ନୂଆଦିଲ୍ଲୀ: ଚୀନରେ ବଢିବାରେ ଲାଗିଛି ଏଚଏମପିଭି। ଭାରତରେ ମଧ୍ୟ ସଂକ୍ରମଣ ମାମଲା ସାମନାକୁ ଆସିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଁଚିଛି। ଏହାକୁ କୋଭିଡ ସହ ତୁଳନା କରାଯାଉଥିବା ବେଳେ, ଚିନ୍ତାର କାରଣ ମଧ୍ୟ ପାଲଟିଛି। ରିପୋର୍ଟ ମୁତବକ ଏଚଏମପିଭି କରୋନା ଭଳି ଭୟାନକ ହୋଇପାରେ। ବେଙ୍ଗାଲୁରୁ ପରେ ଅହମ୍ମଦାବାଦରେ ଜଣେ ଏଚଏମପିଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏପରିକି ଗୋଟିଏ ୨ମାସର ଶିଶୁ ଶରୀରରେ ଏହି ଭାଇରସ ଚିହ୍ନଟ ହୋଇଛି। ସେହିପରି ବେଙ୍ଗାଲୁରୁରେ ୨ଶିଶୁ ଏହି ଭାଇରସ ଆକ୍ରାନ୍ତ ହୋଇଛନ୍ତି । ତେବେ ଓଡ଼ିଶାରେ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । କେହି ଭୟଭୀତ ନହୁଅନ୍ତୁ, ଭାରତ ସରକାରଙ୍କ ଗାଇଡଲାଇନ୍ ଆସିଲେ ପାଳନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
ଏଚଏମପିଭି କଣ ?
ହ୍ୟୁମାନ ମେଟାନ୍ୟୁମୋଭାଇରସ (ଏଚଏମପିଭି) ଭାଇରସ ଶ୍ବାସ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିଥାଏ। ଏହା ଆରବିସି ଗ୍ରୁପର ଭାଇରସ। ସବୁ ବର୍ଗର ଲୋକଙ୍କୁ ସଂକ୍ରମଣ କରିପାରିବ ଏଚଏମପିଭି। ତେବେ ଛୋଟ ପିଲା, ବୟସ୍କ ଓ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକଙ୍କଠାରେ ଏହା ସହଜରେ ବ୍ୟାପେ। ଭୂତାଣୁ ସଂକ୍ରମଣରେ ଥଣ୍ଡା ସର୍ଦ୍ଦି ଭଳି ଲକ୍ଷଣ ଦେଖାଯିବ। ସଂକ୍ରମିତଙ୍କ ଠାରେ କାଶ, ଜ୍ବର, ନାକ ବନ୍ଦ ହେବା ଭଳି ଲକ୍ଷଣ ଦେଖିବାକୁ ମିଳିବ। କେବଳ ସେତିକି ନୁହେଁ ନିମୋନିଆ ଓ ବ୍ରୋଙ୍କିଓଲାଇଟିସ୍ ଭଳି ଗମ୍ଭୀର ଶ୍ବାସଜନିତ ସମସ୍ୟା ବି ଦେଖା ଦେଇପାରେ।
କିପରି ହୁଏ ଏଚଏମପିଭି ସଂକ୍ରମଣ ?
କରୋନା ଭଳି ସଂକ୍ରମିତ ବ୍ୟକ୍ତି କାଶିଲେ କିମ୍ବା ଛିଙ୍କିଲେ ଏହି ଭୂତାଣୁ ସଂକ୍ରମଣ ହୁଏ। ସଂକ୍ରମିତ ବ୍ୟକ୍ତିଙ୍କ ସହ ହାତ ମିଳାଇବା କିମ୍ବା ବ୍ୟବହାର କରୁଥିବା ଫୋନ୍, କିବୋର୍ଡ ଭଳି ସାମଗ୍ରୀ ବ୍ୟବହାର କଲେ ମଧ୍ୟ ସଂକ୍ରମଣ ହୋଇପାରେ। ବିଶେଷ କରି ୫ବର୍ଷରୁ କମ୍ ବୟସର ଶିଶୁ ଏହାଦ୍ବାରା ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି। ସେହିପରି ଏହି ଭାଇରସ ସଂକ୍ରମଣରେ ଅତ୍ୟଧିକ ଜ୍ୱର ହେବା, ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ ହେବା, ଚର୍ମ-ଓଠ-ନଖ ନୀଳ ରଙ୍ଗ ପଡିବା ଭଳି ଲକ୍ଷଣ ଦେଖାଯାଏ। ଏପର୍ଯ୍ୟନ୍ତ ଏହାର ଟିକା କିମ୍ବା ପ୍ରଭାବଶାଳୀ ଔଷଧ ଆସିନି। ସଂକ୍ରମଣରୁ ରକ୍ଷା ପାଇବାକୁ ହାତ ବାରମ୍ବାର ଧୋଇବା ସହ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି।
କୋଭିଡ ପରି ଭୟାନକ ହେବ କି ଏଚଏମପିଭି ?
କୋଭିଡ ଓ ଏଚଏମପିଭି ମଧ୍ୟରେ ସମାନତା ଦେଖିବାକୁ ମିଳୁଥିଲେ ମଧ୍ୟ ୨୦ବର୍ଷ ପୂର୍ବେ ଏଚଏମପିଭିର ଚିହ୍ନଟ ହୋଇଥିଲା। ପୂର୍ବରୁ ଏହାର ମାମଲା ଦେଖିବାକୁ ମିଳିଥିଲା। ଏହା କୋଭିଡ ପରି ଭୟାନକ ହୋଇନଥିଲେ ମଧ୍ୟ ସଚେତନ ରହିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।
ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ