ଭୁବନେଶ୍ୱର: ରାଜ୍ଯରେ ଶାସନ ଭାରକୁ ନେଇ ଧର୍ମେନ୍ଦ୍ର ଉପନିର୍ବାଚନ ପ୍ରଚାର ବେଳେ ଯେଉଁ ପ୍ରଶ୍ନ କରିଥିଲେ, ତାକୁ ଏବେ ବିଜେଡି ବିଧାୟକ ତଥା ଦଳର ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଦୋହରାଇଲେ କି?
ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ‘ଜାନକୀ-ବସନ୍ତ ଯୋଡିର ସ୍ୱର୍ଣ୍ଣିମ ସମୟ’ ଶୀର୍ଷକ ଆଲୋଚନାଚକ୍ରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ନିୟନ୍ତ୍ରଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସରକାରରେ କ’ଣ ଚାଲିଛି, ମନ୍ତ୍ରୀ ଓ ବିଧାୟକ ତାଙ୍କୁ ଭେଟି ପାରୁଛନ୍ତି କି ନାହିଁ, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି କି ନାହିଁ ବୋଲି ଗତକାଲି ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଥିଲେ। ଏହାପରେ ସୌମ୍ୟରଞ୍ଜନ ଆଲୋଚନା ଚକ୍ରରେ ଗୁମର ଖୋଲିଛନ୍ତି ବୋଲି କୁହାଯାଉଛି।
ଆଜି ସମାନ ପ୍ରସଙ୍ଗରେ ଆଲୋଚନାଚକ୍ରରେ ଭାଗ ନେଇ ସୌମ୍ୟରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି ଯେ, ସରକାରୀ ନିଷ୍ପତ୍ତିରେ ମନ୍ତ୍ରୀମାନଙ୍କର କୌଣସି ଭୂମିକା ନାହିଁ ଏବଂ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସେମାନେ ଅବଗତ ନାହାନ୍ତି। ରାଜନୈତିକ ଅବକ୍ଷୟ ସାମ୍ନାରେ ମନ୍ତ୍ରୀଙ୍କ ନିରବତାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ତେବେ ତାଙ୍କ ବୟାନକୁ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ତେବେ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେପିକୁ ପ୍ରଶ୍ନ କରିଥିଲେ ଯେ, ବିଜେପି ଆଉ ଦଳ ହୋଇ ନାହିଁ, ରାଜ୍ୟରେ ବିରୋଧୀ ଦଳ ନାହିଁ। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେଡି ସମର୍ଥନ ଦେଉଥିବା ବେଳେ ଏଠାରେ ଶାସକ-ବିଜେଡିକୁ ରାଜ୍ୟ-ବିଜେପି ୟୁନିଟ୍ କାହିଁକି ଟାର୍ଗେଟ୍ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ଏହାର ଜବାବରେ ବିଜେପି ସାଂସଦ ଜୁଏଲ ଓରାମ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ସମାଲୋଚନା କରିବା ସହ ବିଜେଡିକୁ ହରାଇବାକୁ ସଙ୍କଳ୍ପ ନେଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ବେଳେ ଓଡ଼ିଶା ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ସେଠାରେ ‘ଶଶିକଳା ସିଣ୍ଡ୍ରୋମ’ କାମ କରୁଛି, ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ। ତେବେ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସବୁକିଛି କରାଯାଉଛି।
Comments are closed.