Latest Odisha News

ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନ କାର୍ଯ୍ୟ; ଆବାସ ଟଙ୍କାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ

ନବରଙ୍ଗପୁର: ବ୍ଲକ ପ୍ରଶାସନର ଦାୟିତ୍ୱ ହୀନତା କାର୍ଯ୍ୟ ହେତୁ ପ୍ରକୃତ ହିତାଧିକାରୀ ହନ୍ତସନ୍ତ ହୋଉଥିବା ଦେଖିବାକୁ ମିଳିଛି । ଆବାସ ଘରର ପ୍ରଥମ କିସ୍ତି ଟଙ୍କା ପ୍ରକୃତ ହିତାଧିକାରୀଙ୍କୁ ନ ଦେଇ ଅନ୍ୟ ଜଣକ ଖାତାରେ ଦେଇଛନ୍ତି ଟଙ୍କା । ଏପଟେ ହିତାଧିକାରୀ ବାରମ୍ବାର ଜଣାଇଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ନିରାଶରେ ରହିଛନ୍ତି । ଯାହାକି ଉକ୍ତ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ହୀନତା କାର୍ଯ୍ୟ ହେତୁ ଏପରି ସମସ୍ୟା ଦେଖାଦେଇଛି । ଏପରି ଅଭିଯୋଗ ଆଣିଛନ୍ତି ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ଗ୍ରାମର କନକ ବିଶୋଇ ।

କନକ ବିଶୋଇଙ୍କ କହିବା ଅନୁଯାୟୀ, ଗତ ସାତ ମାସ ତଳେ ତାଙ୍କୁ ଆବାସ ଘର ନିମନ୍ତେ କାର୍ଯ୍ୟାଦେଶ ମିଳିଥିଲା । ଆବାସ ଘର ନିର୍ମାଣ କରିବା ନିମନ୍ତେ ନିଜ ଘରକୁ ଭାଙ୍ଗି ଦେଇଥିଲେ । ପ୍ରଥମ କିସ୍ତି ଟଙ୍କା ଆଣିଲା ପରେ ଘର କାର୍ଯ୍ୟ ଆରମ୍ଭ କରିବାକୁ ଚିନ୍ତା କରିଥିଲେ । ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର କହିଥିଲେ ଯେ ମୋର ଟଙ୍କା ବ୍ୟାଙ୍କ ଖାତାକୁ ଆସି ନାହିଁ । କିନ୍ତୁ ଯେତେବେଳେ ଖାତିଗୁଡା ବ୍ୟାଙ୍କକୁ ଯାଇ ବୁଝିଲା ବେଳକୁ ତାଙ୍କ ଟଙ୍କା ଝାଡଖଣ୍ଡର ଜଗେନ୍ଦ୍ର ମହନ୍ତ ନାମକ ଜଣେ ବ୍ୟକ୍ତିଙ୍କ ୩୩୨୪୨୮୬୫୫୮୯ ଆକାଉଣ୍ଟ ନଂ ରେ ଚଢ଼ିଛି ।

କନକ ବିଶୋଇଙ୍କ ଆକାଉଣ୍ଟ ନଂ ୩୩୨୪୮୨୬୫୮୫୯ ଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ହୀନତା କାର୍ଯ୍ୟ ହେତୁ ପ୍ରକୃତ ହିତାଧିକାରୀ ଟଙ୍କା ନ ପାଇ ହନ୍ତସନ୍ତ ହୋଇଛନ୍ତି । ଘର ନିର୍ମାଣ ସକାଶେ କନକ ନିଜ ଘର ଭାଙ୍ଗି ଦେଇଛନ୍ତି ଫଳରେ କେବେ ଟଙ୍କା ଆସିବ ଓ କେବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ସେ ନେଇ ଚିନ୍ତାରେ କନକ ଥିବା କହିଛନ୍ତି ।

Comments are closed.