Latest Odisha News

ଗୋପାଳର ନାର୍କୋ ଟେଷ୍ଟ ପରେ କ୍ରାଇମବ୍ରାଞ୍ଚକୁ ମୁହଁ ବନ୍ଦ ରଖିବାକୁ ଚାପ ପଡ଼ିଛି କି?

ଭୁବନେଶ୍ୱର: ନବ ଦାସ ପଶ୍ଚିମ ଓଡ଼ିଶାର ଜନପ୍ରିୟ ନେତା ସହିତ ଜଣେ କ୍ୟାବିନେଟ ମନ୍ତ୍ରୀ ଥିଲେ। ତାଙ୍କ ହତ୍ୟାକୁ ୨୧ ଦିନ ବିତିଲାଣି। ହେଲେ ହତ୍ୟା ପଛର କାରଣ ବାବଦରେ ସାରା ରାଜ୍ୟ ଅନ୍ଧାରରେ ରହିଛନ୍ତି। ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବାଧୀନ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଛି। ହେଲେ ଏଯାବତ ହତ୍ୟାର କାରଣ ବାବଦରେ ତଦନ୍ତକାରୀ ଟିମ୍ ମୁହଁରେ ତୁଣ୍ଡି ବାନ୍ଧି ବସିବା ଭଳି ମନେ ହେଉଛି। ତେଣୁ ଏଯାବତ ହତ୍ୟାର ଉଦ୍ଦେଶ୍ୟ ବାବଦରେ ସ୍ପଷ୍ଟ ହେଉନାହିଁ।

ନିକଟରେ ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର ଏହି ହତ୍ୟା ଘଟଣାକୁ ଆରେଞ୍ଜଡ ମର୍ଡର ବୋଲି କହିଥିବା ବେଳେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ମୁଖ୍ୟ ଶାସନ ସଚିବରୁ କଂଗ୍ରେସ ନେତା ପାଲଟିଥିବା ବିଜୟ ପଟ୍ଟନାୟକ ମଧ୍ୟ ଏହା ଏକ ସାଧାରଣ ହତ୍ୟା ନୁହେଁ ଏହା ପଛରେ ଅନେକ ବଡବଡିଆ ରହିବା ନେଇ ଇସାରା ଦେଇଛନ୍ତି।

ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠିଥିବା ବେଳେ କ୍ରାଇମବ୍ରାଞ୍ଚ ନିରବ ରହିବା ଅନେକ ଅସମାହିତ ପ୍ରଶ୍ନକୁ ଉଜାଗର କରିଛି। ନବ ଦାସ ଜଣେ କୋଇଲା ବ୍ୟବସାୟୀ ସହିତ ରାଜନେତା ଥିଲେ। ତେଣୁ ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ଥିଓରୀ ସାମ୍ନାକୁ ଆସୁଛି।

ତେବେ ସତ କଣ ଜାଣିବାକୁ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ ହୋଇଛି । ଗୁଜରାଟ ଗାନ୍ଧୀନଗରରେ ହୋଇଥିବା ଏହି ନାର୍କୋ ପରୀକ୍ଷାରେ ଗୋପାଳ କଣ କହିଛି ତାହା ଅସ୍ପଷ୍ଚ ରହିଛି । ଏହି ଟେଷ୍ଟ ଦ୍ୱାରା ଅନେକ ହତ୍ୟା ଘଟଣାର ଖିଅ ଖୋଜିବାରେ ତଦନ୍ତକାରୀ ଟିମକୁ ଅନେକ ପ୍ରମାଣ ମିଳିିଛି। ଏପରି ସ୍ଥିତିରେ ଗୋପାଳ ଦାସ ନାର୍କୋ ଟେଷ୍ଟ ବେଳେ ଯେଉଁ ସତ କଥା କହିଛି ତାହା ତଦନ୍ତକାରୀ ଟିମ୍ କହିପାରୁନି କି? ଆଉ ନକହିବାକୁ ଉପରୁ ଚାପ ପଡୁଛି କି?

ଅଭିଯୁକ୍ତର ନାର୍କୋ ପରୀକ୍ଷା ବେଳେ ସୋଡିୟମ୍ ପେଣ୍ଟୋଥଲ୍ ଭଳି ଅନେକ ଔଷଧ ଦିଆଯାଇଥିଲା । ଏହାପରେ ପ୍ରାୟ ୭ ଘଣ୍ଟା ପର୍ଯ୍ୟନ୍ତ ନାର୍କୋ ଆନାଲାଇସିସ କରାଯାଇଥିଲା। ଏଭଳି ପରିସ୍ଥିତିରେ ଅଭିଯୁକ୍ତ ଅବଚେତନ ଥିବା ବେଳେ ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ ଦିଗକୁ କେତେ ଦୂର ପ୍ରକାଶ କରିଛି?

ଖାଲି ନାର୍କୋ ପରୀକ୍ଷା ନୁହଁ, ଅଭିଯୁକ୍ତର ଏଲଭିଏ ପରୀକ୍ଷା ହୋଇଛି। ଏହି ପରୀକ୍ଷା ଦ୍ୱାରା ଅଭିଯୁକ୍ତର ସ୍ୱର ନମୁନା ଜରିଆରେ ଜେରା ବେଳେ ଅଭିଯୁକ୍ତ କେତେ ସତ କହୁଛି ଜଣାପଡିବ । ସେହିପରି ମନସ୍ତତ୍ୱିବିତଙ୍କ ଦ୍ୱାରା ଗୋପାଳର ମାନସିକ ପରୀକ୍ଷା ମଧ୍ୟ ହୋଇଛି। ହତ୍ୟା ଘଟଣାର ରହସ୍ୟ ଜାଣିବାକୁ ଏତେ ସବୁ ବିଜ୍ଞାନଭିତ୍ତିକ ପରୀକ୍ଷା ହେବା ପରେ ବି ତଦନ୍ତକାରୀ ଟିମ୍ ଚୁପ ରହିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳି ଚଳାଇବା ପରେ ତାଙ୍କ ପରିବାର ଲୋକ ଏବଂ ସେ ଚିକିତ୍ସିତ ହେଉଥିବା ଡାକ୍ତର କହିଥିଲେ ଗୋପାଳ ବାଇପୋଲାର ଡିସଅର୍ଡରରେ ପୀଡ଼ିତ। ସେ ମାନସିକ ଭାରସାମ୍ୟ ହରାଇ ବସିଥିବା କୁହାଯାଇଥିଲା।

ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି) ଧାରା ୮୪ ଓ ୯୦ ଅନୁଯାୟୀ ଅସ୍ଥିର ମସ୍ତିଷ୍କ ଥିବା କୌଣସି ବ୍ୟକ୍ତିଙ୍କ ନାର୍କୋ ଓ ପଲିଗ୍ରାଫ୍ ପରୀକ୍ଷାକୁ ପ୍ରମାଣ ଭାବେ ବିବେଚନା କରାଯାଇପାରିବ ନାହିଁ। ଏହା ସତ୍ତ୍ୱେ ତଦନ୍ତକାରୀ ସଂସ୍ଥା କିଭଳି ଅଭିଯୁକ୍ତଙ୍କ ବୟାନ ରେକର୍ଡ କଲା ବୋଲି ପୀତାମ୍ବର ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି। ତଦନ୍ତକାରୀ ସଂସ୍ଥା କେବଳ ଗୋପାଳ ଦାସଙ୍କୁ ବିଭିନ୍ନ ଆଡେ ନେଇ ତଦନ୍ତ କରୁଛି ବୋଲି କହିିଛି କିନ୍ତୁ ଏବେ ତାକୁ ଖଲାସ କରିବାକୁ ଷଡ଼ଯନ୍ତ୍ର ଚାଲିଛି ବୋଲି ସେ ଦାବି କରିଛନ୍ତି।

 

Comments are closed.