Latest Odisha News

ବିଜେପିର ପ୍ରଶ୍ନ- ଇଏ ପ୍ରକୃତ ମୁଖ୍ୟମନ୍ତ୍ରୀ ନା ଏଆଇ ?

ଭୁବନେଶ୍ୱର: ଆମ ଓଡ଼ିଶାକୁ ୫୦ % ପିସି ଓଡ଼ିଶାରେ ପରିଣତ କରିଛନ୍ତି ନବୀନ ସରକାର ।  ତଥ୍ୟ, ପରିସଂଖ୍ୟାନ ଏବଂ ବିଫଳ ଯୋଜନାକୁ ସଂଶୋଧିତ କରିବାର ନୂଆ ଭର୍ସନ ହେଉଛି ‘ଆମ ଓଡିଶା ନବୀନ ଓଡିଶା’ ।  ଏହି ଯୋଜନା ବିଜୁ ଜନତା ଦଳର ଦୁର୍ନୀତିର ହେବ ବଡ ଯୋଜନା । ଏମିତି କହି ବିଜେଡି ସରକାରଙ୍କ ନୂଆ ଯୋଜନାକୁ ସମାଲୋଚନା କରିଛି ବିଜେପି ।

ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ଏବଂ ଭର୍ଚୁଆଲ ମୋଡରେ ଉପସ୍ଥିତିକୁ ନେଇ କଟାକ୍ଷ କରିଛନ୍ତି   । ସେ କହିଛନ୍ତି,  ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ହେଉଛନ୍ତି କି ନାହିଁ, ତାହା ଏବେ ଏକ ରହସ୍ୟଜନକ ଘଟଣା ଭଳି ମନେ ହେଉଛି । ଆମକୁ ଲାଗୁଛି, ଏଆଇ ଟେକ୍ନୋଲୋଜିକୁ ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ କଥା ଓ ଛବିକୁ ବ୍ୟବହାର କରୁନାହାନ୍ତି ତ ?
ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି,  ମୋ ସରକାର ନାଁରେ ଯେଉଁ ଭେଳିକି ଚାଲିଛି, ତା’ର ଗତି କୂଆଡେ ?  ମୋ ସରକାରର ସାରଥୀ ମାନେ ହେଲେ ଦୁର୍ନୀତିରେ ଲିପ୍ତ ଥିବା ବ୍ୟବସାୟୀ ଓ ଅଧିକାରୀ ।  ରତ୍ନଭଣ୍ଡାର ନ ଖୋଲିବା ଘଟଣାରେ ମାନ୍ୟବର ହାଇକୋର୍ଟଙ୍କ ତାଗିଦ୍ ପରେ ସରକାର ବୁଢିଆଣି ସୂତାରେ ଛନ୍ଦି ହୋଇ ପଡିଛନ୍ତି ।   ଏକ ଯୋଜନା ତିଆରି କରି ଓଡ଼ିଆ ଲୋକଙ୍କୁ ବୋକା ବନାଇବା ପାଇଁ ଚେଷ୍ଟା କରୁଛନ୍ତି ।

ଆମ ଗାଁ, ଆମ ବିକାଶ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମଞ୍ଜୁର ୩ ଲକ୍ଷ ୨୪ ହଜାର ୫୨୩ରୁ ୨ ଲକ୍ଷ ୯୪ ହଜାର ୬୨୩ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ, ଯାହା ବିଫଳତାକୁ ସ୍ପଷ୍ଟ ଇଙ୍ଗିତ କରୁଛି । ସେହିପରି  ପିଠା ଯୋଜନା, ଯୁବ ବାହିନୀ, ବିଜୁ ଆତ୍ମ ନିଯୁକ୍ତି ଯୋଜନା, ବିଜୁ କନ୍ୟା ରତ୍ନ ଯୋଜନା, ବିଜୁ ଗାଁ ଗାଡି ଚାଳକ ବୀମା ଯୋଜନାର ସ୍ଥିତି କଣ ଓ କେମିତି ଅଛି ବୋଲି ପ୍ରଶ୍ନ କରିଛନ୍ତି ସମୀର ମହାନ୍ତି ।

ସେ କହିଛନ୍ତି ଯେ ଗତକାଲି ରାଜ୍ୟ ସରକାର ଗୋଟେ ଯୋଜନା ଘୋଷଣା କରିଛନ୍ତି, ‘ଆମ ଓଡିଶା ନବୀନ ଓଡିଶା’ । ଯାହା ଲାଗୁଛି, ଏବେ ବିଜୁ ଓଡ଼ିଶାରୁ ନବୀନ ଓଡ଼ିଶା ଆଡକୁ ବିଜୁ ଜନତା ଦଳ ଗତି କରୁଛି । ଏହା ପରେ ଓଡ଼ିଶାକୁ କେଉଁ ନାଁରେ ଚିତ୍ରଣ କରିବେ ତାହା ଓଡ଼ିଶାବାସୀ ଦେଖିବା ଅପେକ୍ଷାରେ? ‘ଆମ ଓଡିଶା ନବୀନ ଓଡିଶା’ ଓଡ଼ିଶା ସରକାରଙ୍କ ପୂର୍ବ ଯୋଜନା \”ଆମ ଗାଁ, ଆମ ବିକାଶ\”ର ନୂଆ ଭର୍ସନ ।

ଏହି ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗ୍ରାମବାସୀ/ଗ୍ରାମ ପଂଚାୟତ ମଧ୍ୟରେ ସିଧାସଳଖ ଉନ୍ନୟନ ମୂଳକ ପ୍ରକଳ୍ପକୁ ମଞ୍ଜୁର କରୁଥିଲେ । କିନ୍ତୁ ଦୁଃଖର ବିଷୟ, ସେହି ଯୋଜନାରେ ୫୦ ପ୍ରତିଶତ ଅଗ୍ରଗତି ହୋଇନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଗାଁ, ଆମ ବିକାଶ ଯୋଜନା\’ରେ ଏ ପର୍ଯ୍ୟନ୍ତ ୩ ଲକ୍ଷ ୨୪ ହଜାର ୫୨୩ରୁ ଅଧିକ ପ୍ରକଳ୍ପ ମଞ୍ଜୁର କରିଥିବା ବେଳେ ୨ ଲକ୍ଷ ୯୪ ହଜାର ୬୨୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିନାହିଁ, ଯାହା ବିଫଳତାକୁ ସ୍ପଷ୍ଟ ଇଙ୍ଗିତ କରୁଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ତଥା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଓ ଅନିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.