର ଆକ୍ରମଣ ଭୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଅତି ଗୋପନୀୟ ଭାବେ ବଙ୍କରକୁ ଚାଲିଯାଇଛନ୍ତି। ଯୁଦ୍ଧ ପରିସ୍ଥିତିକୁ ନଜରରେ ରଖି ଖାମେନେଇଙ୍କ ତୃତୀୟ ପୁଅ ମାସୁଦ ଖାମେନେଇଙ୍କୁ ଶାସନ ଦାୟିତ୍ୱ ଦିଆଯାଇଛି। ସେ ଏବେ ସରକାର ଏବଂ ତାଙ୍କ ପିତାଙ୍କ ମଧ୍ୟରେ ମୁଖ୍ୟ ସଂଯୋଜକ ସାଜିଛନ୍ତି। ଆମେରିକାକୁ ଜବାବ ଦେବା ପାଇଁ ଇରାନ ମଧ୍ୟ ପ୍ରସ୍ତୁତ । ରିଭୋଲ୍ୟୁସନାରୀ ଗାର୍ଡ କମାଣ୍ଡର ଜେନେରାଲ ପାକପୁର କହିଛନ୍ତି, ସେନାର ଆଙ୍ଗୁଠି ଏବେ ଟ୍ରିଗର ଉପରେ ଅଛି। ସାମାନ୍ୟ ଆକ୍ରମଣ ହେଲେ ଏହାକୁ ଏକ ‘ସର୍ବବ୍ୟାପୀ ଯୁଦ୍ଧ’ ବୋଲି ଧରାଯିବ ଏବଂ ଇରାନ ସବୁଠାରୁ କଠୋର ପ୍ରତିଶୋଧ ନେବ।
ସେପଟେ ଦେଶ ଭିତରେ ମଧ୍ୟ ଇରାନ ସରକାର ଅଣନିଶ୍ୱାସୀ ହୋଇପଡ଼ିଛନ୍ତି। ଦୁର୍ବଳ ଅର୍ଥନୀତି ଏବଂ ମୁଦ୍ରାସ୍ଫୀତି ଯୋଗୁଁ ସାରା ଦେଶରେ ବିଦ୍ରୋହ ଜାରି ରହିଛି। ମାନବାଧିକାର ସଂସ୍ଥାର ଆକଳନ ଅନୁସାରେ, ସରକାରୀ ଦମନରେ ପ୍ରାୟ ୫,୦୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ୨୬,୦୦୦ରୁ ଅଧିକ ଲୋକ ଏବେ ବି ଜେଲରେ ଅଛନ୍ତି। ଜାତିସଂଘରେ ଏନେଇ ଇରାନ ବିରୋଧରେ ଆସିଥିବା ପ୍ରସ୍ତାବକୁ ଭାରତ ବିରୋଧ କରିଛି । ଜାତିସଂଘରେ ଇରାନକୁ ସାଥ୍ ଦେଇଥିବାରୁ ଇରାନ ରାଷ୍ଟ୍ରଦୂତ ଭାରତକୁ ଧନ୍ୟବାଦ ଜଣାଇଛନ୍ତି।
ଏବେ ପ୍ରଶ୍ନ ଉଠୁଛି, କଣ ଆମେରିକା ସତରେ ଇରାନ ଉପରେ ଆକ୍ରମଣ କରିବ ? ଯଦି ଯୁଦ୍ଧ ହୁଏ, ତେବେ ଏହାର ପ୍ରଭାବ ବିଶ୍ୱ ବଜାର ଉପରେ କିପରି ପଡ଼ିବ ? ଏହା ଉପରେ ଏବେ ସାରା ପୃଥିବୀର ନଜର ରହିଛି।
Comments are closed.