Latest Odisha News

BREAKING NEWS

ବିଶାଲ ବଡ଼ ଲୋକ ବୋଲି ପୋଲିସ କ’ଣ ସୁରକ୍ଷା ଦେଉଛି ?

ଭୁବନେଶ୍ୱର: ରେଞ୍ଜ ରୋଭର ଦୁର୍ଘଟଣାରେ ଜଣେ ଯାଜପୁରର ଯୁବତୀ ଲୋପାମୁଦ୍ରାଙ୍କ ମୃତ୍ୟୁ ଘଟିଛି। ଏହି ମାମଲାରେ ଅନ୍ୟ ଜଣେ ତାଙ୍କ ସଂପର୍କୀୟ କାହ୍ନଚରଣ ନାୟକ ଚିକିତ୍ସାଧୀନ ରହିଛନ୍ତି। ଏପରି ସ୍ଥିତିରେ ଛାତ୍ର କଂଗ୍ରେସ ସୋମବାର ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ଗିରଫ ଦାବି କରିଛନ୍ତି। ଗତ ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ୱର କମିଶନରେଟ୍ ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଥିଲା। ଆଉ କାରରେ ବିଶାଲ ଦାସ ହିଁ ଥିଲେ ବୋଲି କଂଗ୍ରେସ ଦାବି କରିଛି।

ଆର୍ମର ରେଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ ନାମରେ ରେଜିଷ୍ଟ୍ରି ହୋଇଥିବା ରେଞ୍ଜ ରୋଭରକୁ ବିଶାଲ ଦାସ ଚଳାଉଥିବା ବେଳେ ଏକ ବ୍ୟସ୍ତବହୁଳ ଛକରେ ଏକ ଦୁଇଚକିଆ ଗାଡ଼ିକୁ ଧକ୍କା ଦେଇଥିଲା। ଗାଡି ପଛରେ ବସିଥିବା ଲୋପାମୁଦ୍ରା ସାହୁ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଦୁର୍ଘଟଣା ଘଟିବାର ୭ ଦିନ ପରେ ବି ପୋଲିସ କିମ୍ବା ଗାଡିର ରେଜିଷ୍ଟର ମାଲିକ ଏ ନେଇ କୌଣସି ସୂଚନା ଦେଇନାହାନ୍ତି।

ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ୱାଜ ଅଭିଯୋଗ କରିଛନ୍ତି ଯେ ବିଶାଲ ଦାସ ଜଣେ ପ୍ରଭାବଶାଳୀ ପରିବାରର ହୋଇଥିବାରୁ ପୁଲିସ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଏହାର ପ୍ରମାଣ ହେଉଛି ଦୁର୍ଘଟଣା ପରେ ପୋଲିସ ଗାଡି ଚାଳକଙ୍କୁ ଗିରଫ କରି ଯେଉଁ ପ୍ରେସ ରିଲିଜ ଜାରି କରିଥିଲା ସେଥିରେ ଆଉ ଏକ କାରର ନମ୍ବର ଉଲ୍ଲେଖ ଥିଲା। ଏହା ସହ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ପ୍ରକାଶ ନକରିବା ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି।

ପ୍ରକୃତ ଅପରାଧୀକୁ ଗିରଫ କରିବା ସହ ଲୋପାମୁଦ୍ରାଙ୍କ ପରିବାରକୁ ୧ କୋଟି ଟଙ୍କା ଓ ଆହତ ବାଇକ୍ ଆରୋହୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନବାଜ ଦାବି କରିଛନ୍ତି।

Comments are closed.